lingayat
ବେଙ୍ଗାଲୁରୁ: ନାବାଳିକା ଦୁଷ୍କର୍ମର ଅଭିଯୁକ୍ତ ଲିଙ୍ଗାୟତ ଧର୍ମଗୁରୁ ଶିବମୂର୍ତ୍ତି ମୁରୁଗା ଶାରାନାରୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କର୍ଣ୍ଣାଟକାର ଚିତ୍ରାଦୁର୍ଗା ଅଶାନ୍ତ ହୋଇପଡ଼ିଛି। ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ୍ ଆଜି ଶିବମୂର୍ତ୍ତିଙ୍କୁ ଅଟକ ରଖିଥିଲା। ହେଲେ ତାଙ୍କୁ ସନ୍ଧ୍ୟାରେ ଛାଡ଼ି ଦେଇଛି।
ସେ ମଧ୍ୟ ମୁରୁଗା ମଠକୁ ଫେରିଛନ୍ତି। ପୁଲିସ୍ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ହେଲେ ଧର୍ମଗୁରୁ ଶିବମୂର୍ତ୍ତି ନିଜ ସମର୍ଥକମାନଙ୍କୁ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି।
ଦୁଇ ଜଣ ନାବାଳିକାଙ୍କ ତରଫରୁ ଗୋଟିଏ ଏନଜିଓ ସଂସ୍ଥା ଶିବମୂର୍ତ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା। ଏନେଇ ମହୀଶୂର ସିଟି ପୁଲିସ୍ ଗୋଟିଏ ଏଫଆଇଆର ରୁଜୁ କରିବା ସହ ପୋକସୋ ଆକ୍ଟ ମଧ୍ୟ ଲଗାଇଥିଲା। ଏହାପରେ ତାଙ୍କୁ ପୁଲିସ୍ ମଠରୁ ନେଇ ଥାନାରେ ଅଟକ ରଖିଥିଲା। କିନ୍ତୁ ସେ ସନ୍ଧ୍ୟା ବେଳକୁ ସେ ମଠକୁ ଫେରିଛନ୍ତି।
ସେ ମଠକୁ ଫେରିବା ପରେ କହିଛନ୍ତି, “ଆପଣମାନେ ସମସ୍ତେ ମୋ ସହ ଥିବାରୁ ମୋତେ ସାହାସ ମିଳୁଛି। କୌଣସି ପ୍ରକାରର ଭୟ କରିବାର ଆବଶ୍ୟକ ନାହିଁ। ଆଇନକୁ ସମସ୍ତେ ସମ୍ମାନ କରନ୍ତୁ। ସମର୍ଥନ ସମୁଦ୍ର ଏଠାରେ ରହିଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।”
ଅନ୍ୟପକ୍ଷରେ ଚିତ୍ରାଦୁର୍ଗା ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଅଭିଯୁକ୍ତ ଶିବମୂର୍ତ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରୁ ମେଡିକାଲ ଟେଷ୍ଟ ସରିଥିଲେ ମଧ୍ୟ ପୁଲିସ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
କିଛି ଦିନ ତଳେ ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ଛାତ୍ରୀ ଶିବମୂର୍ତ୍ତିଙ୍କ ନାଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ସେମାନେ ‘ଓଦାନାଦି ସେବା ସଂସ୍ଥା’ ନାମକ ଏନ୍ଜିଓ ପାଖରେ ପହଞ୍ଚିଥିଲେ। ଏହି ଏନ୍ଜିଓ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଯିବା ସହ ପୁଲିସ୍ରେ ଅଭିଯୋଗ କରାଯାଇଥିଲା। ଏନେଇ ଶିବମୂର୍ତ୍ତିଙ୍କ ସମେତ ୫ ଜଣଙ୍କ ନାଁରେ ଏଫଆଇଆର କରିଥିଲା।
ମୁରୁଗା ମଠଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଏହି ଦୁଇ ନାବାଳିକା ସାଢ଼େ ୩ ବର୍ଷରୁ ଅଧିକ ସମୟ ହେବ ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ। ଅନେକ ବର୍ଷ ହେଲାଣି ମଠରେ ଏଭଳି ଅପକର୍ମ ଚାଲିଛି। କିନ୍ତୁ, ଭୟରେ ପିଲାମାନେ କିଛି କହି ପାରୁନାହାନ୍ତି। ଆମେ କୌଣସି ଚାପ ଅଥବା ଧମକ ଭୟରେ ଡରିବୁ ନାହିଁ। ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ। ଆମେ ଏଥିପ୍ରତି ପ୍ରତିବଦ୍ଧ ବୋଲି ଏନ୍ଜିଓ ସଂସ୍ଥା ‘ଓଦାନାଦି ସେବା ସମିତି’ର ମୁଖ୍ୟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/lingayat.jpg)