India
କୋଲକାତା: ପ୍ରେମିକାଙ୍କୁ ବିବାହ କରିବାକୁ ବେଆଇନ ଭାବେ ଭାରତରୁ ସୀମା ଡେଇଁ ବାଂଲାଦେଶ ଯିବା ଜଣେ ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି। ବାଂଲାଦେଶର ବିବାହ କରି ଭାରତ ଫେରିବା ପରେ ବିଏସ୍ଏଫ ଯବାନମାନେ ଦମ୍ପତିଙ୍କୁ ଗିରଫ କରିଛନ୍ତି। ସେମାନେ ବେଆଇନ ଭାବେ ସୀମା ପାର କରିଥିବାରୁ ଉଭୟଙ୍କୁ ଗିରଫ କରାଯାଇଛି।
ପଚରାଉଚରା ବେଳେ ସେମାନେ ନବବିବାହିତ ବୋଲି କହିଛନ୍ତି। ଉଭୟଙ୍କ ଦେଖା ଅନଲାଇନ ଜରିଆରେ ହୋଇଥିଲା। ଏହାପରେ ଏହି ଦେଖା ସାକ୍ଷାତ ପ୍ରେମ ଓ ଶେଷରେ ସୀମା ବିବାହର ରୂପ ନେଇଛି।
ଗିରଫ ଭାରତୀୟ ଜଣଙ୍କ ହେଉଛନ୍ତି ୨୪ ବର୍ଷୀୟ ଜାଇକାନ୍ତ ଚନ୍ଦ୍ର ରାୟ। ତାଙ୍କ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ବଲ୍ଲଭପୁର ଗାଁରେ। ବାଂଲାଦେଶୀ ଯୁବତୀ ଜଣଙ୍କ ହେଉଛନ୍ତି ପରିଣୀତି(ଛଦ୍ମନାମ)। ତାଙ୍କ ଘର ବାଂଲାଦେଶର ନେରଲିରେ। ଜୁନ୍ ୨୬ରେ ଗୁଇନ୍ଦା ସୂଚନା ମିଳିବା ପରେ ମାଧୁପର ସୀମାରେ ମୁତୟନ ୮୨ ବାଟାଲିୟନ ଯବାନମାନେ ଆଲର୍ଟ ହୋଇଯାଇଥିଲେ।
ଅପରାହ୍ନ ୪.୧୫ରେ ଦମ୍ପତିଙ୍କୁ ଯବାନମାନେ ସୀମାନ୍ତ ରାସ୍ତାରେ ଠାବ କରିଥିଲେ। ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପରେ ପରିଚୟ ସାର୍ବଜନୀନ କରିବାକୁ କହିଥିଲେ। ଯୁବକ ଜଣଙ୍କ ନିଜକୁ ଭାରତୀୟ ବୋଲି କହିଥିବା ବେଳେ ଯୁବତୀ ଜଣଙ୍କ ନିଜର ପରିଚୟ ସାର୍ବଜନୀନ କରି ନଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ନିଜ ହେପାଜତକୁ ନେଇ ଯାଇଥିଲେ।
ଜେରା ବେଳେ ଜାଇକାନ୍ତ କହିଛନ୍ତି, ସେ ଓ ପରିଣୀତି ପରସ୍ପରକୁ ଫେସବୁକରେ ଭେଟିଥିଲେ। ମାର୍ଚ୍ଚ ୮ ତାରିଖରେ ସେ ବ୍ରୋକର ଅପ୍ପୁ ସହାୟତାରେ ବାଂଲାଦେଶରେ ପ୍ରବେଶ କରିଥିଲେ। ମାର୍ଚ୍ଚ ୧୦ରେ ସେ ପରିଣୀତିଙ୍କୁ ବିବାହ କରି ଜୁନ୍ ୨୫ ଯାଏ ବାଂଲାଦେଶରେ ହିଁ ରହିଥିଲେ।
ପରିଣୀତି ତାଙ୍କ ବିବୃତିରେ କହିଛି ଯେ ସେ ବାଂଲାଦେଶ ନାଗରିକ। ଏବେ ସେ ତାଙ୍କ ସ୍ୱାମୀ ଜାଇକାନ୍ତଙ୍କ ସହ ଭାରତ ଯାଉଛନ୍ତି। ସେମାନେ ବାଂଲା ମୁଦ୍ରା ୧୦ ହଜାର ଟାକା ରାଜୁ ମଣ୍ଡଳ ନାମକ ବ୍ୟକ୍ତିଙ୍କୁ ଦେବା ପରେ ସେ ଉଭୟଙ୍କୁ ସୀମା ପାର କରିବାରେ ସହଯୋଗ କରିଥିଲେ।
ବିଏସ୍ଏଫ ଯବାନ ଓ ପୁଲିସ୍ ପକ୍ଷରୁ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରାଯାଉଛି। ସୀମାରେ ଏଭଳି ଅନୁପ୍ରବେଶ ରୋକିବାକୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଥିଲେ ହେଁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/India-2.jpg)