ନୂଆଦିଲ୍ଲୀ: ରୁଷ ଟିକା ସ୍ପୁଟନିକ-ଭିର ଉତ୍ପାଦନ ଦାୟିତ୍ୱ ପାଇଛି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ। ପୂର୍ବରୁ କୋଭିସିଲ୍ଡ ଓ ନୋଭାକ୍ସ ଟିକା ଉତ୍ପାଦନ କରୁଥିବା ସେରମ ଏବେ ଭାରତରେ ସ୍ପୁଟନିକ ଟିକା ଉତ୍ପାଦନ କରିବ। ବୁଧବାର କମ୍ପାନୀ ଡିସିଜିଆଇକୁ ଉତ୍ପାଦନ ପାଇଁ ଅନୁମତି ମାଗିଥିଲା। ଆଜି ଡିସିଜିଆଇ ଏହି ଅନୁମତି ଉପରେ ମୋହର ମାରିଛି।
ମିଳିଥିବା ସୂଚନା ଅନୁଯାୟୀ, ଡିସିଜିଆଇ ସେରମକୁ ଭାରତରେ ସ୍ପୁଟନିକ କୋଭିଡ ଟିକା ଉତ୍ପାଦନ କରିବାକୁ ଅନୁମତି ଦେଇଛି। ପରୀକ୍ଷଣ, ଯାଞ୍ଚ ଓ ବିଶ୍ଲେଷଣ ପାଇଁ ସେରମକୁ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିଛି। କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ।
ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଥିଲା।
ସେରମ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଆମକୁ ପ୍ରାଥମିକ ଅନୁମତି ମିଳିଛି। କେବଳ ଟିକାର ପରୀକ୍ଷଣ ଓ ବିଶ୍ଲେଷଣ ଆମେ କରିବୁ। ପ୍ରକୃତରେ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ଆଉ କିଛି ମାସ ଲାଗିବ। ବର୍ତ୍ତମାନ ଆମର ଫୋକ୍ସ କୋଭିସିଲ୍ଡ ଓ କୋଭାକ୍ସ ଉତ୍ପାଦନ ଉପରେ ରହିଛି।
ଭାରତର ୭ନଂ କମ୍ପାନୀମାନେ ସେରମ ସ୍ପୁଟନିକ-ଭି ଟିକାର ଉତ୍ପାଦନ ମଧ୍ୟ କରିବ। ସେରମ ଜୁନ୍ ମାସରେ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ କରିବ ବୋଲି ଭାରତ ସରକାରଙ୍କୁ କହିଛି। ଏଥିସହ ନୋଭାକ୍ସ ଟିକା ମଧ୍ୟ ସେରମ ଉତ୍ପାଦନ କରୁଛି। ଏବେ କମ୍ପାନୀ ସ୍ପୁଟନିକ-ଭି ଉତ୍ପାଦନ କରିବାକୁ ଅନୁମତି ପାଇଛି।
ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି। ଏମାନଙ୍କ ମଧ୍ୟରେ ଡା ରେଡ୍ଡି ଲ୍ୟାବ, ଗ୍ଲାଣ୍ଡ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଓ ଭୀରକୋ ବାୟୋଟେକ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।