/odisha-reporter/media/post_attachments/uploads/2022/05/Assam-flood.jpg)
Assam flood
ଦିସପୁର: ଆସାମରେ ବନ୍ୟା ପ୍ରକୋପ। ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ ହେଉଛି ରାଜ୍ୟ। ସେପଟେ ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁଁ କେଉଁଠି ପାଣି ଭର୍ତ୍ତି ହୋଇ ରହିଛି ତ ଆଉ କେଉଁଠି ଟ୍ରେନ୍ ଦେଖୁ ଦେଖୁ ଓଲଟି ପଡିଛି। ଡିମା ହସାଓ ରେଲୱେ ଷ୍ଟେସନ ଜଳମଗ୍ନ ହୋଇପଡିଛି। ଫଳରେ ଷ୍ଟେସନରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍ ପ୍ରବଳ ବର୍ଷା ଯୋଗୁଁ ଓଲଟି ପଡିଛି। ଏଠାରେ ଟ୍ରେନ୍ ସେବା ପୂରାପୁରି ଠପ୍ ହୋଇପଡିଛି।
ଭୂସ୍ଖଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏଯାବତ୍ ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନରେ ତିନିଜଣଙ୍କ ଜୀବନ ଯାଇଛି। ୨୦ଟି ଜିଲ୍ଲାର ୬୫୨ ଟି ଗାଁ ଏବେ ପାଣି ଘେରରେ ରହିଛି। ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
/odisha-reporter/media/post_attachments/sites/default/files/styles/zm_700x400/public/2022/05/17/1043396-flood-assam.jpg)
ପରିସ୍ଥିତିକୁ ଦେଖି ୫୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ସେଠାରେ ପ୍ରାୟ ୩୫ ହଜାର ଲୋକ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନେକ ସ୍ଥାନରେ ରାସ୍ତା ଓ ବ୍ରିଜ ଭାଙ୍ଗି ଯାଇଥିବାରୁ ଯାତାୟତ ଠପ୍ ହୋଇଯାଇଛି। ଅାସାମର କାଛର, ଧେମାଜି, କର୍ବି-ଆଙ୍ଗଲଙ୍ଗ, ନାଗା, ନାଲବରୀ ଓ କାମରୂପ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ଆସାମ ଏବଂ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ହେବ ଲଗାତର ବର୍ଷା ଯୋଗୁଁ ଏଠାକାର ନଦୀଗୁଡିକର ଜଳସ୍ତର ବଢ଼ିଯାଇଛି। କୋପିଲି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସୋମବାର ହିମାଚଳ ପ୍ରଦେଶର ଶିମଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି। ରୋହତଙ୍ଗ ସମେତ କୁଲ୍ଲୁ ଓ ଲାହୌଲରେ ପ୍ରବଳ ତୁଷାର ପାତ ହୋଇଛି।
ଶିମଲା, କୁଲ୍ଲୁ, ଲାହୌଲ, ସୋଲନ, କାଙ୍ଗଡା, ଚମ୍ବା, ହମିରପୁର ସମେତ ଅନେକ ଅଞ୍ଚଳରେ ସୋମବାର ମଧ୍ୟାହ୍ଣରେ ପାଣିପାଗର ମିଜାଜ ବଦଳି ଯାଇଛି। ଆଜି ମଧ୍ୟ ହିମାଚଳ ପ୍ରଦେଶରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେପଟେ କେରଳରେ ମଧ୍ୟ ବର୍ଷା ଜାରି ରହିଛି। ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପ୍ରବଳ ବର୍ଷା ଯୋଗୁଁ ଏଠାରେ ମଧ୍ୟ ଜନଜୀବନ ବିଶେଷ ପ୍ରଭାବିତ ହୋଇଛି। କୋଲ୍ଲମ, ପଠାନମାଥିଟ୍ଟା, ଅଲପ୍ପୁଝା, କୋଟ୍ଟାୟମ, ଇଡୁକି ଓ ଏର୍ଣ୍ଣାକୁଲମ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
