/odisha-reporter/media/post_attachments/uploads/2021/12/Farmer-1.jpg)
Farmer
ନୂଆଦିଲ୍ଲୀ: ଦୀର୍ଘ ୧୫ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଆଗରେ ପୁଣିଥରେ ମୁଣ୍ଡ ନୁଆଁଇବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ବିବାଦୀୟ ୩ କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଥିଲେ। ଏବେ ସରକାର ଏମଏସ୍ପି ଗ୍ୟାରେଣ୍ଟି ଓ ଆନ୍ଦୋଳନରତ ଚାଷୀଙ୍କ ଅନ୍ୟ ଦାବି ଗୁଡ଼ିକ ମାନିବାକୁ ସହମତି ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ଡ୍ରାଫ୍ଟ ସଂଯୁକ୍ତ କିଷାନ ମୋର୍ଚ୍ଚାର ୫ ଜଣିଆ କମିଟି ନିକଟକୁ ପଠାଯାଇଛି। କମିଟି ବର୍ତ୍ତମାନ ପ୍ରସ୍ତାବ ଗୁଡ଼ିକ ଉପରେ ବିଚାର କରୁଛି। ସରକାର ଦାବି ମାନି ଯାଇଥିବାରୁ ସମ୍ଭବତଃ ଆଜି ହିଁ ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇପାରେ। ସିଙ୍ଘୁ ସୀମାନ୍ତରେ କେନ୍ଦ୍ର ସରକାର ଦାବି ମାନିନେବା ସମ୍ପର୍କିତ ଚିଠା ପ୍ରସ୍ତାବକୁ ଆନ୍ଦୋଳନରତ ଚାଷୀମାନଙ୍କୁ ମୋର୍ଚ୍ଚାର ୫ ଜଣିଆ ଟିମ ଅବଗତ କରାଇଛନ୍ତି। ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼ିବ।
ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଏମଏସପି ଉପରେ ଆଇନଗତ ମାନ୍ୟତା ମିଳିବ ବୋଲି କହିଛନ୍ତି। ମୋଟ ଉତ୍ପାଦନ ମୂଲ୍ୟ(ସି୨+୫୦%)କୁ ଆଧାର କରି ଏମଏସ୍ପି ଧାର୍ଯ୍ୟ ହେବ। ଏଥିପାଇଁ ଆଇନଗତ ପ୍ରାବଧାନ ରହିବ। ଏହାଦ୍ୱାରା ଦେଶର ସବୁ ଚାଷୀ ସରକାର ଘୋଷଣା କରୁଥିବା ଏମଏସ୍ପି ପାଇପାରିବେ।
ସେହିପରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଇଲେକ୍ଟ୍ରିସିଟି ବିଲ୍ ୨୦୨୦କୁ ମଧ୍ୟ ଆଉ ସଂସଦରେ ଉପସ୍ଥାପନ କରିବେନି। ନଡ଼ା ଜାଳିବା ପାଇଁ ଚାଷୀଙ୍କ ଉପରେ ଲାଗୁ ହେଉଥିବା ଜୋରିମାନା ପ୍ରାବଧାନକୁ ସରକାର ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହାକୁ ତତ୍କାଳ ଭାବେ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାକୁ କହିଛନ୍ତି।
ଅନ୍ୟପକ୍ଷରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଥିବା ଜଣାପଡ଼ିଛି। ପଞ୍ଜାବ ସରକାର ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଦେବେ ବୋଲି କହିଛନ୍ତି। ଏବେ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ମଧ୍ୟ ସମାନ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି।
ତେବେ ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ କୌଣସି ପ୍ରକାରର ସୂଚନା ସରକାର ଦେଇନାହାନ୍ତି। ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଏହି ଘଟଣାରେ ତାଙ୍କୁ ଗିରଫ ମଧ୍ୟ କରିଛି। ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
