ଜେଲ୍‌ ଡିଜିଙ୍କ ହତ୍ୟାକାରୀ ୟାସିର୍‌ ଅହମ୍ମଦ ଗିରଫ

ଶ୍ରୀନଗର: ଗିରଫ ହେଲା ଜମ୍ମୁ କଶ୍ମୀର ପୁଲିସ ଜେଲ୍‌ ମହାନିର୍ଦ୍ଦେଶକ ହେମନ୍ତ ଲୋହିଆଙ୍କ ହତ୍ୟା ଅଭିଯୁକ୍ତ ୟାସିର ଅହମ୍ମଦ। ତାକୁ ଜମ୍ମୁର କାନାଚାକ ଅଞ୍ଚଳରୁ ପୁଲିସ ଗିରଫ କରିଛି। ସେ ଏକ ଚାଷ ଜମି ଭିତରେ ଲୁଚି ରହିଥିଲା ବୋଲି ପୁଲିସ କହିଛି। ଜେଲ୍‌ ଡିଜି ହେମନ୍ତ ଲୋହିଆଙ୍କୁ ମୃତଦେହ ଉଦୟବାଲା ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଆଜି ସକାଳୁ ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ଶରୀରର […]

yasir-arrested

yasir-arrested

Madhupriya Mistry
  • Published: Tuesday, 04 October 2022
  • Updated: 04 October 2022, 02:15 PM IST

ଶ୍ରୀନଗର: ଗିରଫ ହେଲା ଜମ୍ମୁ କଶ୍ମୀର ପୁଲିସ ଜେଲ୍‌ ମହାନିର୍ଦ୍ଦେଶକ ହେମନ୍ତ ଲୋହିଆଙ୍କ ହତ୍ୟା ଅଭିଯୁକ୍ତ ୟାସିର ଅହମ୍ମଦ। ତାକୁ ଜମ୍ମୁର କାନାଚାକ ଅଞ୍ଚଳରୁ ପୁଲିସ ଗିରଫ କରିଛି। ସେ ଏକ ଚାଷ ଜମି ଭିତରେ ଲୁଚି ରହିଥିଲା ବୋଲି ପୁଲିସ କହିଛି।

ଜେଲ୍‌ ଡିଜି ହେମନ୍ତ ଲୋହିଆଙ୍କୁ ମୃତଦେହ ଉଦୟବାଲା ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଆଜି ସକାଳୁ ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ରହିଛି। ତାଙ୍କ ଶବ ଜଳାଇ ଦେବାକୁ ଅଭିଯୁକ୍ତ ଚେଷ୍ଟା ମଧ୍ୟ କରିଛି।

ପୁଲିସ ମୁତାବକ, ଚାକର ୟାସିର ଜେଲ୍‌ ଡିଜିଙ୍କୁ ହତ୍ୟା କରିବା ପରେ ଫେରାର ଥିଲା। ପୁଲିସ ତାକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ରାତିରୁ ଅଭିଯୁକ୍ତଙ୍କ ସନ୍ଧାନରେ ଏହି ସର୍ଚ୍ଚ ଅପରେସନ ଜାରି ରହିଥିଲା ବୋଲି ଏଡିଜିପି ମୁକେଶ ସିଂହ କହିଛନ୍ତି। ଶେଷରେ କାନାଚାକ୍ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି।

ଜମ୍ମୁ ଏଡିଜିପି ମୁକେଶ ସିଂହଙ୍କ ମୁତାବକ, ଘଟଣାର ତୁରନ୍ତ ପରଠାରୁ ଚାକର ଫେରାର ଥିଲା। ତେଣୁ ଡିଜିଙ୍କୁ ଅନ୍ୟ କେହି ନୁହେଁ ବରଂ ଚାକର ହିଁ ଗଳାକାଟି  ଅତି ଦୟନୀୟ ଭାବେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ଚାକରର ଫଟୋ ଗଣମାଧ୍ୟମ ଜରିଆରେ ସର୍ବସାଧାରଣ ତଥା ସବୁ ରାଜ୍ୟର ପୁଲିସକୁ ଜାରି କରିଦିଆଯାଇଥିଲା। ୟାସିର ଡିଜିଙ୍କ ଘରେ ୬ ମାସ ଧରି କାମ କରିଆସୁଥିଲା ।

ସେ ତା' ଆଚରଣରେ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା ଏବଂ ସୂତ୍ର ଅନୁସାରେ ସେ ଡିପ୍ରେସନରେ ଶିକାର ମଧ୍ୟ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ କୌଣସି ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିନାହିଁ। ତେବେ ଆତଙ୍କବାଦୀ ଲିଙ୍କ୍ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେଥିପାଇଁ ପୁଲିସ ମଧ୍ୟ ଏହି ଦିଗରୁ ତଦନ୍ତ କରୁଛି ବୋଲି ଏଡିଜିପି ମୁକେଶ ସିଂହ କହିଛନ୍ତି।

ଡିଜିଙ୍କ ହତ୍ୟାରେ ବ୍ୟବହୃତ ହତିଆରକୁ ମଧ୍ୟ ପୁଲିସ ଜବତ କରିଛି। କିଛି ଏଭଳି ଦସ୍ତାବିଜ ହାତରେ ଲାଗିଛି, ଯେଉଁଥିରୁ ୟାସିରର ମାନସିକ ସ୍ଥିତି ଠିକ୍‌ ନଥିବା ପ୍ରମାଣ ମିଳିଛି। ପୁଲିସ ଆଖପାଖରୁ କିଛି ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି। ଏଥିରେ ଅଭିଯୁକ୍ତ ଘଟଣା ଘଟାଇବା ପରେ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଜେଲ ଡିଜି ହେମନ୍ତ ଲୋହିଆ ସୋମବାର ରାତ୍ରି ଭୋଜନ ସାରିବା ପରେ ତାଙ୍କ ଗୋଡରେ ଏକ କ୍ଷତ ହୋଇଥିବାରୁ ସେଥିରେ ମଲମ ଲଗାଇଦେବାକୁ ଚାକର ୟାସିରକୁ କହିଥିଲେ । ୟାସିର ମଲମ ଲଗାଇବା ପରେ ତାଙ୍କୁ ଅଚାନକ ଆକ୍ରମଣ କରିଥିଲା। ଏକ ସସ୍ ବୋତଲ କାଚରେ ତାଙ୍କ ଗଳାକାଟିବା ସହ ତକିଆରେ ନିଆଁ ଲଗାଇ ତାଙ୍କୁ ପୋଡି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲା।

ରୁମରୁ ଧୁଆଁ ବାହାରୁଥିବା ଦେଖି ବାହାରେ ଥିବା ଗାର୍ଡ କବାଟ ବାଡେଇଥିଲେ । ହେଲେ କବାଟ ଭିତରପଟୁ ବନ୍ଦ ଥିବାରୁ ସହଜରେ ଖୋଲିନଥିଲା। କବାଟ ଭାଙ୍ଗି ରୁମରେ ପଶିବା ବେଳକୁ ଅତ୍ୟଧିକ ରକ୍ତସ୍ରାବ ସହ ନିଆଁରେ ପୋଡି ଜେଲ୍‌ ଡିଜିଙ୍କ ମୃତ୍ୟୁ ହୋଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos