/odisha-reporter/media/post_attachments/uploads/2021/05/LockDown-6.jpg)
LockDown
ଚେନ୍ନାଇ: ମହାମାରୀ କରୋନା ସଂକ୍ରମଣ ଉପରେ ବ୍ରେକ ଲାଗୁ ନଥିବାରୁ ଆଜି ତାମିଲନାଡୁ ସରକାର ଜୁନ୍ ୭ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଲାଗୁ ଲକଡାଉନ ଅବଧି ୩୧ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାକୁ ଜୁନ୍ ୭ ଯାଏ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବୃଦ୍ଧି କରିଛନ୍ତି।
ଲକଡାଉନ ବେଳେ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀମାନେ ଗାଡ଼ିରେ ବୁଲି ଏହା ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି।
ଏମକେ ଷ୍ଟାଲିନ କହିଛନ୍ତି, “ରାଜ୍ୟରେ ଜାରି ସଂପୂର୍ଣ୍ଣ ଲକଡାଉନ ୩୧ ତାରିଖରେ ସରିବାର ଥିଲା। ତେବେ ଜିଲ୍ଲାସ୍ତରରେ କୋଭିଡର ପ୍ରକୋପ କମି ନଥିବାରୁ ଓ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଏହି ଲକଡାଉନ ଅବଧିକୁ ଆଉ ସପ୍ତାହେ ବୃଦ୍ଧି କରାଯାଉଛି। ଲକଡାଉନ ବେଳେ ଫଳ ଓ ପନିପରିବା ବିକ୍ରି ପୂର୍ବଭଳି ଜାରି ରହିବ।
ତେବେ ସ୍ଥାନୀୟ ଷ୍ଟୋରଗୁଡ଼ିକ ସେମାନଙ୍କ ମଟର ଗାଡ଼ି କିମ୍ବା ଠେଲା ଗାଡ଼ିରେ ବୁଲିବୁଲି ସାମଗ୍ରୀ ବିକ୍ରି କରିବାକୁ ଏଥର ଅନୁମତି ଦିଆଯାଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଆଣିବାକୁ ପଡ଼ିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଏପରି ବିକ୍ରି କରାଯାଇ ପାରିବ।
ଏହି ସମୟ ମଧ୍ୟରେ ଅନଲାଇନ ଦ୍ୱାରା କାରବାର ଜାରି ରହିବ। ସମସ୍ତ ପିଡିଏସ୍ କେନ୍ଦ୍ରରେ କାର୍ଡଧାରୀଙ୍କୁ ୧୩ ପ୍ରକାରର ଗ୍ରୋସରୀ ସାମଗ୍ରୀ ଜୁନ୍ ମାସ ପାଇଁ ମାଗଣାରେ ଯୋଗାଇ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି।” ଲକଡାଉନକୁ ପାଳନ କରି କରୋନାକୁ ହରାଇବା ଦିଗରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
