old-man
ରୋହତକ: ସରକାରୀ ରେକର୍ଡ ଅନୁସାରେ ଜଣେ ଶତାୟୁ ବୃଦ୍ଧ ପ୍ରାଣ ହରାଇ ସାରିଛନ୍ତି। ଏଥିପାଇଁ ସରକାର ତାଙ୍କୁ ମାର୍ଚ୍ଚ ମାସରୁ ଦେଉଥିବା ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ବନ୍ଦ କରି ଦେଇଛନ୍ତି। ହେଲେ ବାସ୍ତବରେ ବୃଦ୍ଧ ଜଣଙ୍କ ବଞ୍ଚିଛନ୍ତି। ବାରମ୍ବାର ସେ ସରକାରଙ୍କୁ ବଞ୍ଚିଥିବା କହୁଥିଲେ ବି କେହି ବି ତାଙ୍କ କଥା ଶୁଣି ନଥିଲେ।
ଶେଷରେ ଏବେ ସେ ବଞ୍ଚିଥିବାର ପ୍ରମାଣ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରଥରେ ବସି ୧୦୨ ବର୍ଷୀୟ ବୃଦ୍ଧ ଜଣଙ୍କ ବିକ୍ଷୋଭ କରିବା ସହ ସରକାରଙ୍କୁ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ହରିଆଣାର ଏହି ୧୦୨ ବର୍ଷୀୟ ବୃଦ୍ଧ ଜଣଙ୍କ ବୁଧବାର ସର୍ବସମ୍ମୁଖକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ରୋହତକରେ ରହୁଥିବା ଦୁଲି ଚାନ୍ଦ ମିଡିଆ ସାମ୍ନାକୁ ଆସି ବଞ୍ଚିଥିବାର ପ୍ରମାଣ ଦେଇଛନ୍ତି। ଏହାପରେ ସେ ଗୋଟିଏ ରଥରେ ବସି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ସେ ସରକାରଙ୍କୁ ଯଥାଶୀଘ୍ର ବନ୍ଦ ରହିଥିବା ଭତ୍ତା ଟଙ୍କା ଦେବାକୁ ମଧ୍ୟ କହିଛନ୍ତି।
ଶ୍ରୀ ଚାନ୍ଦ କହିଛନ୍ତି, “ମୁଁ ଶେଷଥର ପାଇଁ ମୋର ବାର୍ଦ୍ଧକ୍ୟ ଭତ୍ତା ମାର୍ଚ୍ଚ ମାସରେ ପାଇଥିଲି। ଏହାପରେ ସରକାରୀ ରେକର୍ଡରେ ମୋତେ ମୃତ ଦର୍ଶାଯାଇଛି। ମୋ ଭତ୍ତାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମୁଁ ବଞ୍ଚିଥିବା ସରକାରଙ୍କୁ ବାରମ୍ବାର ଜଣାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ମିଳି ନଥିଲା। ତେଣୁ ମୁଁ ସର୍ବସମ୍ମୁଖକୁ ଆସି ବଞ୍ଚିଥିବାର ପ୍ରମାଣ ଦେଇଛି।”
ସେ ନିଜର ପରିଚୟ ସମସ୍ତଙ୍କୁ ଜଣାଇବା ପାଇଁ ଆଧାର କାର୍ଡ, ପାନ କାର୍ଡ, ପରିବାର ଆଇଡି ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ମିଡିଆ ଆଗରେ ପ୍ରଦର୍ଶିତ କରିଛନ୍ତି। ଚାନ୍ଦଙ୍କ ନାତି ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଠୋରେ ଅଭିଯୋଗ କରିଥିଲେ। ମାସେ ହେଲାଣି ବିଭିନ୍ନ ସରକାରୀ ଅଫିସକୁ ଯାଇ ମଧ୍ୟ ସେ ଜଣାଇଥିଲେ। କିନ୍ତୁ କୌଣସି ପ୍ରକାରର ଲାଭ ମିଳି ନାହିଁ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/old-man.jpg)