Girl
ଚଣ୍ଡିଗଡ଼: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ବଡ଼ଧରଣର ବିକ୍ଷୋଭ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଜଣେ ଛାତ୍ରୀ ହଷ୍ଟେଲରେ ରହୁଥିବା ତାଙ୍କର ଏକାଧିକ ସାଥୀଙ୍କ ବାଥରୁମ ଭିତରର ଅଶ୍ଳୀଳ ଭିଡିଓକୁ ଅନଲାଇନରେ ଲିକ୍ କରିଦେଇଛନ୍ତି। ଏହାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାତିଛନ୍ତି। ସେମାନେ ବିକ୍ଷୋଭ କରିବା ସହ ସଂପୃକ୍ତ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ୍ ଘଟଣାରେ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ମୋହଲି ପୁଲିସ୍ ମୁଖ୍ୟ ବିବେକ ସୋନି କହିଛନ୍ତି, ଘଟଣାକୁ ନେଇ କୌଣସି ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଉଦ୍ୟମ ସାମ୍ନାକୁ ଆସିନାହିଁ। ଜଣେ ଛାତ୍ରୀ ହଷ୍ଟେଲ ଭିତରେ ରହୁଥିବା ତାଙ୍କର ସହଯୋଗୀମାନଙ୍କ ଗାଧୋଇବା ବେଳର ଭିଡିଓକୁ ମୋବାଇଲରେ ରେକର୍ଡିଂ କରି ଭାଇରାଲ କରିଛନ୍ତି। ଫରେନ୍ସିକ ପ୍ରମାଣ ସଂଗ୍ରହ କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିନାହିଁ। ଲୋକମାନେ ଆଦୌ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି।
ଭିଡିଓ ଭାଇରାଲ ଘଟଣା ପରେ ଏକାଧିକ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୋଶାଲ ମିଡିଆରେ ଦାବି କରାଯାଇଥିଲା। ହେଲେ ଏହାକୁ ବିଶ୍ୱବିଦ୍ୟାଳୟ ଓ ପୁଲିସ୍ ପକ୍ଷରୁ ଖଣ୍ଡନ କରାଯାଇଛି। କେବଳ ଜଣେ ଛାତ୍ରୀ ଘଟଣା ପରେ ଚେତା ହରାଇଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ୍ କହିଛି। ସେହିପରି ୬୦ରୁ ଅଧିକ ଛାତ୍ରୀଙ୍କୁ ଆପତ୍ତିଜନକ ଭିଡିଓ ଲିକ୍ ହୋଇଥିବା କୁହାଯାଉଛି। କିନ୍ତୁ ପୁଲିସ୍ ଏ ସମ୍ପର୍କରେ ତଦନ୍ତ ଚାଲିଥିବା କହିଛି।
ପଞ୍ଜାବର ସ୍କୁଲ ଶିକ୍ଷା ମନ୍ତ୍ରୀ ଏଚ୍ଏସ୍ ବୈଂଶ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ପିଲାମାନଙ୍କୁ ଶାନ୍ତ ହେବାକୁ କହିଛନ୍ତି। ଏଥିସହ ଦୋଷୀଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ମୁଁ ବେଶ ବିନମ୍ରତାର ସହ ଅନୁରୋଧ କରୁଛି ଯେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ପିଲାମାନେ ଶାନ୍ତି ବଜାୟୀ ରଖନ୍ତୁ।
କୌଣସି ବି ଦୋଷୀଙ୍କୁ ଆଦୌ ଛଡ଼ା ଯିବନାହିଁ। ଏହା ସମ୍ବେଦନଶୀଳ ପ୍ରସଙ୍ଗ। ଏହା ଆମ ଭଉଣୀ ଓ ଝିଅମାନଙ୍କ ସମ୍ମାନ ସହ ଜଡ଼ିତ। ମିଡିଆ ସମେତ ଆମେ ସମସ୍ତେ ଅଧିକ ସତର୍କ ହେବା ଦରକାର। ଗୋଟିଏ ସମାଜ ଭାବେ ବର୍ତ୍ତମାନ ଏହା ଆମ ସମସ୍ତଙ୍କ ପାଇଁ ପରୀକ୍ଷାର ମୁହୂର୍ତ୍ତ।”
ରିପୋର୍ଟ ଅନୁସାରେ, ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ପ୍ରଥମେ ତାଙ୍କ ସହଯୋଗୀମାନଙ୍କ ବାଥରୁମ ଭିଡିଓକୁ ଶୁଟ କରିଥିଲେ। ଏହାପରେ ସେ ଏହାକୁ ହିମାଚଳ ପ୍ରଦେଶର ଶିମଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖକୁ ପଠାଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଏହି ଏମଏମଏସ କ୍ଲିପ୍ସଗୁଡ଼ିକୁ ଇଣ୍ଟରନେଟରେ ପୋଷ୍ଟ କରିଦେଇଥିଲେ।
ଛାତ୍ରୀମାନେ ହଷ୍ଟେଲରେ ଗାଧୋଇବା ବେଳର ଭିଡିଓ ଭାଇରାଲ ହେବା ଜାଣିପାରି ପୂରା ଚକିତ ହୋଇଯାଇଛନ୍ତି। ଜଣେ ଛାତ୍ରୀ ନିଜର ଗାଧୋଇବା ବେଳର ଭିଡିଓ ଭାଇରାଲ ହେଉଥିବା ଦେଖି ଚେତାଶୂନ୍ୟ ମଧ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ପୁଲିସ୍ ଏବେ ଭିଡିଓ ଶୁଟ କରିଥିବା ଛାତ୍ରୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/Girl-1.jpg)