ଜମ୍ମୁ: ଭାରତ ବିରୋଧରେ ପାକିସ୍ତାନ ସେନା ଚଳାଇଥିବା ଷଡ଼ଯନ୍ତ୍ରର ଗୁମର ଖୋଲିଛି ଗିରଫ ଆତଙ୍କବାଦୀ। କିଛି ଦିନ ତଳେ ଅନୁପ୍ରବେଶ ଉଦ୍ୟମ କରି ଭାରତୀୟ ସେନାର ହାତରେ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରୁ ଗିରଫ ହୋଇଥିବା ଆତଙ୍କବାଦୀ ଜଣକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଚିକିତ୍ସା ଚାଲିଥିବା ବେଳେ ଗିରଫ ଆତଙ୍କବାଦୀ ଜଣକ ଚାଞ୍ଚଲ୍ୟକର ଖୁଲାସା କରିଛି।
ଭାରତରେ ହମଲା କରିବା ପାଇଁ ପାକିସ୍ତାନ ସେନାର ଜଣେ କର୍ଣ୍ଣେଲ ତାକୁ ୩୦ ହଜାର ପାକିସ୍ତାନ ମୁଦ୍ରା ଦେଇଥିବା ସେ କହିଛି। ଏହି କର୍ଣ୍ଣଲ ଜଣଙ୍କ ପାକିସ୍ତାନ ସେନାର ଗୁଇନ୍ଦା ସଂସ୍ଥାରେ କାମ କରନ୍ତି। ଅଗଷ୍ଟ ୨୧ରେ ଭାରତୀୟ ସେନାର ବେସ୍ ଉପରେ ହମଲା କରିବାକୁ ସେ ଗିରଫ ଆତଙ୍କବାଦୀକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଭାରତୀୟ ସେନାର ବ୍ରିଗେଡ କମାଣ୍ଡର ବ୍ରିଗେଡିୟର କପିଲ ରାଣା ସୂଚନା ଦେଇଛନ୍ତି।
ରଜୌରୀରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ବ୍ରିଗେଡିୟର ରାଣା କହିଛନ୍ତି, ଅଗଷ୍ଟ ୨୧ ଓ ୨୨ରେ ଜମ୍ମୁ-କଶ୍ମୀରର ଝାଙ୍ଗର ଏବଂ ଲାମ ଅଞ୍ଚଳରେ ଦୁଇଟି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଏହି ଦୁଇ ଘଟଣାରେ ୨ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଜଣଙ୍କୁ ଜୀବନ୍ତ ଗିରଫ କରାଯାଇଥିଲା। ଗିରଫ ଆତଙ୍କୀ ଜଣକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି।
ପ୍ରଥମ ଅନୁପ୍ରବେଶ ଘଟଣା ଅଗଷ୍ଟ ୨୧ ତାରିଖ ଝାଙ୍ଗାର ଠାରେ ହୋଇଥିଲା। ଏଲଓସିରେ ସନ୍ଦିଗ୍ଧ ଗତିବିଧି ଦେଖି ସୁରକ୍ଷାକର୍ମୀମାନେ ଆଲର୍ଟ ମୋଡକୁ ଆସିଥିଲେ। ୨ରୁ ୩ ଜଣ ଆତଙ୍କବାଦୀ ସୀମା ଡେଇଁ ଭାତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ଏହାର ଜବାବ ଦେଇଥିଲେ।
ଜଣେ ଆତଙ୍କବାଦୀ ଭାରତୀୟ ସେନା ପୋଷ୍ଟର ଅତି ନିକଟକୁ ଚାଲି ଆସିଥିଲା। ତା’କୁ ଗୁଳି କରାଯିବାରୁ ସେ ଆହତ ହୋଇଥିଲା। ଆହତ ଆତଙ୍କବାଦୀକୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯିବା ସହ ଜୀବନ ରକ୍ଷାକାରୀ ସର୍ଜରୀ ମଧ୍ୟ କରାଯାଇଥିଲା। ତେବେ ତା’ ସହ ଥିବା ଆଉ ଦୁଇ ଆତଙ୍କୀ ଘଟଣା ସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲେ।
ଗିରଫ ଆତଙ୍କୀ ଜଣକ ହେଲା ତାବରକ ହୁସେନ। ତା’ ଘର ପିଓକେର କୋଟି ଅନ୍ତର୍ଗତ ସାବଗକୋର୍ଟ ଗାଁରେ। ତା’କୁ ଜେରା କରିବା ବେଳେ ସେ ଭାରତୀୟ ସେନାର ପୋଷ୍ଟରେ ଆକ୍ରମଣ କରିବାକୁ ଯୋଜନା କରିଥିବା କହିଛି। ଏଥିପାଇଁ ତାଙ୍କୁ କର୍ଣ୍ଣେଲ ୟୁନିସ ଚୌଧୁରୀ ୩୦ ହଜାର ପାକିସ୍ତାନ ମୁଦ୍ରା ଦେଇଥିଲେ।
ହୁସେନ ଓ ତା’ର ସହଯୋଗୀମାନେ ଅନୁପ୍ରବେଶ କରିବା ପୂର୍ବରୁ ଭାତୀୟ ସେନା ପୋଷ୍ଟର ସମସ୍ତ ତଥ୍ୟ ହାସଲ କରିଥିଲା। ୨୦୧୬ରେ ହୁସେନକୁ ସମାନ ସେକ୍ଟରରୁ ତା’ ଭାଇ ହାରୋନ ଅଲୀ ସହ ଗିରଫ କରାଯାଇଥିଲା। କିନ୍ତୁ ମାନବିକତା ଦୃଷ୍ଟିକୋଣରୁ ୨୦୧୭ ନଭେମ୍ବର ମାସରେ ଉଭୟଙ୍କୁ ପାକିସ୍ତାନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏବେ ସେ ପୁଣି ହମଲା କରିବାକୁ ଉଦ୍ୟମ କରି ଗିରଫ ହୋଇଥିବା ସେ କହିଛନ୍ତି।
ବ୍ରିଗେଡିୟର ରାଣା ଆହୁରି କହିଛନ୍ତି, ଅଗଷ୍ଟ ୨୨-୨୩ ତାରିଖରେ ପୁଣି ୨ରୁ ୩ ଜଣ ଆତଙ୍କୀ ଲାମ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସମ୍ଭବତଃ ଆଉ ଜଣେ ଆତଙ୍କୀ ଆହତ ହୋଇ ପାକିସ୍ତାନ ସୀମାକୁ ଚାଲିଯାଇଛି। ଗୁଳି ବିନିମୟରେ ପରେ ଅଗଷ୍ଟ ୨୩ ସକାଳେ ସୀମାନ୍ତରେ ଡ୍ରୋନ ଉଡ଼ାଇ ଆତଙ୍କୀଙ୍କ ଗତିବିଧି ଜାଣିବାକୁ ଚେଷ୍ଟା କରାଯାଇଥିଲା।
ଏହି ସମୟରେ ୨ ଜଣ ଆତଙ୍କୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସର୍ଚ୍ଚ ଅପରେସନ କରି ୨ ଆତଙ୍କୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କ ନିକଟରୁ ଗୋଟିଏ ଏକେ-୫୬, ୩ଟି ମ୍ୟାଗାଜିନ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ଦୁଇଟି ଯାକ ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।