ଚଣ୍ଡିଗଡ: ଥମୁନି ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଚର୍ଚ୍ଚା। ଏହି ହତ୍ୟା ସହ ଜଡିତ ସମସ୍ତ ସସ୍ପେନ୍ସ ଉପରୁ ପରଦା ହଟାଇବା ପାଇଁ ଲଗାତର ଚେଷ୍ଟା ଜାରି ରହିଛି। ଗ୍ୟାଙ୍ଗୱାର୍ରେ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିବା ନେଇ କୁହାଯାଉଛି। ଏହାରି ଭିତରେ ସାମ୍ନାକୁ ଆସିଛି ତାଙ୍କୁ ଅପରାଧୀମାନେ କିଭଳି କରିଥିଲେ ମର୍ଡର। କେମିତି ହୋଇଥିଲା ଗୁଳିମାଡ? ସିଦ୍ଧୁଙ୍କ ହତ୍ୟାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ମୁସେୱାଲାଙ୍କ ଉପରେ ଯେଉଁ ଦିନ ଆକ୍ରମଣ ହୋଇଥିଲା ସେଦିନ ସେ ତାଙ୍କ ମାଉସୀଙ୍କ ସ୍ୱାସ୍ଥ ଅବସ୍ଥା ଜାଣିବାକୁ ନିକଟସ୍ଥ ବାର୍ନାଲ ଗାଁକୁ ଯାଉଥିଲେ। କାରରେ ତାଙ୍କ ସହ ତାଙ୍କ ବନ୍ଧୁ ଗୁରୁବିନ୍ଦର ସିଂହ ପଛ ସିଟ୍ରେ ବସିଥିଲେ ଏବଂ ଗୁରୁପ୍ରୀତ ସିଂହ ତାଙ୍କ ପାଖ ସିଟ୍ରେ ବସିଥିଲେ। ତେବେ ତାଙ୍କର ମହିନ୍ଦ୍ରା ଥର ଗାଡିରେ ୫ ଜଣ ବସିବା କ୍ଷମତା ନଥିବାରୁ ସେ ତାଙ୍କ ସୁରକ୍ଷାକର୍ମିଙ୍କୁ ନିଜ ସହ ବସାଇ ନଥିଲେ।
ଗୁରବିନ୍ଦର ସିଂହଙ୍କ କହିବା ମୁତାବକ, ସିଦ୍ଧୁଙ୍କ କାର୍ ବାର୍ନାଲ ଗାଁର ନିକଟତର ହେବା ପରେ ତାଙ୍କ ପଛପଟୁ ଗୁଳିମାଡ ହେବା ଆରମ୍ଭ ହୋଇଥିଲା। ଏହାପରେ ଆଉ ଏକ ଗାଡି ତାଙ୍କ କାର୍ ସାମ୍ନାକୁ ଆସି ଅଟକି ଯାଇଥିଲା। ଏହାପରେ ଆଉ ଏକ କାର୍ ତାଙ୍କ ପାର୍ଶ୍ୱରେ ଆସି ଅଟକି ଥିଲା। ଏହାପରେ କାର୍ ସାମ୍ନାକୁ ଜଣେ ବ୍ୟକ୍ତି ଆସି ଆଖିବୁଜା ଗୁଳିମାଡ କରିଥିଲେ। ଗୁଳି ମାଡବେଳେ କାର୍ ପଛ ସିଟ୍ରେ ବସିଥିବା ଗୁରବିନ୍ଦର ସିଂହ ତାଳକୁ ନଇଁ ପଡିଥିଲେ।
ଏହି ଗୁଳିମାଡର ଜବାବରେ ସିଦ୍ଧୁ ମୁସେୱାଲା ମଧ୍ୟ ନିଜ ବନ୍ଧୁକରୁ ଦୁଇ ରାଉଣ୍ଡ ଫାୟାରିଂ କରିଥିଲେ। କିନ୍ତୁ ସାମ୍ନାରେ ଥିବା ଆକ୍ରମଣକାରୀଙ୍କ ପାଖରେ ଅଟୋମେଟିକ ବନ୍ଧୁକ ଥିଲା। ଏଥିପାଇଁ ସିଦ୍ଧୁଙ୍କ ଜବାବୀ ଫାୟାରିଂ କାମ ଦେଇନଥିଲା। ଏହାପରେ ମୁସେୱାଲଙ୍କ ଉପରକୁ ତିନି ପାର୍ଶ୍ୱରୁ ଅପରାଧୀମାନେ ଗୁଳିମାଡ କରିଥିଲେ। ପାଖାପଖି ୩୦ ରାଉଣ୍ଡ ଗୁଳିମାଡ ହୋଇଥିଲା ତାଙ୍କ ଉପରେ। ସିଦ୍ଧୁ ସେଠାରୁ ଗାଡି ଚଳାଇ ପଳାଇଯିବାକୁ ଚେଷ୍ଟା ମଧ୍ୟ କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଶେଷରେ ଅତି ନିର୍ମମ ଭାବେ ଅପରାଧୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି ତାଙ୍କ ଗାଡି ପଛ ସିଟ୍ରେ ବସିଥିବା ତାଙ୍କ ବନ୍ଧୁ ଗୁରବିନ୍ଦର ସିଂହ କହିଛନ୍ତି।