୪୦,୦୦୦ କୋଟିର ଦୁର୍ଗାପୂଜା, ୩ ଲକ୍ଷ ନିଯୁକ୍ତି

କୋଲାକତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା କେବଳ ପରମ୍ପରା କିମ୍ବା ମନୋରଞ୍ଜନ ପାଇଁ ହେଉନି। ବରଂ ଏହାର ପ୍ରଭାବ ଦେଶ ତଥା ରାଜ୍ୟର ଅର୍ଥନୀତି ଉପରେ ମଧ୍ୟ ରହିଛି। ଦୁର୍ଗାପୂଜାର ମେଢ଼ ଠାରୁ ଆରମ୍ଭ କରି ମା’ଙ୍କ ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ସାଜସଜ୍ଜା ପାଇଁ ପ୍ରତିବର୍ଷ ୪୦ ହଜାର କୋଟି ଟଙ୍କାର ବ୍ୟବସାୟ ହେଉଛି। ଏହି ଦୁର୍ଗାପୂଜା କାମ ଯୋଗୁ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ମିଳୁଛି।

ରାଜ୍ୟରେ ପ୍ରତିବର୍ଷ ୪୦ ହଜାର ପେଣ୍ଡାଲରେ ପୂଜା ହେଉଛି। କେବଳ କୋଲକେତାରେ ଏହି ସଂଖ୍ୟା ୩ ହଜାର ରହିଛି ବୋଲି ଏହି କାର୍ଯ୍ୟ ସହ ଜଡ଼ିତ ଅଂଶୀଦାରମାନେ କହିଛନ୍ତି। ପୂଜା ଯୋଗୁ ରାଜ୍ୟରେ ୩ରୁ ୪ ମାସ ଆର୍ଥିକ କାରବାର ବେଶ ଭଲ ରହିଥାଏ ବୋଲି ମଧ୍ୟ ସେମାନେ ସୂଚନା ଦେଇଛନ୍ତି।
୪୦୦ଟି ପୂଜା କମିଟିକୁ ନେଇ ଗଠିତ ଫୋରମ ଫର ଦୁର୍ଗା ଉତ୍ସବ(ଏଫଏଫଡି)ର ଅଧ୍ୟକ୍ଷ ପାର୍ଥ ଘୋଷ କହିଛନ୍ତି, “ପୂଜା କାମର ନେଣଦେଣ ୪୦ ହଜାର କୋଟିରୁ ଆଦୌ କମ ନୁହେଁ।

ପୂଜା ବଜାର ୩ରୁ ୪ ମାସ ତଳକୁ ଆରମ୍ଭ ହୁଏ। ଏହାର ପ୍ରସ୍ତୁତ ଓ କାମରେ ପ୍ରାୟ ଅଢ଼େଇରୁ ୩ ଲକ୍ଷ ଲୋକ ସାମିଲ ହୋଇ ରୋଜଗାର କରିବାକୁ ସକ୍ଷମ ହୁଅନ୍ତି। ପୂଜା କମିଟି ଗୁଡ଼ିକ ଛୋଟଛୋଟ ଉଦ୍ୟୋଗ ଭାବେ କାମ କରିବା ସହ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି।”

ଶ୍ରୀ ଘୋଷ ଦୀର୍ଘ ୫୨ ବର୍ଷ ହେଲା ଏଫଏଫଡି ସହ ଯୋଡ଼ି ହୋଇ ରହିଛନ୍ତି। ଏଥିସହ ଦକ୍ଷିଣ କୋଲକାତାର ଶିବ ମନ୍ଦିର ସାର୍ବଜନୀନ ଦୁର୍ଗା ପୂଜାର ସେ ଜଣେ ଆୟୋଜକ। ୫ ଦିନ ଧରି ମା’ଙ୍କ ପୂଜା ପାଇଁ ବିଭିନ୍ନ କ୍ଷେତ୍ରରେ ଲୋକମାନେ ସାମିଲ ହୁଅନ୍ତି। ପେଣ୍ଡାଲ ତିଆରି, ମା’ଙ୍କ ପ୍ରତିମୂର୍ତ୍ତି, ଇଲେକ୍ଟ୍ରିସିଆନ, ସିକ୍ୟୁରିଟି ଗାର୍ଡ, ପଣ୍ଡିତ, ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଉଥିବା ଲୋକ, ଶ୍ରମିକ, ଭୋଗ ଓ କ୍ୟାଟିନ ଭଳି କାମ ପାଇଁ ଲୋକଙ୍କୁ ନିଯୁକ୍ତି ଦିଆଯାଇଥାଏ।

ଶ୍ରୀ ଘୋଷ କହିଛନ୍ତି, ଆମେ ପରମ୍ପରା ପାଇଁ ଦୁର୍ଗାପୂଜା କରୁଥିବା ବେଳେ ଏହାଦ୍ୱାରା ଅନେକ ଲୋକ ଲାଭ ପାଉଛନ୍ତି। କେବଳ ଯେ ଦୁର୍ଗାପୂଜା ସହ ଜଡ଼ିତ ଲୋକଙ୍କୁ ନିଯୁକ୍ତି ମିଳୁଛି ତାହା ନୁହେଁ, ବରଂ ଫ୍ୟାଶନ, ଟେକ୍ସଟାଇଲ୍ସ, ଜୋତା, ପୋଷାକ, କସମେଟିକ ଓ ବିଭିନ୍ନ ଖୁଚୁରା ବ୍ୟବସାୟ କରୁଥିବା ଲୋକମାନେ ବି ରୋଜଗାର କ୍ଷମ ହେଉଛନ୍ତି। କାରଣ ପୂଜା ବେଳେ ଲୋକମାନେ ଏହି ସବୁ ଜିନିଷ ଅଧିକ ମାତ୍ରାରେ କିଣନ୍ତି। ଏହାବାଦ ବିଭିନ୍ନ ବହି, ବିଜ୍ଞାପନ, ଟୁର ଆଣ୍ଡ  ଟ୍ରାଭେଲ, ହୋଟେଲ, ରେଷ୍ଟୁରାଣ୍ଟ, ଫିଲ୍ମ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ର ମଧ୍ୟ ଏହି ୫ ଦିନ ମଧ୍ୟରେ ବହୁତ ଭଲ ରୋଜଗାର କରିବାକୁ ସକ୍ଷମ ହୁଅନ୍ତି ବୋଲି ସେ କହିଛନ୍ତି।

ଏଫଏଫଡି ସଭାପତି କାଜଲ ସରକାର କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ସହ ଜଡ଼ିତ ଆର୍ଥିକ କାରବାର ପ୍ରାୟ ୫୦ ହଜାର କୋଟି ପାର କରିବ ବୋଲି ଆଶା କରାଯାଉଛି। ଦୁଇ ବର୍ଷ ପରେ ପୂଜା ଭଲ ଭାବେ କରାଯାଉଛି। ଏଥିପାଇଁ ଲୋକଙ୍କ ଭିଡ଼ ଅଧିକ ରହୁଛି। ବିଭିନ୍ନ କର୍ପୋରେଟ୍ସ ମଧ୍ୟ ପ୍ରାୟୋଜକ ସାଜିବାକୁ ଆଗ୍ରହ ଦେଖାଇଛନ୍ତି। ସେମାନେ ରାଜ୍ୟରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କର ମଧ୍ୟ ଚଳିତ ବର୍ଷ ପୂଜା ବୁଲିବା ଓ ଏଠାରୁ ଜିନିଷ କିଣିବାର ଆଗ୍ରହ ଅଧିକ ରହିଥିବା ସେ ସୂଚନା ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଙ୍ଗଲର ଦୁର୍ଗାପୂଜାକୁ ୟୁନେସ୍କୋ ପକ୍ଷରୁ ସାଂସ୍କୃତି ଐତିହ୍ୟର ମାନ୍ୟତା ମିଳିଛି। ଏହି ମାନ୍ୟତା ସମସ୍ତଙ୍କ ସହଯୋଗ ଯୋଗୁ ମିଳି ପାରିଛି। ତେଣୁ ଆଗାମୀ ଦିନରେ ଏହା ବେଙ୍ଗଲର ଦୁର୍ଗାପୂଜା ପରମ୍ପରାକୁ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି।
୨୦୧୩ ବେଳକୁ ଦୁର୍ଗା ପୂଜା ବେଳେ ୨୫ ହଜାର କୋଟିର ଆର୍ଥିକ କାରବାର ହେଉଥିଲା।

ସେତେବେଳେ ଏହି କାରବାର ୩୫% ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ଯଦି ଏହାକୁ ଆମେ ବିଚାରକୁ ନେବା, ତା’ହେଲେ ଚଳିତ ବର୍ଷ ଦୁର୍ଗା ପୂଜା ବେଳେ ୭୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବା କୁହାଯାଇ ପାରେ। ବିଶେଷଜ୍ଞଙ୍କ ମତରେ ଦୁର୍ଗା ପୂଜା ବେଳେ ରାଜ୍ୟର ଅର୍ଥନୀତିକୁ ବେଶ ଫାଇଦା ମିଳିଥାଏ। ବ୍ରାଜିଲ ରିଓ ଡେ ଜାନେଇରୋ ଯେଉଁଭଳି ଭାବେ ଦେଶର ଅର୍ଥନୀତିକୁ ବଳ ଯୋଗାଥାଏ, ତା’ରୁ ଅଧିକ ରାଜସ୍ୱ ଦୁର୍ଗାପୂଜା ବେଳେ ବେଙ୍ଗଳକୁ ମିଳିଥାଏ।

ବ୍ରିଟିଶ କାଉନସିଲ ପକ୍ଷରୁ ଦୁର୍ଗାପୂଜା ବେଳେ ଆର୍ଥିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ୨୦୧୯ରେ ଦୁର୍ଗାପୂଜା ବେଳେ ହେଉଥିବା ଆର୍ଥିକ କାରବାର ରାଜ୍ୟ ଜିଡିପର ୨.୫୮%। ୨୦୧୯ ଦୁର୍ଗାପୂଜା ବେଳେ ପ୍ରାୟ ୩୩ ହଜାର କୋଟି ବା ୪.୫ ବିଲିୟନର ଡଲାରର କାରବାର ହୋଇଥିଲା। କିନ୍ତୁ କରୋନା ଯୋଗୁ ୨ ବର୍ଷ ସେତେଟା ଲାଭ ମିଳି ନଥିଲା। ଚଳିତ ବର୍ଷ ସ୍ଥିତି ବଦଳିବା ସହ ଦୁର୍ଗାପୂଜା ଶିଳ୍ପର ବିକାଶ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।