/odisha-reporter/media/post_attachments/uploads/2022/06/Sanjya-Raut-1.jpg)
Sanjya-Raut
ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଶିବସେନାର ୩୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଭାଙ୍ଗିବା ସ୍ଥିତିକୁ ଚାଲି ଆସିଛି। ସରକାର ବଞ୍ଚାଇବା ପାଇଁ ଫୁଲଦମରେ ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରୟାସ କରୁଛନ୍ତି।
ହେଲେ ଏସବୁ ଭିତରେ ସଞ୍ଜୟ ରାଉତଙ୍କୁ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନନ ନିର୍ଦ୍ଦେଶାଳୟ ବା ଇଡି। ଆସନ୍ତାକାଲି ଗୋଟିଏ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଜେରା କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ମୁମ୍ବାଇ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ହୋଇଛି। ହେଲେ ସଞ୍ଜୟ ରାଉତ କାଲି ହାଜର ହେବେ କି ନାହିଁ ଜଣାପଡ଼ିନି।
ଏହାପୂର୍ବରୁ ସଞ୍ଜୟ ରାଉତ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ସମୟରେ ସଞ୍ଜୟ ରାଉତ କହିଥିଲେ ସରକାର ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ କରିବା ପଛରେ ଇଡିର ଭୟ ରହିଛି। ଇଡି ଭୟରେ ବିଧାୟକମାନେ ବିଜେପି ଆଡ଼କୁ ଢଳୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ୧୦୩୪ କୋଟି ପାତ୍ର ଚାୱଲ ଜମି ଦୁର୍ନୀତିର ଖୋଳତାଡ଼ କରି ଇଡି ଏପରି ପଦକ୍ଷେପ ନେଇଥିଲା। ଜବତ ସମ୍ପତ୍ତି ମଧ୍ୟରେ ସଞ୍ଜୟ ରାଉତଙ୍କ ଆଲିବାଗ ପ୍ଲଟ, ଦାଦ୍ରା ଓ ମୁମ୍ବାଇରେ ଥିବା ଫ୍ଲାଟ ରହିଛି।
ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହାପଛରେ ରାଜନୀତି ଅଭିସନ୍ଧି ରହିଥିବା ସଞ୍ଜୟ ରାଉତ ମାର୍ଚ୍ଚ ୨୫ରେ ଅଭିଯୋଗ କରିଥିଲେ। ଏସବୁ ଭିତରେ ତାଙ୍କୁ ଇଡି ଆସନ୍ତାକାଲି ହାଜର ହେବାକୁ ସମନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
