ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନର ଏହା ହେଉଛି ଶେଷ ସପ୍ତାହ। ମୌସୁମୀ ଅଧିବେଶନରେ ଅଶୋଭନୀୟ ଆଚରଣ ପାଇଁ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ବିରୋଧୀ ଦଳର ସାଂସଦଙ୍କ ବିରୋଧରେ ଏବେ ନରମିଛି କେନ୍ଦ୍ର ସରକାର। ଆଜି ସେହି ବିରୋଧୀ ଦଳର ନେତାମାନଙ୍କୁ ବୈଠକ ପାଇଁ ଡକାଇଛି କେନ୍ଦ୍ର। କିନ୍ତୁ ଏହି ବୈଠକକୁ ଟିଏମ୍ସି ଆସିବନି ବୋଲି ଇସାରା ଦେଇଛି। ସେହିପରି କଂଗ୍ରେସ ମଧ୍ୟ ସିଧାସଳଖ ମନା କରିଦେଇଛି।
ସୂତ୍ରରୁ ପ୍ରକାଶ ଯେ, ସଂସଦର ଶୀତକାଳୀନ ଅଧିବେଶନରେ ଚାଲିଥିବା ଛକାପଞ୍ଝାକୁ ସମାପ୍ତ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସରକାର ଏବଂ ବିରୋଧୀ ଦଳମାନଙ୍କୁ ଆଲୋଚନା କରିବାକୁ କହିଛନ୍ତି। ଏଥିପାଇଁ ୪ ରାଜନୈତିକ ଦଳକୁ ନେଇ ବୈଠକ ଡକାଇଛନ୍ତି। ତେବେ ଏହାରି ଭିତରେ କେଁ ବାହାର କରିଛି ତ୍ରୁଣମୂଳ କଂଗ୍ରେସ ଦଳ ଓ କଂଗ୍ରେସ।
୧୨ଟି ରାଜ୍ୟସଭା ସଦସ୍ୟଙ୍କ ନିଲମ୍ବନ ସମସ୍ୟାର ସମାଧାନ ପାଇଁ ସରକାର ୪ଟି ଦଳର ନେତାଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ ଏକ ସୂତ୍ରରୁ ଜଣାପଡିଛି। ରାଜ୍ୟସଭା ସାଂସଦ ପିୟୁଷ ଗୋଏଲଙ୍କ ଦ୍ୱାରା ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବୈଠକ ଲାଗି ଆହ୍ୱାନ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ସକାଳେ ୫ଟି ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଇଥିଲେ। ତେବେ ଏହାକୁ ନେଇ କଂଗ୍ରେସ ଏବେ ଅସନ୍ତୁଷ୍ଟ ପ୍ରକାଶ କରିଛି।
ବିରୋଧୀ ଦଳର ଉଚ୍ଚ ସ୍ତରୀୟ ସୂତ୍ରରୁ ପ୍ରକାଶ ଯେ ଡକାଯାଇଥିବା ଏହି ବୈଠକରେ ବିରୋଧୀ ଅଂଶଗ୍ରହଣ କରିବେ ନାହିଁ। ସୂଚନାନୁସାରେ, ସରକାରଙ୍କ ଠାରୁ କଂଗ୍ରେସ, ଟିଏମ୍ସି, ଶିବସେନା ଏବଂ ସିପିଆଇ (ଏମ) କୁ ନିମନ୍ତ୍ରଣ ପଠାଯାଇଛି। ସୋମବାର ସକାଳେ ଏହି ବୈଠକ ଡକାଯାଇଛି। କିନ୍ତୁ ବିରୋଧୀ କହିଛନ୍ତି ଯେ ୪କିମ୍ବା ୫ ଟି ଦଳ ସମ୍ପୂର୍ଣ୍ଣ ବିରୋଧୀ ଦଳ ନୁହଁନ୍ତି।
ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ ଯୋଶୀଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ 'ସରକାର ସମସ୍ତ ବିରୋଧୀ ଦଳର ନେତାଙ୍କ ବଦଳରେ କେବଳ ୪ରୁ ୫ଟି ଦଳକୁ ଆମନ୍ତ୍ରଣ କରିବା ଦୁର୍ଭାଗ୍ୟଜନକ।'
ଏହାପୂର୍ବରୁ ଟିଏମ୍ସି ସାଂସଦ ଡେରେକ୍ ଓ ବ୍ରାୟନ୍ ଟ୍ୱିଟ୍ କରି କହିଥିଲେ, '୧୨ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ସେମାନେ ପଛଘୁଞ୍ଚା ଦେବେ ନାହିଁ। ଏହି ସାଂସଦମାନଙ୍କୁ ଭୁଲ୍ ରୂପେ ଦଣ୍ଡ ମିଳିଛି ବୋଲି ସେ କହିଛନ୍ତି।'
ସୂଚନା ମୁତାବକ, ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିବା ଶେଷ ମୌସୁମୀ ଅଧିବେଶନରେ ଖରାପ ଆଚରଣ ଲାଗି ୧୨ ଜଣ ସାଂସଦଙ୍କୁ ସମଗ୍ର ଶୀତ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୂର୍ବରୁ କହିଥିଲେ ଯେ ଯଦି ସେ ତାଙ୍କ ଭୁଲ ପାଇଁ କ୍ଷମା ମାଗନ୍ତି ତେବେ ସରକାର ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ସରକାରଙ୍କ କ୍ଷମା ମାଗିବ ପ୍ରସ୍ତାବକୁ ବିରୋଧୀ ଦଳର ନେତାମାନେ ପ୍ରତ୍ୟାଖ୍ୟାନ କରିଥିବାବେଳେ ସେ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ।
ଏହାରି ଭିତରେ ସଂସଦର ଚଳିତ ଅଧିବେଶନରେ ବିରୋଧୀ ଦଳମାନେ ଗୃହରେ ଏହି ୧୨ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ। ଜୋରଦାର ହଙ୍ଗାମା ଯୋଗୁଁ ଗୃହର କାର୍ଯ୍ୟକାଳକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିଥିଲା। ସଂସଦର ଶୀତ ଅଧିବେଶନ ଆସନ୍ତା ୨୩ ତାରିଖରେ ଶେଷ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।