/odisha-reporter/media/post_attachments/uploads/2021/12/pushparaj.jpg)
pushparaj
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଏବେ ଆୟକର ବିଭାଗରେ ଘନଘନ ରେଡ୍ ଚାଲିଛି। ଉତ୍ତର ପ୍ରଦେଶର ପରଫ୍ୟୁମ୍ ବ୍ୟବସାୟୀ ପୀୟୂଷ ଜୈନଙ୍କ ପରେ ଏବେ ଆୟକର ବିଭାଗର ଟିମ୍ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନଙ୍କ ଘରେ ରେଡ୍ କରିଛି। ଉତ୍ତର ପ୍ରଦେଶର କନୌଜରେ ପୁଷ୍ପରାଜଙ୍କ ଘର ଓ ଫ୍ୟାକ୍ଟ୍ରୀରେ ଚଢ଼ାଉ କରାଯାଇଛି। ମୁମ୍ବାଇ ୟୁନିଟର ଆଇଟି ବିଭାଗ ଏହି ରେଡ୍ କରିଥିବା ଜଣାପଡ଼ିଛି। କେବଳ ପୁଷ୍ପରାଜ ଜୈନଙ୍କ ଘରେ ନୁହେଁ ନୋଏଡା ଓ କାନପୁର ସମେତ ପାଖାପାଖି ୫୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ସୂଚନା ଅନୁଯାୟୀ, ଆଇଟି ବିଭାଗର ଟିମ୍ ସକାଳ ୭ଟାରେ ପୁଷ୍ପରାଜଙ୍କ ଘରେ ପହଞ୍ଚିଥିଲା। ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛି। ସୂଚନାନୁସାରେ, କନୌଜରେ ଥିବା ଆୟକର ବିଭାଗ ଟିମ୍ ମଧ୍ୟ ସ୍ଥାନୀୟ ପୁଲିସଠାରୁ ଫୋର୍ସ ମାଗିଛି। ଏହା ପରେ କନୌଜ ପୁଲିସ ଆଇଟି ବିଭାଗକୁ ଏହି ଫୋର୍ସ ଯୋଗାଇ ଦେଇଛି। ଏହା ସହିତ ଆୟକର ବିଭାଗର ଏକ ଟିମ୍ ମଧ୍ୟ ୟାକୁବ ପରଫ୍ୟୁମରେ ଚଢ଼ାଉ କରୁଛି। ସୂଚନାନୁସାରେ, କମ୍ପାନୀର ମାଲିକଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ପୁଅର ନାମ ଫୌଜାନ। ଆୟକର ବିଭାଗ ଉଭୟ ବ୍ୟବସାୟୀଙ୍କ ୫୦ରୁ ଅଧିକ ସ୍ଥାନ ଉପରେ ଚଢ଼ାଉ କରିଛି। କାନପୁର ବ୍ୟତୀତ ନୋଏଡା, ସୁରଟ, ମୁମ୍ବାଇ ବ୍ୟତୀତ ଡିଣ୍ଡିଗାଲ (ତାମିଲନାଡୁ) ରେ ମଧ୍ୟ ଚଢ଼ାଉ କରାଯାଇଛି।
ପୀୟୂଷ ଜୈନଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ପୁଷ୍ପରାଜ ଚର୍ଚ୍ଚାରେ ଥିଲେ। ଯେତେବେଳେ ପୀୟୂଷ ଜୈନଙ୍କ ସହ ପୁଷ୍ପରାଜଙ୍କ ନାଁ ସାମ୍ନାକୁ ଆସିଲା, ସେତେବେଳେ ସେ ଖୋଦ୍ କହିଥିଲେ ଯେ ତାଙ୍କର ପୀୟୂଷ ଜୈନଙ୍କ ସହ କିଛି ସମ୍ପର୍କ ନାହିଁ। ଯେହେତୁ ଦୁହିଁଙ୍କ ନାଁ ଜୈନ ରହିଛି, ତେଣୁ ଉଭୟଙ୍କ ନାଁ ଏକାଠି ସାମ୍ନାକୁ ଆସିଥିଲା। ଏପରିକି ଦୁହିଁଙ୍କର ବ୍ୟବସାୟ ମଧ୍ୟ ସମାନ ଏବଂ ଉଭୟଙ୍କର ଗୋଟିଏ ଗଳିରେ ଘର ରହିଛି। ପୁଷ୍ପରାଜଙ୍କ ପ୍ରକୃତ ଅଫିସ୍ ମୁମ୍ବାଇରେ ଅଛି। ତାଙ୍କର ଏକ ପରଫ୍ୟୁମ୍ ବ୍ୟବସାୟ ମିଡଲ୍ ଇଷ୍ଟ କନୌଜରେ ରହିଛି।
କିଏ ପୁଷ୍ପରାଜ ଜୈନ: ୨୦୧୬ରେ ସେ ଇଟାୱା-ଫାରୁକାବାଦରୁ ଏମଏଲସି ଭାବେ ନିର୍ବାଚିତ ହୋଇଥିଲେ। ସେ ପ୍ରଗିତ ଅରୋମା ଅଏଲ୍ ଡିଷ୍ଟିଲର୍ସ ପ୍ରାଇଭେଟ୍ ଲିମିଟେଡର ସହମାଲିକ ଅଛନ୍ତି। ତାଙ୍କ ପିଚା ୧୯୫୦ରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ପୁଷ୍ପରାଜ ଓ ତାଙ୍କର ତିନି ଭାଇ କନୌଜରେ ବ୍ୟବସାୟ କରୁଛନ୍ତି ଏବଂ ସମସ୍ତେ ଏକାଠି ମଧ୍ୟ ରହୁଛନ୍ତି। ଏମଏଲସି ପୁଷ୍ପରାଜଙ୍କ ମୁମ୍ବାଇରେ ଏକ ଘର ଓ ଅଫିସ୍ ରହିଛି। ତାଙ୍କର ତିନି ଭାଇ ମଧ୍ୟରୁ ଦୁଇ ଜଣ ମୁମ୍ବାଇ ଅଫିସରେ କାମ କରନ୍ତି। ସେହିପରି ତୃତୀୟ ଭାଇ ଜଣକ କନୌଜରେ ତାଙ୍କ ସହ ମ୍ୟାନୁଫ୍ୟାକଚରିଂ ସେଟ୍-ଅପ୍ କାମ କରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
