Modi
କୋଲକାତା: ବାତ୍ୟା ୟାସର ସମୀକ୍ଷା କରିବାକୁ ଦିଲ୍ଲୀରୁ ଓଡ଼ିଶା ଦେଇ ବେଙ୍ଗଲ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୩୦ ମିନିଟ୍ କାଳ ସମୀକ୍ଷା ଗୃହରେ ଅପେକ୍ଷା କରିବାକୁ ପଡ଼ିଛି। ସେ ବେଙ୍ଗଲରେ ବାତ୍ୟା ୟାସର ସମୀକ୍ଷା କରିବାକୁ ଯାଇଥିଲେ। ହେଲେ ତାଙ୍କ ସହ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀର୍ଘ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ।
ଏହି ୩୦ ମିନିଟ୍ କାଳ ମୋଦିଙ୍କ ସହ ରାଜ୍ୟପାଳ ଓ କିଛି ବିଜେପି ନେତା ଦିଦିଙ୍କୁ କନଫରେନ୍ସ ହଲରେ ଅପେକ୍ଷା କରି ବସି ରହିଥିଲେ। ଏହାପରେ ଦିଦି ଗୋଟିଏ ରୁମ୍ରେ ମୋଦିଙ୍କୁ ସାକ୍ଷାତ କରି କ୍ଷୟକ୍ଷତିର ରିପୋର୍ଟ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମମତା ୩୦ ମିନିଟ୍ ବିଳମ୍ବରେ ଆସିବା ପରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ସେ ତୁରନ୍ତ ଆଉ ଏକ ବୈଠକକୁ ଚାଲି ଯାଇଥିଲେ। ମୋଦି, ରାଜ୍ୟପାଳ ଜଗଦୀପ ଧାନକର ଓ ବିଜେପି ନେତାମାନେ ସମୀକ୍ଷା କରିବା ପାଇଁ ମମତା ଓ ତାଙ୍କ ସରକାରର ଅଧିକାରୀଙ୍କୁ ଅପେକ୍ଷା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ରାଜ୍ୟପାଳ ଜଗଦୀପ ଟ୍ୱିଟ କରି କହିଛନ୍ତି, “ରାଜ୍ୟର ସ୍ୱାର୍ଥ ଓ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗଦେବା କଥା। ଟକରାଟକରି ଭଳି ଆଭିମୁଖ୍ୟ ପୋଷଣ କରିବା ରାଜ୍ୟର ସ୍ୱାର୍ଥ ଓ ଗଣତନ୍ତ୍ର ପାଇଁ ଆଦୌ ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ବୈଠକରେ ଯୋଗ ନଦେବା ଆଇନ କିମ୍ବା ସମ୍ବିଧାନ ଅନୁସାରେ ଠିକ ନୁହେଁ।”
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୩୦ ମିନିଟ୍ କାଳ ବସାଇ ରଖିବା ଉପରେ ମମତା କହିଛନ୍ତି, ସେ ଆଦୌ ବୈଠକର ସମୟ ସମ୍ପର୍କରେ ଅବଗତ ନଥିଲେ। ତେବେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବା ଜାଣି ସେ ତାଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଥିଲେ ଓ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ବୋଲି କହିଛନ୍ତି।
ମୋଦିଙ୍କୁ ସେ ଯେଉଁ ରୁମରେ ଏକାକୀ ଭେଟିଥିଲେ ସେଠାରେ ଆଉ କେହି ବି ଉପସ୍ଥିତ ନଥିଲେ। ସେ ମୋଦିଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆକଳନ ହୋଇଥିବା କ୍ଷୟକ୍ଷତି ରିପୋର୍ଟକୁ ହସ୍ତାନ୍ତର କରିଥିଲେ ଓ ୨୦ ହଜାର କୋଟି ଟଙ୍କାର ସହାୟତା ମାଗିଥିଲେ।
ଏହାପରେ ସେ ମୁଖ୍ୟ ଶାସନ ସଚିବଙ୍କ ସହ ଦୀଘାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ସେଠାକୁ ଚାଲି ଯାଇଥିଲେ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୨.୩୦ରୁ ୩.୩୦ ମଧ୍ୟରେ ସୀମକ୍ଷା ବୈଠକ ପଶ୍ଚିମ ମେଦିନିପୁରର କଲାଇକୁଣ୍ଡା ଠାରେ ହେବାର ଥିଲା। କିନ୍ତୁ ସମୀକ୍ଷା ପାଇଁ ମମତା ଠିକଣା ସମୟରେ ପହଞ୍ଚି ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/Modi-8.jpg)