/odisha-reporter/media/post_attachments/uploads/2021/03/sachin-vaze-4.jpg)
sachin-vaze
ମୁମ୍ୱାଇ: ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କ ହେପାଜତ ଅବଧି ବଢ଼ାଇଲେ କୋର୍ଟ। ସଚିନ ବାଜେଙ୍କ ହେପାଜତ ଅବଧି ଶେଷ ହେବା ପରେ ଏନଆଇଏ ଆଜି ସ୍ଥାନୀୟ କୋର୍ଟରେ ସଚିନ ବାଜେଙ୍କୁ ହାଜର କରିଥିଲା। ଏହାପରେ ଅଧିକ ୬ ଦିନ ହେପାଜତକୁ ନେବା ପାଇଁ ମାଗିଥିଲା ଏନଆଇଏ। ହେଲେ କୋର୍ଟ ମାତ୍ର ୪ ଦିନ ପାଇଁ ହେପାଜତ ଅବଧି ବଢ଼ାଇଛନ୍ତି। ଅର୍ଥାତ୍ ଏପ୍ରିଲ ୭ରେ ସଚିନ ବାଜେଙ୍କୁ ଏନଆଇଏ ପୁଣିଥରେ କୋର୍ଟରେ ହାଜର କରିବ। ଏହାପୂର୍ବରୁ ଦୁଇ ଥର ସଚିନ ବାଜେଙ୍କ ହେପାଜତ ଅବଧି ବଢ଼ାଇଥିଲେ କୋର୍ଟ।
ଏନଆଇଏ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ମାମଲାରେ ଏଯାବତ ୫୦ରୁ ଅଧିକ ସାକ୍ଷୀଙ୍କୁ ଜେରା କରାଯାଇଛି। ବାଜେ ସହିତ ସାମିଲ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତଦନ୍ତ କରାଯାଇଛି। ଯେଉଁଥିରେ ବାଜେଙ୍କ ବ୍ୟତୀତ ଜଣେ ଅଜ୍ଞାତ ବ୍ୟକ୍ତି ରହିଥିବା ଜଣାପଡ଼ିଛି। ମିଠୀ ନଦୀ କୂଳରୁ ଅନେକ ଜିନିଷ ଏହି ମାମଲାରେ ଜବତ କରାଯାଇଛି। ଯେଉଁଥିରେ ୨ଟି ସିସିଟିଭି ଡିଭିଆର, ୨ଟି ସିପିୟୁ, ୨ଟି ହାର୍ଡ ଡିସ୍କ, ଗୋଟିଏ ଲାପଟପ୍, ଗୋଟିଏ ପ୍ରିଣ୍ଟର୍ ଏବଂ ୨ଟି ନମ୍ବର ପ୍ଲେଟ୍ ରହିଛି। ସେହିପରି ଏକ ଡାଏରୀ ଜବତ ହୋଇଛି ଯେଉଁଥିରୁ ୨୫ ଲକ୍ଷ ଟଙ୍କାର ହିସାବ ମିଳିଛି। ଏନଆଇଏ ଏହି ଡାଏରୀ ଗିରଫ କନଷ୍ଟେବଳ ବିନାୟକ ସିନ୍ଧେଙ୍କ ଘରୁ ଜବତ କରିଥିଲା। ଉଦ୍ଧାର ହୋଇଥିବା ଡାଏରୀରୁ ଜଣାପଡିଛି ଯେ ମୁମ୍ବାଇର ୩୦ରୁ ଅଧିକ ବାର ଏବଂ କ୍ଲବରୁ ନିଲମ୍ବିତ ସଚିନ ବାଜେ ବିନାୟକ ସିନ୍ଦେ ଜରିଆରେ ବଟି ଆଦାୟ କରୁଥିଲେ।
ଏହି ମାମଲାରେ ଗତକାଲି ଜଣେ ମହିଳାଙ୍କୁ ମଧ୍ୟ ଅଟକ ରଖିଛି ଏନଆଇଏ। ଯିଏକି ସଚିନ ବାଜେଙ୍କ ଆୟ ବ୍ୟୟର ହିସାବ ରଖୁଥିଲେ। ଇଏ ହେଉଛନ୍ତି ସେହି ମହିଳା ଯିଏକି ଫେବୃଆରୀ ୧୬ରେ ଟ୍ରାଇଟେଣ୍ଡ ହୋଟେଲରେ ସଚିନ ବାଜେଙ୍କୁ ଦେଖା କରିଥିଲେ ବୋଲି ଏନଆଇଏ ସୂତ୍ରରୁ ଜଣାପଡ଼ିଛି। କିଛି ମିଡିଆ ରିପୋର୍ଟ ଅନୁଯାୟୀ ପାଖାପାଖି ୧୦ ଘଣ୍ଟା ଏହି ଦୁଇ ଜଣଙ୍କୁ ମୁହାଁମୁହିଁ କରି ଏନଆଇଏ ଜେରା କରିସାରିଛି। ସେହିପରି ଆଜି ଆଉ ଏକ ଦାମୀ କାର ଜବତ କରିଛି ଏନଆଇଏ। ଏହି କାର ସଚିନ ବାଜେଙ୍କର। ଅଟକ ରହିଥିବା ମହିଳା ଏହି କାର ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି। ଏନଆଇଏ ଏଯାବତ ସଚିନ ବାଜେଙ୍କର ୮ଟି ଦାମୀ କାର ଜବତ କରିସାରିଛି।
ସୂଚନାଯୋଗ୍ୟ, ଫେବୃଆରୀ ୨୫ରେ ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲା ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏବଂ ସେହି କାରର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ସଚିନ ବାଜେ ଅଭିଯୁକ୍ତ ବୋଲି ଏନଆଇଏ ଦର୍ଶାଇ ନିଜ ହେପାଜତରେ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
