Modi
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ତାମିଲନାଡୁର ସୁଲୁର ଏୟାରବେସ୍ରୁ ସ୍ୱତନ୍ତ୍ର ବିମାନ ଯୋଗେ ସିଡିଏସ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ୧୧ ବୀର ଯବାନଙ୍କ ମୃତଦେହକୁ ଦିଲ୍ଲୀର ପାଲମ ଏୟାରବେସ୍କୁ ଅଣାଯାଇଛି।
ଏହାପରେ ସେଠାରେ ମୋଦି ପହଞ୍ଚି ଜେନେରାଲ ରାୱତଙ୍କ ସମେତ ଅନ୍ୟ ଯବାନମାନଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ମୋଦି ସମସ୍ତଙ୍କ ପାର୍ଥିବ ଶରୀରରେ ପୁଷ୍କମାଲ୍ୟ ଦେଇ ବୀର ଆତ୍ମାଗୁଡ଼ିକର ସଦଗତି କାମନା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାର ଲୋକଙ୍କ ସହ ମଧ୍ୟ ସେ କଥା ହୋଇଛନ୍ତି।
ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପାଲମ ଏୟାରବେସ୍କୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ରୀ ସିଂହ ଶ୍ରଦ୍ଧାଞ୍ଜଳି ଜଣାଇବା ପୂର୍ବରୁ ଶୋକସନ୍ତପ୍ତ ବୀର ଯବାନଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ।
ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ପାଲମ ଏୟାରବେସ୍ରେ ପହଞ୍ଚିବା ପରେ ପ୍ରଥମେ ଜେନେରାଲ ରାୱତଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇ ବାହାରକୁ ଅଣାଯାଇଥିଲା। ଏହାପରେ ଜଣଙ୍କ ପରେ ଜଣେ ଯବାନଙ୍କ ମରଶରୀରକୁ ବିମାନରୁ କଢ଼ା ଯାଇଥିଲା। ଏହି ସମୟରେ ଏୟାରବେସରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ବୀର ପୁତ୍ରଙ୍କ ପରିବାର ଲୋକ ଶ୍ରଦ୍ଧାଞ୍ଜଳି ଜଣାଇ ଭୋଭୋ ହୋଇ କାନ୍ଦି ଉଠିଥିଲେ। ସିଡିଏସ୍ ରାୱତଙ୍କ ଦୁଇ ଝିଅ ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟ ନିଜ ବାପା ଓ ମା’ଙ୍କୁ ହରାଇଛନ୍ତି। ଆଜି ସେମାନେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଅନ୍ୟ ବୀର ଯବାନଙ୍କ ପରିବାର ଲୋକ ସେମାନଙ୍କ ପ୍ରିୟଜନଙ୍କୁ ପୁଷ୍କମାଲ୍ୟ ଦେଇ ଅନ୍ତିମ ବିଦାୟ ଜଣାଇଛନ୍ତି।
ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ସିଡିଏସ୍ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରେ ଥିବା ବାସଭବନକୁ ନିଆଯିବ। ସେଠାରେ ସାଧାରଣ ଲୋକ ସିଡିଏସ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇପାରିବେ। ଏଥିପାଇଁ ଦିନ ୧୧ଟାରୁ ୧୨.୩୦ ଯାଏ ସମୟ ଧାର୍ଯ୍ୟ କରାଯାଇଛି।
ଏହାପରେ ପ୍ରତିରକ୍ଷା କର୍ମଚାରୀମାନେ ଦିନ ୧୨.୩୦ରୁ ୧.୩୦ ଯାଏ ସିଡିଏସଙ୍କ ଶେଷ ଦର୍ଶନ କରିବେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଆସନ୍ତାକାଲି ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ତିମ ଦର୍ଶନ ପରେ ଦିଲ୍ଲୀର କ୍ୟାଣ୍ଟ ବ୍ରାର ଛକରେ ସିଡିଏସ୍ ଓ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର କରାଯିବ।
ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ।
ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।
ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୪୫% ଅଂଶ ପୋଡ଼ି ଯାଇଛି। ତାଙ୍କୁ ଜୀବନ ରକ୍ଷାକାରୀ ଉପକରଣ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/Modi-3.jpg)