ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକଙ୍କ ମୁଣ୍ଡ କାଟ ନାରା ଦେଇ ୟଦ ଅବଦାହୁ କଶାଫ ନାମକ ଜଣେ ସାମାଜିକ କର୍ମୀ ଗିରଫ ହୋଇଛନ୍ତି। ସାମାଜିକ ଅଧିକାର ସୁରକ୍ଷା ପାଇଁ ଲଢ଼ୁଥିବା ସୟଦ ଅବଦାହୁ ହେଉଛନ୍ତି ହାଇଦ୍ରାବାଦର ଜଣେ ପ୍ରଭାବଶଳୀ ବ୍ୟକ୍ତି। ବିଜେପି ବିଧାୟକ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟର ପ୍ରତିବାଦ କରି ସୟଦ ଅବଦାହୁ ‘ସର ତନ୍ ସେ ଜୋଦା’ ନାରା ଦେଇଥିଲେ।
ଖୋଲାମଞ୍ଚରେ ନିଜ ସମର୍ଥକଙ୍କ ଗହଣରେ ଜୋରଦାର ନାରାବାଜି କରିଥିଲେ ସୟଦ ଅବଦାହୁ। ଏହି ଘଟଣାରେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଗିରଫ ବେଳେ଼ ବିଧାୟକଙ୍କୁ ହତ୍ୟା ଧମକ ନେଇ ସେ ଆଦୌ ଦୁଃଖିତ ନୁହନ୍ତି ବୋଲି କହିଛନ୍ତି । ସୟଦ ଅବଦାହୁ କହିଛନ୍ତି ଯେ, ମୁଁ ହିଁ କେବଳ ସେ ସ୍ଲୋଗାନ ଦେଇଥିଲି। ମୁଁ କୌଣସି ଅସାମ୍ବିଧାନିକ କାର୍ଯ୍ୟ କରି ନାହିଁ। ମୋ ମତରେ ଯେଉଁମାନେ ପ୍ରଫେଟ ମହମ୍ମଦଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ସେମାନେ ଦଣ୍ଡ ପାଇବା ଯୋଗ୍ୟ ବୋଲି ସେ କହିଛନ୍ତି।
ଅନ୍ୟପଟେ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ବିଧାୟକ ଟି.ରାଜା ସିଂହ ପୁଣି ଥରେ ଗିରଫ ହୋଇଛନ୍ତି। ବିଜେପିରୁ ନିଲମ୍ବିତ ବିଧାୟକଙ୍କୁ ଜାମିନ ମିଳିବା ପରେ ଲୋକେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ହାଇଦ୍ରାବାଦରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଛି। ଏଣୁ ତାଙ୍କୁ ପୁଲିସ ଆଜି ପୁଣି ଗିରଫ କରିଛି।
ନିଲମ୍ବିତ ବିଧାୟକଙ୍କୁ ଚଞ୍ଚୁଲାଗୁଡା ଜେଲ୍କୁ ସ୍ଥାନାନ୍ତର କରିବା ସୂଚନା ମିଳିଛି। ମାର୍ଚ୍ଚ ଓ ଏପ୍ରିଲରେ ଟି.ରାଜାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସେହି ମାମଲାକୁ ଆଧାର କରି ତାଙ୍କୁ ଆଜି ଗିରଫ କରାଯାଇଛି। ପ୍ରଫେଟ ମହମ୍ମଦ ବିବାଦ ସହ ଏହି କେସ୍ର କୌଣସି ସମ୍ପର୍କ ନଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ ହାଇଦ୍ରାବାଦ ପୁଲିସ ରାଜା ସିଂ ଜାମିନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ଟି.ରାଜା ସିଂହଙ୍କୁ ପୁଲିସ ଗିରଫ କରିଥିଲା। ପରେ ସନ୍ଧ୍ୟାରେ ତାଙ୍କୁ କୋର୍ଟରୁ ଜାମିନ ମିଳିଥିଲା। ଜାମିନ ମିଳିବା ପରେ ହାଇଦ୍ରାବାଦରେ ବିବାଦ ଅଧିକ ବଢ଼ିବାକୁ ଲାଗିଥିଲା। ଜାମିନ ବିରୋଧରେ ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାରି ଭିତରେ ରାଜା ସିଂଙ୍କ ଆଇନଜୀବୀଙ୍କୁ ଫୋନ କରି କିଛି ଦୁର୍ବୃତ୍ତ ଜୀବନରୁ ମାରିବାଦେବା ପାଇଁ ମଧ୍ୟ ଧମକ ଦେଇଥିଲେ।
ରାଜା ସିଂହଙ୍କୁ ଜାମିନ ମିଳିବା ପରେ ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ମୁସଲମାନ ରାସ୍ତାକୁ ଓହ୍ଲାଇ ଆସିଥିଲେ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ ନାରାବାଜୀ ଦେବା ସହ ବିକ୍ଷୋଭ କରିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା।
ଉଲ୍ଲେଖଯୋଗ୍ୟ, ବିଧାୟକ ରାଜା ସିଂ ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ କେସିଆର୍ ଜଣେ ନାସ୍ତିକ। ସେ ଭଗବାନରେ ବିଶ୍ୱାସ ରଖନ୍ତି ନାହିଁ। ଏଥିପାଇଁ ମୁନୱର ଫାରୁକିଙ୍କୁ ଶୋ’ କରିବା ପାଇଁ ଡାକିଛନ୍ତି। ତାଙ୍କୁ ସୁରକ୍ଷା ଦିଆଯାଉଛି କିନ୍ତୁ ରାମ ଭକ୍ତଙ୍କୁ ଲାଠି ଚାର୍ଜ କରାଯାଉଛି। ମୋ ଗିରଫଦାରୀ ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।