/odisha-reporter/media/post_attachments/uploads/2022/11/socialMedia.jpg)
socialMedia
କାନପୁର: ସୋଶାଲ ମିଡିଆରେ ନକଲି ପରିଚୟ ଓ ଫଟୋ ଦେଖାଇ ବିହାରର ଜଣେ ହିନ୍ଦୁ ଯୁବତୀଙ୍କ ସହ ବନ୍ଧୁତା ରଖିଥିବା ୫୦ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। ଏହି ବ୍ୟକ୍ତି ଜଣକ ଯୁବତୀଙ୍କୁ ଚାକିରି ଦେବା ନାଁରେ ହୋଟେଲକୁ ଡାକି ଅସଦାଚରଣ କରିଥିଲା। କିନ୍ତୁ ଠିକଣା ସମୟରେ ପୁଲିସ୍ ପହଞ୍ଚି ଅଭିଯୁକ୍ତ ୫୦ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ହେଲା ୫୦ ବର୍ଷୀୟ ଶେହନଶାହ ଆଲାମ। ତା’ ଘର ବିନ୍ଧନୁର କାଥାରା ଅଞ୍ଚଳରେ। ସେ କିଛି ମାସ ତଳେ ସୋଶାଲ ମିଡିଆ ଜରିଆରେ ନକଲି ଫଟୋ ଓ ନକଲି ପରିଚୟ ଦେଇ ବିହାରର ଜଣେ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା।
ବନ୍ଧୁତା ବେଳେ ଶେହନଶାହ ଯୁବତୀଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେବା ସହ କାନପୁରରେ ଚାକିରି କରାଇ ଦେବାର ଲୋଭ ବି ଦେଖାଇଥିଲା। ଏତେ ସବୁ ପରେ ମଧ୍ୟ ସେ ନିଜ ଧର୍ମକୁ ଯୁବତୀଙ୍କ ଆଗରେ ସାର୍ବଜନୀନ କରି ନଥିଲା।
ଶନିବାର ଦିନ ଶେହନଶାହ ଯୁବତୀଙ୍କୁ ଯୋଗାଯୋଗ କରିବା ସହ ଚାକିରି କରାଇ ଦେବା ନାଁରେ କୋପେରଗଞ୍ଜ ଅଞ୍ଚଳରେ ଥିବା ଗୋଟିଏ ହୋଟେଲକୁ ଡାକିଥିଲା। ଯୁବତୀ ଜଣଙ୍କ ବି ତା’ କଥାରେ ରାଜି ହୋଇ ହୋଟେଲରେ ପହଞ୍ଚିଥିଲେ। ଏହି ସମୟରେ ଶେହନଶାହ ମାସ୍କ ପିନ୍ଧିଥିଲା।
ଯୁବତୀ ଜଣଙ୍କ ହୋଟେଲ ରୁମକୁ ଆସିବା କ୍ଷଣି ଶେହନଶାହ ତୁରନ୍ତ ଲାଇଟ ଅଫ କରି ଅସଦାଚରଣ କରିବା ଆରମ୍ଭ କରିଥିଲା। ନିଜକୁ ଅସହଜ ଅନୁଭବ କରି ଯୁବତୀ ଜଣଙ୍କ ତୁରନ୍ତ ଲାଇଟକୁ ଅନ କରି ଦେଇଥିଲେ। ଏହି ସମୟରେ ତାଙ୍କ ସାମ୍ନାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଦେଖି ସେ ଚକିତ ହୋଇଯାଇଥିଲେ।
କାରଣ ସୋଶାଲ ମିଡିଆ ଆକାଉଣ୍ଟରେ ଯେଉଁ ଫଟୋ ଦେଖି ଯୁବତୀ ଜଣଙ୍କ ଆସିଥିଲେ, ରୁମରେ ଆଉ ଜଣେ ରହିଥିବା ସେ ଜାଣିବାକୁ ପାଇଥିଲେ। ଯୁବତୀ ଜଣଙ୍କ ଚିତ୍କାର କରିବାରୁ ହୋଟେଲ କର୍ମଚାରୀମାନେ ୧୧୨କୁ ଫୋନ କରି ପୁଲିସ୍କୁ ଖବର ଦେଇଥିଲେ। ବଜରଙ୍ଗ ଦଳ କର୍ମୀମାନେ ମଧ୍ୟ ହୋଟେଲ ଆସି ପାଟିତୁଣ୍ଡ କରିଥିଲେ।
ସ୍ଥାନୀୟ ଏସ୍ପି ଟିଭି ସିଂହ କହିଛନ୍ତି, ଗିରଫ ଶେହନଶାହ ଆଲାମ ଜଣେ ବାଇକ ମେକାନିକ। ଯୁବତୀ ଜଣଙ୍କ ଘର ବିହାରର ମୋତିହାରି ଜିଲ୍ଲାରେ। ୩ ମାସ ତଳେ ଯୁବତୀ ଜଣଙ୍କ ଫେସବୁକରେ ଅଭଯୁକ୍ତର ଯୋଗାଯୋଗରେ ଆସିଥିଲେ। ଫେସବୁକରେ ଅଭିଯୁକ୍ତ ଜଣକ ନିଜକୁ ସଚିନ ଶର୍ମା ବୋଲି ପରିଚୟ ଦେଇଥିଲା। ଏଥିସହ ନକଲି ଫଟୋ ମଧ୍ୟ ଆକାଉଣ୍ଟର ପ୍ରୋଫାଇଲରେ ବ୍ୟବହାର କରିଥିଲା। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
