SC
ନୂଆଦିଲ୍ଲୀ: ପେଗାସସ ମାମଲାରେ ସୋମବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହି ମାମଲା ପାଇଁ ଏକ ସ୍ୱତନ୍ତ୍ର ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞଙ୍କ ବୈଷୟିକ କମିଟିକୁ କୋର୍ଟ ଅନୁମୋଦନ କରିପାରିବେ। ପେଗାସସ୍ ସ୍ପାଏଓ୍ୱୟରକୁ ନେଇ ଯେଉଁ ଅଭିଯୋଗ ରହିଛି ସମସ୍ତ ଦିଗ ଉପରେ ଦୃଷ୍ଟି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏହି କମିଟିକୁ ଅନୁମତି ଦେଇପାରିବେ। କେନ୍ଦ୍ର ସରକାର ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପ୍ରସଙ୍ଗରେ ଦୁଇ ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରି ଏହି ସବୁ କଥା କହିଛନ୍ତି। ହେଲେ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇ ପୃଷ୍ଠାର ସତ୍ୟପାଠକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ବିସ୍ତୃତ ସତ୍ୟପାଠ ଦାଖଲ କରାଯିବାର ଆବଶ୍ୟକ ରହିଛି ବୋଲି କୋର୍ଟ ହୃଦବୋଧ କରିଛନ୍ତି।
ତେଣୁ ମଙ୍ଗଳବାର ଏହି ପ୍ରସଙ୍ଗରେ କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ଶୁଣାଣି କରି କହିବେ କେନ୍ଦ୍ର ସରକାର ପେଗାସସ ପ୍ରସଙ୍ଗରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାର ଆବଶ୍ୟକତା ରହିଛି କି ନାହିଁ।
ଏହି ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେତା ପ୍ରଧାନ ବିଚାରପତି ଏନ୍ ଭି ରମନ୍ନାଙ୍କ ଆଗରେ କହିଥିଲେ ଯେ ସରକାର ଲୁଚାଇବାକୁ କିଛି ଚାହୁଁ ନାହାଁନ୍ତି ଏବଂ ପେଗାସସ୍ ବ୍ୟବହାର ହୋଇଛି କି ନାହିଁ ଅନ୍ୟ ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରି ବିଶେଷଜ୍ଞ କମିଟି ତଦନ୍ତ କରିପାରିବ। ଜବାବରେ ସିଜେଆଇ କହିଛନ୍ତି, ଆମେ ସରକାରଙ୍କ ବିରୋଧରେ କିଛି କହୁ ନାହୁଁ। ଏହା ପ୍ରସଙ୍ଗ ନୁହେଁ। ହେଲେ ପେଗାସସ୍ କିଣା ହୋଇଛି କି ନାହିଁ କିପରି ତଦନ୍ତ ହେବ?
ଏହାପରେ ସିଲିସିଟର ଜେନାରାଲ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ କମିଟି ଏଥିପାଇଁ ସର୍ତ୍ତାବଳୀ ରଖିପାରିବେ। ଯେଉଁ ସଦସ୍ୟ ରହିବେ ସେମାନେ ସରକାରୀ କର୍ମଚାରୀ ରହିବେ ନାହିଁ ତେଣୁ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରାଯାଇ ତଦନ୍ତ ହୋଇପାରିବ।
ସେହିପରି ଏହି ପ୍ରସଙ୍ଗରେ ଅନ୍ୟତମ ଆବେଦନକାରୀ ସାମ୍ବାଦିକ ଏନ୍ ରାମଙ୍କୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ପେଗାସସ ବ୍ୟବହାର ହୋଇଛି କି ନାହିଁ ସରକାର ଏହା କହିବା ଉଚିତ। ଯଦି ସରକାର କହିବେ ତାହେଲେ କୌଣସି ଜାତୀୟ ସୁରକ୍ଷା ପ୍ରସଙ୍ଗ ପ୍ରକାଶ ହେବ ନାହିଁ ବୋଲି ସିବଲ କହିଛନ୍ତି।
ଯଦି ସରକାର ଅନିଚ୍ଛା ପ୍ରକାଶ କରନ୍ତି ଏବଂ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଚାହାଁନ୍ତି ନାହିଁ, ତେବେ ଆମେ ସରକାରଙ୍କୁ କିପରି ବାଧ୍ୟ କରିପାରିବା ବୋଲି ପ୍ରଧାନ ବିଚାରପତି କହିଥିଲେ। ଏହାପରେ ସିବଲ କହିଛନ୍ତି ଯେ ସରକାର ଏପରି ଥରେ କୁହନ୍ତୁ। ଯଦି ସରକାର ଏପରି କହିବେ ତାହେଲେ ଆମେ ଅନ୍ୟ ପ୍ରସଙ୍ଗରେ ବିତର୍କ କରିପାରିବା।
ସୂଚନାଯୋଗ୍ୟ, ପେଗାସସ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ବଢିଥିଲା। ସରକାର ପେଗାସସ ସଫ୍ଟଓୟାରକୁ ବ୍ୟବହାର କରି ବେଆଇନ ଭାବେ ଗୁଇନ୍ଦାଗିରି କରୁଛନ୍ତି ବୋଲି ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ। ଯେଉଁମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କ ମଧ୍ୟରେ ସାମ୍ବାଦିକ, ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା ଓ ନ୍ୟାୟପାଳିକାରେ ଜଡିତ ଥିବା ଅନେକ ବ୍ୟକ୍ତି ରହିଥିଲେ।
ପୂର୍ବରୁ ମଧ୍ୟ ଗତ ୧୦ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାରେ ଶୁଣାଣି ହୋଇଥିଲା। ସେତେବେଳେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଯାଞ୍ଚ ନେଇ ଦାଖଲ ହୋଇଥିବା କିଛି ଆବେଦନ ଉପରେ ଟିପ୍ପଣୀ କରିଥିଲେ। ଅନୁଶାସନ ଓ ନ୍ୟାୟପାଳିକା ଉପରେ ବିଶ୍ୱାସ ରଖିବା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ସେପଟେ ଏହି ମାମଲାକୁ ନେଇ ସଂସଦରେ ମଧ୍ୟ ଜୋରଦାର ହଙ୍ଗାମା ହୋଇଥିଲା। ବରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହର କାର୍ଯ୍ୟକାଳ ଚାଲିପାରିନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/SC-1.jpg)