/odisha-reporter/media/post_attachments/uploads/2021/04/anil-desmukh-cbi.jpg)
anil-desmukh-cbi
ମୁମ୍ୱାଇ: ସିବିଆଇ ଜେରାର ସମ୍ମୁଖୀନ ହେଉଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ବଟି ଆଦାୟ ମାମଲାରେ ସିବିଆଇ ତାଙ୍କୁ ହାଜର ହେବାକୁ ଏପ୍ରିଲ ୧୨ ତାରିଖ ଦିନ ସମନ କରିଥିଲା। ଏହାପରେ ଦେଶମୁଖ ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇ ସିବିଆଇ ଜେରାର ସମ୍ମୁଖୀନ ହେଉଛନ୍ତି।
ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ଦାବି କରି ପରମବୀର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ମହାରାଷ୍ଟ୍ର ସରକାର ଓ ଦେଶମୁଖ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ କୋର୍ଟ ବମ୍ୱେ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ। ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପରମବୀର ସିଂହ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।
ନିକଟରେ ଏନଆଇଏ କୋର୍ଟକୁ ଏକ ଚିଠି ଲେଖି ସଚିନ ବାଜେ ମଧ୍ୟ ଅନୀଲ ଦେଶମୁଖଙ୍କ ନାଁରେ ବଟି ଆଦାୟ ଅଭିଯୋଗ ଆଣିଥିଲେ। ଆଣ୍ଟେଲିଆରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲା ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ମାମଲାରେ ଏବେ ଏନଆଇଏ ହେପାଜତରେ ରହିଛନ୍ତି ସଚିନ ବାଜେ।
ଏପ୍ରିଲ ୧୨ ତାରିଖରେ ସିବିଆଇ ଅନୀଲ ଦେଶମୁଖଙ୍କୁ ସମନ କରିଥିଲା। ଏହା ପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ଏବଂ ସଚିନ ବାଜେଙ୍କ ଦୁଇ ଡ୍ରାଇଭରକୁ ସିବିଆଇ ଜେରା କରି ବୟାନ ରେକର୍ଡ କରିଛି। ଆଉ ସଚିନ ବାଜେଙ୍କ ଡ୍ରାଇଭର ଆଣ୍ଟେଲିଆ ଓ ମନସୁଖ ମୃତ୍ୟୁ ମାମଲାରେ ଅନେକ ଗୁମର ସିବିଆଇ ଆଗରେ ଖୋଲିଥିବା ସୂଚନା ରହିଛି। ଅନୀଲ ଦେଶମୁଖ ତାଙ୍କ ସହଯୋଗୀଙ୍କ ଜରିଆରେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିବିଆଇ ଆଗରେ କହିଥିଲେ। ତେଣୁ ଦେଶମୁଖଙ୍କୁ ଜେରା କରିବା ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରିଥିଲା ସିବିଆଇ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
