/odisha-reporter/media/post_attachments/uploads/2021/04/riyaz-kazi.jpg)
riyaz-kazi
ମୁମ୍ୱାଇ: ଖୋଲୁଛି ନିଲମ୍ୱିତ ପୁଲିସ ଅଧିକାରୀ ସଚିନ ବାଜେଙ୍କ ଅପରାଧିକ କାରନାମା। ଆଣ୍ଟେଲିଆ ମାମଲା ଏବଂ ମନସୁଖ ହିରେନ ମୃତ୍ୟୁ ମାମଲାରେ ଏବେ ସଚିନ ବାଜେଙ୍କ ସହଯୋଗୀ ତଥା ମୁମ୍ୱାଇ ପୁଲିସ ଅଧିକାରୀ ରିଆଜ କାଜିଙ୍କୁ ଏନଆଇଏ ଗିରଫ କରିଛି। ଗିରଫ କରିବା ପରେ ଏନଆଇଏ ରିଆଜଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରି ୧୬ ତାରିଖ ଯାଏ ନିଜ ହେପାଜତକୁ ନେଇଛି। ମନସୁଖ ହିରେନ ମୃତ୍ୟୁ ମାମଲାରେ ରିଆଜଙ୍କୁ ଏନଆଇଏ ପୂର୍ବରୁ ଜେରା କରିଥିଲା। ସଚିନ ବାଜେଙ୍କ ସମସ୍ତ ଅପରାଧିକ ମାମଲାର ହିସାବ କାଜିଙ୍କ ପାଖରେ ରହିଛି। ତେବେ ଗିରଫ ପୂର୍ବରୁ ରିଆଜ ରାଜସାକ୍ଷୀ ହେବାକୁ ରାଜି ହୋଇଥିବା ଏନଆଇଏ କୋର୍ଟରେ କହିଥିଲା।
ଏନଆଇଏ ତଦନ୍ତରେ ରିଆଜ କାଜି ସଚିନ ବାଜେ ସହିତ ଅପରାଧିକ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି। ପ୍ରମାଣ ନଷ୍ଟ କରିବାରେ ରିଆଜ କାଜିର ଭୂମିକା ସନ୍ଦେହ ଘେରରେ ଥିଲା। ଗତ ଦୁଇ ସପ୍ତାହରେ ତଦନ୍ତକାରୀ ଟିମ୍ ସଚିନ ବାଜେଙ୍କ ଅନେକ ଦାମୀ କାର ଜବତ କରିଛି। ଯେଉଁଥିରୁ ଅନେକ ନକଲି ନମ୍ବର ପ୍ଲେଟ ଉଦ୍ଧାର ହୋଇଥିଲା। ଏବେ ଏନଆଇଏ ଜାଣିବାକୁ ପାଇଛି ଯେ ରିଆଜ ହିଁ ସଚିନ ବାଜେଙ୍କୁ ନକଲି ନମ୍ବର ପ୍ଲେଟ ଯୋଗାଇବାରେ ସାହାଯ୍ୟ କରିଥିଲେ। ଏହାପୂର୍ବରୁ ସଚିନ୍ ବାଜେ ଯେଉଁଠି ରୁହନ୍ତି ସେଠିକାର ସିସିଟିଭି ଫୁଟେଜ୍ ରିଆଜ ଆଣି ମିଠି ନଦୀରେ ଫିଙ୍ଗି ଦେଇଥିଲେ। ଯାହାକୁ ଏନଆଇଏ ନଦୀରୁ ଉଦ୍ଧାର କରିଛି।
ସେହିପରି ରିଆଜ କାଜିଙ୍କର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ରିଆଜ ଏକ ନମ୍ୱର ପ୍ଲେଟ ଦୋକାନକୁ ଯାଇ ଗାଡ଼ି ନମ୍ୱର ବାବଦରେ କଥା ହେଉଥିବାର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ସଚିନ ବାଜେ କ୍ରାଇମବ୍ରାଞ୍ଚର ଇଣ୍ଟେଲିଜେଣ୍ଟ ୟୁନିଟର ନେତୃତ୍ୱ ନେଉଥିବା ବେଳେ ରିଆଜ ସହଯୋଗୀ ଭାବରେ କାମ କରୁଥିଲେ। ଟିଆରପି ସ୍କାମ ମାମଲା ପାଖରୁ ଆରମ୍ଭ କରି ଅନେକ ବଡ଼ ବଡ଼ ଘଟଣାର ତଦନ୍ତ ସଚିନ ବାଜେ କରୁଥିଲେ। ଆଉ ସହଯୋଗୀ ଭାବରେ ରିଆଜ ମଧ୍ୟ ସଚିନଙ୍କ ସାଙ୍ଗରେ ଥିଲେ। ମାର୍ଚ୍ଚରେ ମୁମ୍ୱାଇ ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଥିଲା। ଯେଉଁଥିରେ ରିଆଜଙ୍କୁ କ୍ରାଇମବ୍ରାଞ୍ଚରୁ ବାହାର କରି ଅନ୍ୟ ଦାୟିତ୍ୱ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
