/odisha-reporter/media/post_attachments/uploads/2022/11/lawrence.jpg)
lawrence
ନୂଆଦିଲ୍ଲୀ: ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନିଜ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ପଞ୍ଜାବର ବଥିଣ୍ଡା ଜେଲରୁ ଏନଆଇଏ ଅଧିକାରୀମାନେ ତା’କୁ ଉଠାଇବା ସହ ଦିଲ୍ଲୀ ଆଣୁଛନ୍ତି। ଆତଙ୍କବାଦୀ ସଂଗଠନ ସହ ବିଷ୍ଣୋଇର ଲିଙ୍କ ଥିବା ସନ୍ଦେହ ଉପୁଜିବା ପରେ ଏନଆଇଏ ତା’କୁ ନିଜ ହେପାଜତକୁ ଆଣି ଜେରା କରିବାକୁ ଯୋଜନା କରିଛି।
ଏପରି ପଦକ୍ଷେପ ନେବା ପୂର୍ବରୁ ଲରେନ୍ସ ନାଁରେ ଏନଆଇଏ ୟୁଏପିଏ ଅଧୀନରେ ମାମଲା ରୁଜୁ କରିଥିଲା। କଣ୍ଠଶିଳ୍ପୀ ସିଦ୍ଧୁ ମୋସେୱାଲାଙ୍କ ନିର୍ମମ ହତ୍ୟା ଘଟଣାରେ ଲରେନ୍ସ ସାମିଲ ରହିଥିଲା। ଏଥିପାଇଁ ତା’କୁ ତିହାର ଜେଲରୁ ନିଆଯାଇ ବଥିଣ୍ଡା ଜେଲରେ ରଖାଯାଇଥିଲା।
ଏନଆଇଏ ତାକୁ ରିମାଣ୍ଡ ନେବାକୁ ଚାହୁଁଥିବାରୁ ଭିଡିଓ କନଫରେନ୍ସିଂ ଜରିଆରେ ଗୋଟିଏ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। କୋର୍ଟ ତା’କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ରିମାଣ୍ଡ ଅନୁମତି ମିଳିବା ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଲରେନ୍ସକୁ ପଞ୍ଜାବରୁ ଦିଲ୍ଲୀ ଅଣାଯାଉଛି।
ଟେରର ଲିଙ୍କ ମାମଲାରେ ଏନଆଇଏ ଲରେନ୍ସ ବିଷ୍ଣୋଇ ଓ କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାରର ଘରେ ରେଡ୍ କରିଥିଲା। ଲରେନ୍ସ ବିଷ୍ଣୋଇ ଓ ବ୍ରାର ଭଳି କିଛି ଗ୍ୟାଷ୍ଟର ଭାରତ ବାହାରେ ଥିବା ଆତଙ୍କବାଦୀ ଯୋଗାଯୋଗରେ ରହିଛନ୍ତି। ଏଥିପାଇଁ ଏନଆଇଏ ଏହାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।
ମୋହାଲିରେ ଥିବା ପୁଲିସ୍ ମୁଖ୍ୟାଳୟ ଉପରେ ଆକ୍ରମଣ ଓ ଡେରା ସଚ୍ଚାର ଅନୁଗାମୀ ପ୍ରଦୀପ ସିଂହର ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀଙ୍କ ମିଳିତ ହାତ ରହିଥିବା ଏନଆଇଏ ଆଶଙ୍କା କରିଛି। ଏଥିପାଇଁ ଲରେନ୍ସକୁ ରିମାଣ୍ଡରେ ନେଇ ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
