‘ପୁଲିସ ବଳପୂର୍ବକ ଗିଲାନୀଙ୍କ ଅନ୍ତିମ ସଂସ୍କାର କରିଛି'

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ନେତା ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଉପୁଜିଛି। ପ୍ରଥମେ ପୁଲିସ କହିଥିଲା ଗିଲାନୀଙ୍କ ମର ଶରୀର ଉପରେ ପାକିସ୍ତାନ ପତାକା ରଖାଯାଇଥିଲା। ଏବେ ଗିଲାନୀଙ୍କ ପୁଅ ଅଭିଯୋଗ କରିଛନ୍ତି ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ପୁଲିସ ବଳପୂର୍ବକ କରାଇଛି। ସେପ୍ଟେମ୍ବର ୧ ରାତିରେ ୯୨ ବର୍ଷୀୟ ଗିଲାନୀଙ୍କର ମୃତ୍ୟୁ ହୋଇଥିଲା ଏବଂ ସେପ୍ଟେମ୍ବର ୨ ତାରିଖ ସକାଳେ ତାଙ୍କୁ କବର ଦିଆଯାଇଥିଲା। ଗିଲାନୀଙ୍କ ପୁଅ […]

sayeed-gilani

Subhransu Sekhar
  • Published: Sunday, 05 September 2021
  • , Updated: 05 September 2021, 04:47 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ନେତା ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଉପୁଜିଛି। ପ୍ରଥମେ ପୁଲିସ କହିଥିଲା ଗିଲାନୀଙ୍କ ମର ଶରୀର ଉପରେ ପାକିସ୍ତାନ ପତାକା ରଖାଯାଇଥିଲା। ଏବେ ଗିଲାନୀଙ୍କ ପୁଅ ଅଭିଯୋଗ କରିଛନ୍ତି ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ପୁଲିସ ବଳପୂର୍ବକ କରାଇଛି।

ସେପ୍ଟେମ୍ବର ୧ ରାତିରେ ୯୨ ବର୍ଷୀୟ ଗିଲାନୀଙ୍କର ମୃତ୍ୟୁ ହୋଇଥିଲା ଏବଂ ସେପ୍ଟେମ୍ବର ୨ ତାରିଖ ସକାଳେ ତାଙ୍କୁ କବର ଦିଆଯାଇଥିଲା। ଗିଲାନୀଙ୍କ ପୁଅ କହିଛନ୍ତି ଯେ ରୀତିନୀତି ଏବଂ ପରିବାରର ଇଚ୍ଛା ବିରୁଦ୍ଧରେ ତାଙ୍କ ବାପାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ହେଲେ ପୁଲିସ ଏହି ଅଭିଯୋଗକୁ ଖାରଜ କରିଛି।

ହୁରିୟତ ସମ୍ମିଳନୀର ସଭାପତି ଥିବା ଗିଲାନୀଙ୍କ ପୁଅ ଡକ୍ଟର ନଇମ କହିଛନ୍ତି, "ଇସଲାମୀୟ ନିୟମ ଅନୁଯାୟୀ ଆମ ବାପାଙ୍କ ଶେଷ ରୀତିନୀତି କରିବାକୁ ଆମକୁ ଅନୁମତି ଦିଆଯାଇନଥିଲା। ଏହା ଆମର ଅଧିକାର କିନ୍ତୁ ଏହି ଅଧିକାର ମଧ୍ୟ ଆମଠାରୁ ଛଡ଼ାଇ ନିଆଯାଇଥିଲା। ଏଥିପାଇଁ ଆମେ ବହୁତ ଦୁଃଖିତ।"

ନଇମଙ୍କ ଭାଇ ଡକ୍ଟର ନସିମ ମଧ୍ୟ କହିଛନ୍ତି ଯେ ସେମାନେ ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ। ଉଭୟ ଅଭିଯୋଗ କରିଛନ୍ତି ଯେ ବୁଧବାର ତାଙ୍କ ବାପା ଗିଲାନୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପୁଲିସ ଏବଂ ସରକାରୀ କର୍ମଚାରୀ ତାଙ୍କ ଘରକୁ ଘେରି ଯାଇଥିଲେ। ତାଙ୍କ ବାପାଙ୍କ ଶବକୁ ନଛୁଇଁବା ପାଇଁ ଘର ଲୋକ ମନା କରିଥିଲେ। ଏହାପରେ ପରେ ପୁଲିସ ଏବଂ ସୁରକ୍ଷାକର୍ମୀ ଆସି ତାଙ୍କ ଘରକୁ ଘେରି ରହିଥିଲେ। ଦୁଇ ଜଣ ବରିଷ୍ଠ ଅଧିକାରୀ ତାଙ୍କ ଅନ୍ତିମ ସଂସ୍କାର ବିଷୟରେ ପରିବାର ସହ ଆଲୋଚନା କରିଥିଲେ ବୋଲି ସେ କହିଛନ୍ତି। ଡକ୍ଟର ନସିମ କହିଛନ୍ତି, ଆମେ ତାଙ୍କୁ କହିଥିଲୁ ଯେ ସକାଳେ ଅନ୍ତିମ ସଂସ୍କାର କରାଯିବ ଯାହା ଦ୍ୱାରା ସମସ୍ତ ସମ୍ପର୍କୀୟ ଆସି ତାଙ୍କର ଶେଷ ଦର୍ଶନ କରି ପାରିବେ।

କିନ୍ତୁ ଭୋର ୩ଟାରେ ପୁଲିସ ପୁଣିଥରେ ଆସି ବଳ ପୂର୍ବକ ମୃତଦେହକୁ ନେଇଯାଇଥିଲା। ଆଉ ପରିବାର ସଦସ୍ୟ ଅନୁପସ୍ଥିତ ଥିବା ବେଳେ କବର ଦିଆଯାଇଥିଲା ବୋଲି ସେ କହିଛନ୍ତି।

ତେବେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପୁଲିସ କହିଛି ଯେ ଗିଲାନୀଙ୍କ ମୃତଦେହକୁ ୩୦୦ ମିଟର ଦୂରରେ ଥିବା କବରସ୍ଥାନକୁ ପହଞ୍ଚାଇବାରେ ପୁଲିସ ସାହାଯ୍ୟ କରିଛି।

କଶ୍ମୀର ରେଞ୍ଜ ଆଇଜି ବିଜୟ କୁମାର କହିଛନ୍ତି, "କୋଭିଡ ପ୍ରୋଟୋକଲ ନିୟମ ଅନୁଯାୟୀ ପୁଲିସ ଶେଷ ରୀତିନୀତି କରିଛି। ଶାନ୍ତି ଓ ଶୃଙ୍ଖଳା ପ୍ରତି ବିପଦକୁ ଦୃଷ୍ଟିରେ ରଖି ଶେଷ ରୀତିନୀତି ଶୀଘ୍ର କରାଯାଇଥିଲା।"

Related story