ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ବାଲି ଗସ୍ତରେ ଯିବେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବ। ଏବେ ଇଣ୍ଡୋନେସିଆ ଏହାର ଅଧ୍ୟକ୍ଷତା କରୁଛି। ଭାରତ ବିଧିବଦ୍ଧ ଭାବେ ଇଣ୍ଡୋନେସିଆ ଠାରୁ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବ।
ବାଲିରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ରୁଷ ଓ ୟୁକ୍ରେନ ଯୁଦ୍ଧ ସମସ୍ତଙ୍କ ଫୋକସରେ ରହିଛି। ଏହି ସମ୍ମିଳନୀର ଥିମ “ରିକଭର ଟୁଗେଦର, ରିକଭର ଷ୍ଟ୍ରଙ୍ଗର” ରହିଛି। ଖାଦ୍ୟ, ଶକ୍ତି, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ଟ୍ରାନ୍ସଫରମେସନ ସମ୍ପର୍କରେ ଜି-୨୦ ଦେଶୁଗୁଡ଼ିକ ଆଲୋଚନା କରିବେ।
ସମ୍ମିଳନୀରେ ଶେଷ ଦିନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ୱିଡୋଡୋ ବିଧିବଦ୍ଧ ଭାବେ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବେ। ଭାରତ ସରକାର ଡିସେମ୍ବର ୧ରୁ ଜି-୨୦ ଦେଶଗୁଡ଼ିକର ଅଧ୍ୟକ୍ଷତା କରିବେ।
ଅନ୍ୟପକ୍ଷରେ ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେନାହିଁ। ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏହାକୁ ନେଇ ରୁଷ ଓ ପଶ୍ଚିମ ଦେଶଗୁଡ଼ିକ ମୁହାଁମୁହିଁ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।