ଜେଲ ଭିତରେ ବିଗିଡ଼ିଲା ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା
ମୁମ୍ବାଇ: ଜେଲ୍ ଭିତରେ ବିଗିଡିଲା ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍ସିପି ନେତା ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ସୋମବାର ଜେଲ୍ ଭିତରେ ଷ୍ଟ୍ରେଚର ଜରିଆରେ ହସ୍ପିଟାଲକୁ ନିଆଯାଇଛି।
ସୂଚନା ମୁତାବକ, ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ତିନି ଦିନ ଧରି ଖରାପ ଥିଲା। ସେ ସ୍ୱତନ୍ତ୍ର କୋର୍ଟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଜାମିନ ଆବେଦନ ମଧ୍ୟ କରିଥିଲେ। ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବାବ ଦାଖଲ କରିବାର ଥିଲା। ତେବେ ଏହା ପୂର୍ବରୁ ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଓକିଲଙ୍କ ଅନୁରୋଧ ପରେ ନବାବଙ୍କ ଝିଅ ଓ ଜ୍ୱାଇଁଙ୍କୁ ତାଙ୍କୁ ଭେଟିବାକୁ କୋର୍ଟ ଅନୁମତି ଦେଇଛନ୍ତି।
The court has sought a report on Nawab Malik's health from JJ Hospital & will hear on May 5 if the NCP leader should be shifted to a pvt hospital.
The court allowed Malik's daughter Nilofar & son-in-law, Sameer Khan, to meet him in the hospital, after Malik's lawyer's request.
— ANI (@ANI) May 2, 2022
ନବାବ ମଲିକଙ୍କ ଓକିଲଙ୍କ କହିବା ଅନୁଯାୟୀ, ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ଅବସ୍ଥା ବିଗିଡିବା ପରେ ତାଙ୍କୁ ଷ୍ଟ୍ରେଚର ଜରିଆରେ ଆର୍ଥର ରୋଡ୍ ଜେଲ୍ରୁ ଜେଜେ ହସ୍ପିଟାଲକୁ ନିଆଯାଇଛି। ସେପଟେ ଯଦି ନବାବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା ତେବେଳ ଏନେଇ ତଦନ୍ତ ଏଜେନ୍ସିଙ୍କୁ କାହିଁକି ଜଣାଇନଥିଲ ବୋଲି ଇଡି ପ୍ରଶ୍ନ କରିଛି।
ଏହା ଉପରେ ଇଡି ପରବର୍ତ୍ତୀ ତାରିଖରେ ଶୁଣାଣି କରିବାକୁ ଦାବି କରିଛି। କିନ୍ତୁ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଶୁଣାଣି ଜାରି ରହିବ। ନବାବ ମଲିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜେଜେ ହସ୍ପିଟାଲରୁ କୋର୍ଟ ଏକ ରିପୋର୍ଟ ମାଗିଛନ୍ତି। ମେ’ ୫ରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ କି ନାହିଁ ତାହା ସ୍ଥିର ହେବ।
ଉଲ୍ଲେଖ ଯୋଗ୍ୟ ଯେ, ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନବାବ ମଲିକ ଏହା ପୂର୍ବରୁ ସୁପ୍ରିମ କୋର୍ଟରେ ତତ୍କାଳ ଜାମିନ ଆବେଦନ କରିଥିଲେ। ସେ ନିଜ ଗିରଫଦାରୀକୁ ଅବୈଧ ବୋଲି କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। କୋର୍ଟ କହିଥିଲେ ବର୍ତ୍ତମାନ ତଦନ୍ତ ଚାଲିଛି, ଏଥିରେ ଆମେ ଦଖଲ ଦେବାକୁ ଇଚ୍ଛୁକ ନୁହଁ। ଆମେ ଏହି ସ୍ତରରେ ହସ୍ତକ୍ଷେପ କରିବୁ ନାହିଁ। ଏହାପରେ ମେ’ ୬ ଯାଏଁ ନବାବଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ାଇ ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।