/odisha-reporter/media/post_attachments/uploads/2022/02/chitra.jpg)
chitra
ନୂଆଦିଲ୍ଲୀ: ହିମାଳୟରେ ଅବସ୍ଥାପିତ ତଥାକଥିତ ଜଣେ ଯୋଗୀଙ୍କୁ ସମସ୍ତ ପ୍ରକାରର ଗୁପ୍ତ ତଥ୍ୟ ଦେଉଥିବା ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଅଡ଼ୁଆ ବଢ଼ିଛି। ଯୋଗୀଙ୍କୁ ଚିତ୍ରା ଦୀର୍ଘ ବର୍ଷ ହେଲା ଗୁପ୍ତ ତଥ୍ୟ ଦେବା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।
ଏବେ ଏହି ଘଟଣାରେ ସିବିଆଇ ଚିତ୍ରାଙ୍କୁ ଜେରା ଆରମ୍ଭ କରିଛି। ସିବିଆଇ ସୂତ୍ରରୁ ଶୁକ୍ରବାର ଏହି ତଥ୍ୟ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ସମୟରେ କୌଣସି ନୂଆ ତଥ୍ୟ ସାମ୍ନାକୁ ଆସି ନ ଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ନୂଆ ତଥ୍ୟକୁ ଆଧାର କରି ଚିତ୍ରାକୁ ଆଜି ସିବିଆଇ ଜେରା ଆରମ୍ଭ କରିଛି।
ଏହାପୂର୍ବରୁ ତଦନ୍ତକାରୀ ସଂସ୍ଥା ଚିତ୍ରା, ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଓଓ ଆନନ୍ଦ ସୁବ୍ରମଣିୟମ ଓ ରବି ନାରାୟଣଙ୍କ ବିରୋଧରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରିଥିଲା। ଏମାନେ ଦେଶ ଛାଡ଼ିବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା।
ଚିତ୍ରା ୨୦୧୩ରୁ ୨୦୧୬ ଯାଏ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଓ ଏମଡି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡ଼ି ଦେଇଥିଲେ। ନିଜ ପଦରେ ଥିବା ବେଳେ ସେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ଗୁପ୍ତ ତଥ୍ୟ ହିମାଳୟରେ ଅବସ୍ଥାପିତ ଜଣେ ଯୋଗୀଙ୍କୁ ଦେଉଥିଲେ। ତାଙ୍କ କଥାରେ ହିଁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଚାଲୁଥିଲା। କାହାକୁ ନିଯୁକ୍ତି ମିଳିବ ଓ କାହାର ଦରମା ବଢ଼ିବ, ତା’ର ନିଷ୍ପତ୍ତି ମଧ୍ୟ ଯୋଗୀ ଜଣଙ୍କ ନେଉଥିଲେ।
ଏ ସମ୍ପର୍କରେ ସେବି ଜାଣିବା ପରେ ହଇଚଇ ଦେଖିବାକୁ ମିଳିଛି। ହେଲେ ଯୋଗୀ ଜଣଙ୍କ କିଏ ଓ କାହିଁକି ତାଙ୍କ କଥାରେ ଚିତ୍ରା ପରିଚାଳିତ ହେଉଥିଲେ, ସେକଥା ଜଣାପଡ଼ିନି। ସେବିର ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟର, ଚିତ୍ରା ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କୁ ଷ୍ଟକ ଏକ୍ସଚେଞ୍ଜର ସମସ୍ତ ବ୍ୟବସାୟ ଓ ଆର୍ଥିକ ଯୋଜନା ସଂକ୍ରାନ୍ତ ତଥ୍ୟ ଦେଉଥିଲେ। ଯୋଗୀଙ୍କ ନିର୍ଦ୍ଦେଶରେ ସେ ସବୁ ପ୍ରକାରର କାର୍ଯ୍ୟ କରୁଥିଲେ।
ଚିତ୍ରାଙ୍କର ଏଭଳି ବେଆଇନ କାମ ପାଇଁ ସେବି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୩ କୋଟି ଟଙ୍କାର ଜରିମାନା ଦେବାକୁ କହିଛନ୍ତି। ୨୦୧୭ରେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଏହାର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାରି କରିବାକୁ ଯୋଜନା ରଖିଥିଲା। ହେଲେ ଏକ୍ସଚେଞ୍ଜ୍ର ତଥ୍ୟ ବାହାରକୁ ଯାଉଥିବା ଅଭିଯୋଗ ହେବାରୁ ଏହା ଉପରେ ରୋକ ଲାଗିଥିଲା। ଏହି ଅଭିଯୋଗକୁ ଆଧାର କରି ସେବି ତଦନ୍ତ ଆରମ୍ଭ କରିଥିଲା। ୩ ବର୍ଷ ଧରି ସେବି କରୁଥିବା ତଦନ୍ତରୁ ଯୋଗୀ ଓ ଚିତ୍ରାଙ୍କ ମଧୁଚନ୍ଦ୍ରିକାର ଗୁମର ଫିଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
