/odisha-reporter/media/post_attachments/uploads/2021/08/pegasus-issue.jpg)
pegasus-issue
ନୂଆଦିଲ୍ଲୀ: ଇସ୍ରାଏଲର ସ୍ପାଏଓ୍ୱୟାର ପେଗାସସ ଓ ତିନି କୃଷି ଆଇନକୁ ରଦ୍ଦ କରିବା ନେଇ ଚଳିତ ମୌସୁମୀ ଅଧିବେଶନ ଠିକ୍ ଭାବରେ ଚାଲିପାରିଲା ନାହିଁ। ଅଧିବେଶନ ଶେଷ ହେବାର ଦୁଇ ଦିନ ପୂର୍ବରୁ ଅନିଶ୍ଚିତ କାଳ ପାଇଁ ସଂସଦ ମୁଲତବୀ ହୋଇଛି। ଏହା ପୂର୍ବରୁ କିନ୍ତୁ ବିରୋଧୀ ଦଳ ଏକ ବୈଠକ କରିଛନ୍ତି। ଯେଉଁଥିରେ ଆଗାମୀ ଦିନରେ କିଭଳି ପେଗାସସ ପ୍ରସଙ୍ଗରେ ସରକାରକୁ ଘେରି ହେବ ସେ ନେଇ ଆଲୋଚନା ହୋଇଛି।
କଂଗ୍ରେସର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ଡିଏମକେ, ଟିଏମସି, ଶିବସେନା, ଏନସିପି, ସିପିଏମ୍, ଆରଜେଡି, ସିପିଆଇ, ଆଇୟୁଏମଏଲ, ଆରଏସପି, ଭିସିକେ ଏବଂ ଏଲଜେପିର ନେତା ଉପସ୍ଥିତ ଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଯଦିଓ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି। ହେଲେ ଏହାକୁ ନେଇ ଆଗାମୀ ଦିନରେ ବିରୋଧୀଙ୍କ ଆଭିମୁଖ୍ୟ କିଭଳି ହେବ ସେ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି।
ଆଜି ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବା ପୂର୍ବରୁ କିନ୍ତୁ ସଂସଦରେ ପଞ୍ଜାବ କଂଗ୍ରେସର ସାଂସଦ ଏବଂ ଅକାଳୀ ଦଳର ସାଂସଦ ସଂସଦରେ ଉପସ୍ଥିତ ରହି ତିନି କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଥିଲେ।
ସୂଚନାଯୋଗ୍ୟ, ବିରୋଧୀ ଚଳିତ ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ପେଗାସସ ପ୍ରସଙ୍ଗରେ ସରକାରକୁ ଘେରିଥିଲେ। ଯେଉଁଥିପାଇଁ ଗୃହ ଠିକ୍ ଭାବରେ ଚାଲିପାରିନଥିଲା। ଲୋକସଭା ମାତ୍ର ୨୧ ଘଣ୍ଟା ୧୪ ମିନିଟ୍ ଠିକ୍ ଭାବରେ ଚାଲିଥିବା ସୂଚନା ରହିଛି। ଆଜି ରାଜ୍ୟସଭାକୁ ମୁଲତବୀ ଘୋଷଣା କରିବା ବେଳେ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କାନ୍ଦି ପକାଇଥିଲେ। ଗୃହ କାର୍ଯ୍ୟ ଠିକ୍ ଭାବରେ ଚାଲି ପାରୁନଥିବାରୁ ସେ ରାତିରେ ଶୋଇ ପାରୁନଥିବା କହିଥିଲେ।
ପେଗାସସକୁ ନେଇ ବିରୋଧୀ ଗୃହରେ ଉତ୍ତର ଦାବି କରିବା ସିହତ ବିତର୍କ ଦାବି କରିଥିଲେ। ହେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ପ୍ରସଙ୍ଗରେ ଉତ୍ତର ରଖିବା ବେଳେ ଟିଏମସି ସାଂସଦ ବୈଷ୍ଣବଙ୍କ ହାତରୁ ଉତ୍ତର ଲେଖିଥିବା କାଗଜ ଟାଣି ଆଣି ଚିରି ଦେଇଥିଲେ। ଅନ୍ୟପଟେ ଏହା ବିତର୍କର ପ୍ରସଙ୍ଗ ନୁହେଁ ତେଣୁ ଆଲୋଚନା ହୋଇପାରିବନି ବୋଲି ସରକାର କହିଥିଲେ। ଏହାବାଦ ପ୍ରତିରକ୍ଷା ମନ୍ତ୍ରାଳୟ ସଂସଦରେ ସୋମବାର କହିଥିଲା ଯେ ପେଗାସସର ନିର୍ମାତା ଏନଏସଓ ସହିତ ପ୍ରତିରକ୍ଷା ବିଭାଗର କୌଣସି ନେଣଦେଣ ହୋଇନି। ଏହି ବିବାଦୀୟ ପ୍ରସଙ୍ଗରେ ତଦନ୍ତ ଦାବି କରି କିଛି ସାମ୍ୱାଦିକ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଶୁଣାଣି କରିବେ ବୋଲି କହିଛନ୍ତି। ଏଥିସହ ଦେଶର ନ୍ୟାୟଳୟ ଉପରେ ଭରସା ରଖିବାକୁ ଆବେଦନକାରୀଙ୍କୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
