ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିବାରେ ଲାଗିଛନ୍ତି। ଆଜି ଦିଲ୍ଲୀରେ ୨୦୮ ଜଣ ଓ ମୁମ୍ବାଇରେ ୧୮୩ ଜଣ ଭାରତୀୟ ଅବତରଣ କରିଛନ୍ତି। ୟୁକ୍ରେନରେ ଯୁଦ୍ଧ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବାରୁ ଯିଏ ଯେମିତି ପାଉଛି, ସେମିତି ନିଜ ଜୀବନ ରକ୍ଷା କରିବାକୁ ଉଦ୍ୟମ କରୁଛି।
ତେବେ ଯୁଦ୍ଧ ସମୟରେ ଭାରତୀୟ ଶିକ୍ଷାର୍ଥୀମାନେ ନିଜର ମାନବିକତା ଭୁଲି ନାହାନ୍ତି। ସେମାନେ ୟୁକ୍ରେନରେ ରହୁଥିବା କିଛି ପୋଷା କୁକୁର ଓ ବିଲେଇଙ୍କୁ ବିମାନ ଯୋଗେ ଭାରତ ଆଣିଛନ୍ତି। ଯୁଦ୍ଧ ଯୋଗୁ ସେମାନେ ସାଧାରଣ ଲୋକଙ୍କ ଭଳି ଭୟରେ ଜୀବନ କାଟୁଥିଲେ। ଏବେ ସେମାନଙ୍କୁ ଯୁଦ୍ଧ ବିପଦରୁ ଉଦ୍ଧାର କରିବା ପାଇଁ ଶିକ୍ଷାର୍ଥୀମାନେ ଏପରି ପଦକ୍ଷେପ ନେଇଛନ୍ତି।
ଆଜି ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଧରି ପୋଲାଣ୍ଡରୁ ବାୟୁସେନାର ସି-୧୭ ବିମାନ ହିଣ୍ଡନ ଏୟାରପୋର୍ଟରେ ପହଞ୍ଚିଛି। ଏହି ସମୟରେ ଅନେକ ଶିକ୍ଷାର୍ଥୀ ନିଜ ସହ ପୋଷା ପଶୁମାନଙ୍କୁ ଭାରତ ଆଣିଥିବା ଦେଖିବାକୁ ମିଳିଛି। କେହି କି ନିଜ ସହ କୁକୁର ଆଣିଥିବା ବେଳେ ଆଉ କେହି ବିଲେଇକୁ ଧରି ଆସିଛନ୍ତି।
ୟୁକ୍ରେନରୁ ଆସିଥିବା ଜଣେ ଛାତ୍ର ଜାହିଦ କହିଛନ୍ତି, “ମୁଁ ୟୁକ୍ରେନରୁ ମୋ ସାଙ୍ଗର କୁକୁରକୁ ଭାରତ ଆଣିଛି। ପୂର୍ବରୁ ଯେଉଁମାନଙ୍କ କୁକୁର ପାଳିଥିଲେ ଯୁଦ୍ଧ ଯୋଗୁ ସେମାନଙ୍କୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି। ହେଲେ ମୁଁ ଏହି କୁକୁରକୁ ନିଜ ସହ ଏଠାକୁ ନେଇ ଆସିଛି।”
ଗୌତମ ନାମ ଆଉ ଜଣେ ଛାତ୍ର ନିଜ ସହ ବିଲେଇ ନେଇ ଭାରତ ଆସିଛନ୍ତି। ସେ କହିଛନ୍ତି, “ଏହି ବିଲେଇଟି ମୋ ସହ ୪ ମାସ ହେଲା ରହି ଆସିଛି। ମୁଁ ବଙ୍କରରେ ଥିବା ବେଳେ ବି ସେ ମୋ ସହ ଥିଲା। ଆମେ ଏକାଠି ପୋଲାଣ୍ଡ ଆସିଥିଲୁ।”
ଗୌତମ କିଭରୁ ପ୍ରଥମେ ପୋଲାଣ୍ଡ ଓ ଏହାପରେ ଭାରତ ଆସିଛନ୍ତି। କେବଳ ଗୌତମ କିମ୍ବା ଜାହିଦ ନୁହନ୍ତି, ଅନେକ ଭାରତୀୟ ଶିକ୍ଷାର୍ଥୀ ନିଜ ସହ କୁକୁର ଓ ବିଲେଇମାନଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସୁରକ୍ଷିତ ଭାବେ ଭାରତ ଆଣିଛନ୍ତି।