/odisha-reporter/media/post_attachments/uploads/2023/01/678.jpg)
678
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଚକ୍ଷାକୁ ନେଇ ଏକ ଅଘଟଣ ଘଟିଛି। କର୍ଣ୍ଣାଟକର ହୁବୁଳିରେ ଆଜି ପ୍ରଧାନମନ୍ତ୍ରୀ ରୋଡ଼ ଶୋ’ କରୁଥିବା ବେଳେ ଜଣେ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ମୋଦିଙ୍କ ବେକରେ ଏକ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଛି। ସେ ମୋଦିଙ୍କ ଆଡ଼କୁ ହଠାତ୍ ଦଉଡ଼ି ଆସୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଟେକି ନେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଜି ଜାତୀୟ ଯୁବଦିବସ ଅବସରେ ମୋଦି କର୍ଣ୍ଣାଟକର ହୁବୁଳିରେ ଏକ ରୋଡ଼୍ ଶୋ’ କରିଥିଲେ। ମୋଦି ବିମାନ ବନ୍ଦରରୁ ରୋଡ଼ ଶୋ’ ଆରମ୍ଭ କରିଥିଲେ।
ଏହି ସମୟରେ ଜଣେ ଯୁବକ ତାଙ୍କ କାର ନିକଟକୁ ଏକ ଫୁଲମାଳ ଧରି ପହଞ୍ଚିବା ସହ ଏହାକୁ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। ତେବେ ସୁରକ୍ଷା କର୍ମୀମାନେ ତୁରନ୍ତ ଯୁବକଙ୍କୁ ଅଟକାଇଥିଲେ। ଏହି ପ୍ରସଙ୍ଗରେ ପୁଲିସ କମିଶନର କହିଛନ୍ତି ଯେ, ମୋଦିଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜାନୁଆରି ୧୨-୧୬ପର୍ଯ୍ୟନ୍ତ ଚାଲିବ।
ଗତ ବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ପଂଜାବ ଗସ୍ତ ବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକେଡକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡ଼ିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢ଼ିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖା ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
