/odisha-reporter/media/post_attachments/uploads/2022/06/Mayawati.jpg)
Mayawati
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନେଇ ଏବେ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥତ୍ୱକୁ ଗୋଟିଏ ପରେ ଗୋଟିଏ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିବାରେ ଲାଗିଛନ୍ତି। ଓଡ଼ିଆ ଝିଅ ହୋଇଥିବାରୁ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲା।
ଏହାପରେ ସେ ଆଦିବାସୀ ହୋଇଥିବାରୁ ତାଙ୍କୁ ଆନ୍ଧ୍ରର କ୍ଷମତାସୀନ ୱାଇଏସ୍ଆର କଂଗ୍ରେସ ସମର୍ଥନ କରିଛି। ଏହିକ୍ରମରେ ଆଜି ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ସମର୍ଥନ ଘୋଷଣା କରିଛନ୍ତି। ଏଥିସହ ବିରୋଧୀ ମେଣ୍ଟ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିବା ପୂର୍ବରୁ ତାଙ୍କ ସହ କେହି ବି ଆଲୋଚନା କରି ନଥିବାରୁ ସେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।
ବିଏସପି ସବୁବେଳେ ଆଦିବାସୀ ସଂପ୍ରଦାୟଙ୍କ ପାଇଁ ଲଢ଼େଇ କରି ଆସିଛି। ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ବିଏସ୍ପି ସମର୍ଥନ ଘୋଷଣା କରୁଥିବା ମାୟାବତୀ କହିଛନ୍ତି। ଏଥିସହ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବା ପୂର୍ବରୁ କେବଳ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ବୈଠକ ପାଇଁ ଡାକିଥିଲେ।
ସେହିପରି ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରିବା ପାଇଁ ଥରେ ହେଲେ ବି ବିଏସ୍ପିକୁ ଫୋନ କରି ନାହାନ୍ତି। ବିରୋଧୀ ଦଳଗୁଡ଼ିକ କେବଳ ଲୋକ ଦେଖାଣିଆ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ ସମସ୍ତଙ୍କ ସହମତି ରହିଛି ବୋଲି ଦେଖାଇବାକୁ ଚେଷ୍ଟା କରୁଛି। ଆମ ଦଳ ପ୍ରତି ବିରୋଧୀ ଦଳଗୁଡ଼ିକର ଯେତେବେଳେ ଜାତିଗତ ଭେଦଭାର ମାନସିକତା ରହିଛି ସେତେବେଳେ ବିଏସ୍ପି ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ପାଇଛି।
ବିଏସ୍ପି ଏକମାତ୍ର ଜାତୀୟ ଦଳ, ଯାହାର ନେତୃବୃନ୍ଦ ଦଳିତଙ୍କ ସହ ରହିଛନ୍ତି। ବିଜେପି, କଂଗ୍ରେସ କିମ୍ବା ଶିଳ୍ପପତିଙ୍କ ସହ ଜଡ଼ିତ ଥିବା ଅନ୍ୟ କୌଣସି ରାଜନୀତିକ ଦଳର ପଥକୁ ବିଏସ୍ପି କେବେ ହେଲେ ଅନୁସରଣ କରେନାହିଁ। ଆମେ ଏମିତି ଗୋଟିଏ ଦଳ ଯିଏ ସବୁବେଳେ ପଛୁଆ ବର୍ଗର ଲୋକଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥାଏ। ଯଦି କୌଣସି ଦଳ ପଛୁଆ ଜାତି କିମ୍ବା ବର୍ଗର ଲୋକଙ୍କ ପାଇଁ କିଛି କରିବ, ତା’ହେଲେ ଆମେ ମଧ୍ୟ ସେଭଳି ଦଳକୁ ସମର୍ଥନ କରିବୁ।”
ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ମୁର୍ମୁ ଏହା ପୂର୍ବରୁ ଝାରଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
