Advertisment

ଜ୍ଞାନବାପୀ ମସଜିଦ ବିବାଦ: ବହିଷ୍କୃତ ହେବା ପରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ସର୍ଭେ କମିଶନର

ଲକ୍ଷ୍ନୌ: ଜ୍ଞାନବାପୀ ମସଜିଦର ସର୍ଭେ ମାମଲାରେ ବାରାଣାସୀ କୋର୍ଟ ଆଡଭୋକେଟ୍ କମିଶନର ଅଜୟ ମିଶ୍ରାଙ୍କୁ ବହିଷ୍କୃତ କରିଛନ୍ତି। ଅଜୟ ମିଶ୍ରା ସର୍ଭେ କମିଶନର ଭାବେ ମସଜିଦ ଭିତରର ଭିଡିଓଗ୍ରାଫି କରିଥିଲେ। ତେବେ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିବାରୁ ତାଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ ହୋଇ ନଥିବା ବେଳେ ମସଜିଦ ଭିତରୁ ଶିବଲିଙ୍ଗ ବାହାରିବା ଖବର ମିଡିଆରେ ଲିକ୍‌ ହୋଇଥିଲା। ଏଥିପାଇଁ ଅଜୟ ମିଶ୍ରାଙ୍କୁ ଦାୟୀ କରାଯାଇଛି। ତେବେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଜ୍ଞାନବାପୀ ମସଜିଦ ବିବାଦ: ବହିଷ୍କୃତ ହେବା ପରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ସର୍ଭେ କମିଶନର

ajya-mishra

ଲକ୍ଷ୍ନୌ: ଜ୍ଞାନବାପୀ ମସଜିଦର ସର୍ଭେ ମାମଲାରେ ବାରାଣାସୀ କୋର୍ଟ ଆଡଭୋକେଟ୍ କମିଶନର ଅଜୟ ମିଶ୍ରାଙ୍କୁ ବହିଷ୍କୃତ କରିଛନ୍ତି। ଅଜୟ ମିଶ୍ରା ସର୍ଭେ କମିଶନର ଭାବେ ମସଜିଦ ଭିତରର ଭିଡିଓଗ୍ରାଫି କରିଥିଲେ। ତେବେ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିବାରୁ ତାଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ ହୋଇ ନଥିବା ବେଳେ ମସଜିଦ ଭିତରୁ ଶିବଲିଙ୍ଗ ବାହାରିବା ଖବର ମିଡିଆରେ ଲିକ୍‌ ହୋଇଥିଲା। ଏଥିପାଇଁ ଅଜୟ ମିଶ୍ରାଙ୍କୁ ଦାୟୀ କରାଯାଇଛି

Advertisment

ତେବେ ବାରାଣସୀ କୋର୍ଟ ସର୍ଭେର ଅନ୍ୟ ଦୁଇ କମିଶନରଙ୍କୁ ରିପୋର୍ଟ ଦାଖଲ ପାଇଁ ଅତିରିକ୍ତ ଦୁଇ ଦିନର ସମୟ ଦେଇଛନ୍ତି। ସ୍ୱତନ୍ତ୍ର କମିଶନର ବିଶାଲ ସିଂହ ଓ ଅଜୟ ପ୍ରତାପ ସିଂହ ବର୍ତ୍ତମାନ ସର୍ଭେ ରିପୋର୍ଟ ସଂପୂର୍ଣ୍ଣ କରିବେ। ଅଜୟ ମିଶ୍ରା ଜ୍ଞାନବାପୀ ମସଜିଦର ସର୍ଭେ ପାଇଁ ଜଣେ ଭିଡିଓଗ୍ରାଫରଙ୍କୁ ନିଯୁକ୍ତି ଦେଇଥିଲେ।

ଏହି ଭିଡିଓଗ୍ରାଫର ଜଣଙ୍କ ହିଁ ନିୟମିତ ଭାବେ ମିଡିଆରେ ଖବର ଲିକ୍‌ କରି ଚାଲିଥିଲେ। ଏଥିପାଇଁ ଅଜୟ ମିଶ୍ରାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏହି ବହିଷ୍କାର ପରେ ଷଡ଼ଯନ୍ତ୍ର ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ରୀ ମିଶ୍ରା।

Advertisment

ସେ କହିଛନ୍ତି, “ମୁଁ ସର୍ଭେରେ ଯେଉଁ ଭିଡିଓ ଗ୍ରାଫରଙ୍କୁ ସାମିଲ କରିଥିଲି, ସେ ହିଁ ମୋତେ ଧୋକା ଦେଇଛନ୍ତି। ମୁଁ କୌଣସି ପ୍ରକାରର ଭୁଲ କରିନାହିଁ। ଏବେ ନୂଆ କରି ଆଡଭୋକେଟ କମିଶନର ହୋଇଥିବା ବିଶାଲ ସିଂହ ମୋ ସହ ଗର୍ଦ୍ଦାର କରିଛନ୍ତି। ସେ ମୋ ବିଶ୍ୱାସର ଫାଇଦା ଉଠାଇଛନ୍ତି।

ଗତକାଲି ରାତି ୧୨ଟା ଯାଏ ଆମେ ମିଳିତ ଭାବେ ରିପୋର୍ଟ ପ୍ରସ୍ତୁତ କରିଥିଲୁ। କିନ୍ତୁ ମୋ ବିରୋଧରେ ବିଶାଲ ସିଂହ ଷଡ଼ଯନ୍ତ୍ର କରୁଥିବା ମୁଁ ଆଦୌ ଭାବି ନଥିଲି। ମୁଁ ଅତ୍ୟନ୍ତ ମର୍ମାହତ। ମୁଁ କୌଣସି କଥାରେ ଭାସିଯିବା ଲୋକ ନୁହେଁ। ମୁଁ ସର୍ଭେ ସମ୍ପର୍କରେ କେବେ ବି କାହାକୁ କିଛି କହିବି ନାହିଁ। ବିଶାଲ ସିଂହଙ୍କ ଅଭିଯୋଗକ୍ରମେ ମୋତେ କାର୍ଯ୍ୟରୁ ହଟା ଯାଇଛି।”

ଆଜି କୋର୍ଟରେ ଶୁଣାଣି ବେଳେ ବିଶାଲ ସିଂହ କହିଥିଲେ ଯେ “ଅଜୟ ମିଶ୍ରାଙ୍କ ସର୍ଭେକୁ ନେଇ ମୁଁ ଗୋଟିଏ ପିଟିସନ ଦାଖଲ କରୁଛି। ଅଜୟ ମିଶ୍ରାଙ୍କ ଦ୍ୱାରା ନିଯୁକ୍ତ ଭିଡିଓଗ୍ରାଫର ସର୍ଭେ ସମ୍ପର୍କରେ ମିଡିଆରେ ତଥ୍ୟ ଲିକ୍‌ କରିଥିଲେ। ଏଥିସହ ସେ ନିୟମିତ ଭାବେ ସର୍ଭେ ସମ୍ପର୍କରେ ଗୁଜବ ପ୍ରଚାର କରି ଚାଲିଥିଲେ। ମୁଁ ଏକଥା ପୂର୍ଣ୍ଣ ଦାୟିତ୍ୱର ସହ କହୁଛି। ମୁଁ ପ୍ରସ୍ତୁତ କରିବାକୁ ଯାଉଥିବା ରିପୋର୍ଟ ସଂପୂର୍ଣ୍ଣ ନିରପେକ୍ଷ ରହିବ।”

ଏହାପରେ ଅଜୟ ମିଶ୍ରାଙ୍କୁ କୋର୍ଟ ସର୍ଭେ ଆଡଭୋକେଟ କମିଶନର ପଦରୁ ବହିଷ୍କୃତ କରିଥିଲେ।

ସୂଚନାଯୋଗ୍ୟ, ସର୍ଭେର ଶେଷ ଦିନ ଅର୍ଥାତ ସୋମବାର ହିନ୍ଦୁ ଆବେଦନକାରୀଙ୍କ ଓକିଲ ଦାବି କରିଥିଲେ ଯେ ମସଜିଦରେ ଥିବା ପୋଖରୀରୁ ଗୋଟିଏ ଶିବଲିଙ୍ଗ ବାହାରିଛି। ଏହି ପୋଖରୀକୁ ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପୂର୍ବରୁ ୱଜୁ ପାଇଁ ବ୍ୟବହାର କରନ୍ତି। ଏହି ଖବର ଗଣମାଧ୍ୟମରେ ଘନଘନ ପ୍ରଚାର ହେବାରେ ଲାଗିଥିଲା।

କିନ୍ତୁ ମସଜିଦ ମ୍ୟାନେଜମେଣ୍ଟ କମିଟି ଏହାକୁ ଖଣ୍ଡନ କରିଥିଲା। ସର୍ଭେ ବେଳେ ଠାବ ହୋଇଥିବା ବସ୍ତୁଟି ୱାଟର ଫାଉଣ୍ଟେନ ମେକାଜିମର ଅଂଶବିଶେଷ। ଏହା ଶିବଲିଙ୍ଗ ନୁହେଁ ବୋଲି କମିଟି କହିଛି। ତଥାପି କୋର୍ଟ ସନ୍ଦେହଜନକ ବସ୍ତୁ ମିଳିଥିବା ସ୍ଥାନକୁ ସିଲ୍‌ କରିବାକୁ କହିଥିଲେ।

Gyanvapi Masjid