/odisha-reporter/media/post_attachments/uploads/2021/02/Farmers.jpg1_.jpg)
Farmers.jpg1
ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ପ୍ରଧମାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଜ୍ୟସଭାରେ ଉଦବୋଧନ ଦେବା ବେଳେ ମୋଦି ଚାଷୀମାନଙ୍କୁ ଆନ୍ଦୋଳନ ବନ୍ଦ କରି ଆଲୋଚନାକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଚାଷୀମାନେ ମଧ୍ୟ ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଆଲୋଚନାକୁ ଆସିବା ପାଇଁ ରାଜି ହୋଇଛନ୍ତି। ତେବେ ଆଲୋଚନାର ତାରିଖ ଓ ସମୟ ସରକାର ସ୍ଥିର କରନ୍ତୁ ବୋଲି ସେମାନେ କହିଛନ୍ତି।
ସଂଯୁକ୍ତ କିଷାନ ମୋର୍ଚ୍ଚାର ବରିଷ୍ଠ ଚାଷୀ ନେତା ଶିବ କୁମାର କାକ୍କା କହିଛନ୍ତି, ଆମେ ଆଲୋଚନ ପାଇଁ ରାଜି ଅଛୁ। ସରକାର ଆମକୁ ତାରିଖ ଓ ସମୟ କୁହନ୍ତୁ। ଆମେ କେବେ ହେଲେ ସରକାରଙ୍କ ସହ ଆଲୋଚନା କରିବାକୁ ମନା କରିନୁ। ସେମାନେ ଯେତେବେଳେ ବି ଆଲୋଚନା ପାଇଁ ଡାକିଛନ୍ତି ଆମେ ସେତେବେଳେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛୁ। ଆମେ ଏବେ ବି ସରକାରଙ୍କ ସହ ଆଲୋଚନା ପାଇଁ ରାଜି ବୋଲି ସେ କହିଛନ୍ତି।
ସରକାର ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ୧୧ଥର ବୈଠକ ବସିସାରିଲାଣି। ହେଲେ କୌଣସି ବି ବୈଠକରୁ ନିଷ୍କର୍ସ ବାହାରିପାରିନାହିଁ। ଚାଷୀମାନେ ଏମଏସପି ଉପରେ ଆଇନ ପ୍ରଣୟନ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି। ଶେଷ ବୈଠକରେ ସରକାର କୃଷି ଆଇନକୁ ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ ରାଜି ଥିବା ଚାଷୀଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଚାଷୀମାନେ ଏହାକୁ ଅଗ୍ରାହ୍ୟ କରି ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ଦାବି କରିଛନ୍ତି।
ଆଉ ଜଣେ ଚାଷୀ ନେତା ଅଭିମନ୍ୟୁ କୋହର କହିଛନ୍ତି, ସରକାର ଶହେ ଥର କହି ସାରିଲେଣି ଯେ ଏମଏସପି ଯିବ ନାହିଁ। ଏମଏସପି ଥିଲା, ରହିଛି ଓ ରହିବ। ଯଦି ସରକାର ଏମଏସପି ରହିବ ବୋଲି ଏତେ ଦମ୍ଭର ସହ କହୁଛନ୍ତି, ତା’ହେଲେ କାହିଁକି ଆମ ଉତ୍ପାଦ ଉପରେ ଏମଏସପି ଜାରି ରହିବ ବୋଲି ଆଇନଗତ ବ୍ୟବସ୍ଥା କରୁନାହାନ୍ତି? ଚାଷୀମାନେ ଆଲୋଚନା କରିବାକୁ ରାଜି ଅଛନ୍ତି। ହେଲେ ଏଥିପାଇଁ ଆମକୁ ଫର୍ମାଲ ନିମନ୍ତ୍ରଣ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଥିଲେ, ଭୋକକୁ ନେଇ ଦେଶରେ କୌଣସି ପ୍ରକାରର ବ୍ୟବସାୟ ହୋଇ ପାରିବ ନାହିଁ। ଯଦି ଭୋକ ବଢ଼ିବ, ତା’ହେଲେ ଧାନର ମୂଲ୍ୟ ବି ତଦ୍ନୁଯାୟୀ ବଢ଼ିବ। ଭୋକିଲାକୁ ନେଇ ଯଦି କେହି ବ୍ୟବସାୟ କରିବାକୁ ଚାହେଁ, ତା’ହେଲେ ତା’କୁ ଦେଶରେ ବିଦା କରିଦିଆଯିବ ବୋଲି ସେ ମତ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
