/odisha-reporter/media/post_attachments/uploads/2021/04/kumbha-mela-1.jpg)
kumbha-mela
ନୂଆଦିଲ୍ଲୀ: କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶେଷ ହେଲା କୁମ୍ଭ ମେଳା। ଜୁନା ଆଖଡ଼ା ଆନୁଷ୍ଠାନିକ ଭାବରେ ଏହି ମେଳା ବନ୍ଦ କରିବାକୁ ଘୋଷଣା କରିଛି। ଆଖଡା ପରିଷଦର ସଭାପତି ଏବଂ ନିରଞ୍ଜନ ଆଖଡାର ମୁଖ୍ୟ ନରେନ୍ଦ୍ର ଗିରିଙ୍କ ସମେତ ସମସ୍ତ ଆଖଡାର ଅନେକ ସାଧୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ କୁମ୍ଭ ମେଳା ସ୍ଥଗିତ ରଖାଯାଇଛି।
ଏପ୍ରିଲ ୫ରୁ କୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ୧୪ ଏପ୍ରିଲ ମଧ୍ୟରେ ୬୮ ସାଧୁ ସନ୍ଥ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହାକୁମ୍ବୁର ତିନିଟି ଶାହୀ ସ୍ନାନ - ମହାଶିବତ୍ରୀ, ସୋମବତୀ ଅମାବାସ୍ୟା ଏବଂ ବୈଶାଖୀ ସମାପନ ହୋଇସାରିଛି। ଏବେ ରାମନବମୀ ଅବସରରେ ଅନ୍ତିମ ସ୍ନାନ ହେବାକୁ ବାକି ଅଛି।
କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ମେଳା ଶେଷ ହୋଇଛି ବୋଲି ଜୁନା ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, 'ଆମର ପ୍ରଥମ ପ୍ରାଥମିକତା ହେଉଛି ଦେଶର ଲୋକଙ୍କ ଜୀବନ ରକ୍ଷା କରିବା। କରୋନା ମହାମାରୀର ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ଠାକୁରଙ୍କୁ ବିସର୍ଜନ କରାଯାଇଛି ବୋଲି ସେ କହିଛନ୍ତି।
ଆଜି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଥିଲେ ଯେ ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରିଙ୍କ ସହ ସେ ଫୋନରେ କଥା ହୋଇଥିଲେ। ସମସ୍ତ ସାଧୁଙ୍କ ସ୍ୱାସ୍ଥ୍ୟ ବାବଦରେ ମଧ୍ୟ ପଚାରି ବୁଝିଥିଲେ। ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା ଦେଉଥିବାରୁ ସାଧୁ ସନ୍ଥଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ।
ଏହାପରେ ଜୁନା ଆଖଡ଼ା କୁମ୍ବ ମେଳା ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ହରିଦ୍ୱାର କୁମ୍ଭରେ ଥିବା ୧୩ ସାଧୁ ସନ୍ଥଙ୍କ ମଧ୍ୟରୁ ନିରଞ୍ଜନ ଆଖଡା ଗୁରୁବାର ଏହି କାର୍ଯ୍ୟକ୍ରମରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ।
କରୋନା ସଂକ୍ରମଣର ହଟସ୍ପଟ ଏବେ ହରିଦ୍ୱାରର କୁମ୍ଭ ମେଳା ପାଲଟିଛି। ତେଣୁ ଗୁଜୁରାଟ, ମଧ୍ୟପ୍ରଦେଶ ସରକାର ମଧ୍ୟ କୁମ୍ଭ ମେଳାରୁ ଫେରୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ମଧ୍ୟପ୍ରଦେଶ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ କୁମ୍ଭ ଫେରନ୍ତା କ୍ୱାରେଣ୍ଟାଇନରେ ରହିବାକୁ ହେବ। ଏମିତିକି ନିଜ ନିଜ ଜିଲ୍ଲାରେ ପହଞ୍ଚିବା ପରେ କୁମ୍ଭ ଫେରନ୍ତା ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଆଜି ହରିଦ୍ୱାରର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, 'କୁମ୍ଭ ମେଳାରେ ଯୋଗ ଦେଇଥିବା ୧୭୫ ସାଧୁ କରୋନା ପଜିଟିଭ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ୨୨୯ ସାଧୁ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିବା ବେଳେ ଉତ୍ତରାଖଣ୍ଡରେ ୨୭୫୭ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଡେରାଡୁନରେ ୧୧୭୯ ଏବଂ ହରିଦ୍ୱାରରେ ୬୧୭ ଟି ମାମଲା ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୧,୪୦୩କୁ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
