ଉଦୟପୁର: ରାଜସ୍ଥାନ ଉଦୟପୁରରେ ଟେଲର କହ୍ନୈୟା ଲାଲଙ୍କ ହତ୍ୟାକୁ ନେଇ ସାଂପ୍ରଦାୟକି ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏଥି ପାଇଁ ପ୍ରଶାସନ କର୍ଫ୍ୟୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। ସ୍ପଷ୍ଟ ଦିବାଲୋକରେ କହ୍ନୈୟା ଲାଲଙ୍କୁ ଦୁଇ ଜଣ ଯୁବକ ବେକ କାଟି ହତ୍ୟା କରିଛନ୍ତି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।
ଘଟଣା ପରେ ଉଭୟ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ଗୋଟିଏ ଭିଡିଓ ଜାରି କରି କହ୍ନୈୟା ଲାଲଙ୍କୁ ମୁଣ୍ଡ କାଟି ହତ୍ୟା କରିଥିବା ଦାବି କରିଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୁଲିସ ସନ୍ଧ୍ୟାରେ ଭିଡିଓରେ ଥିବା ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀକୁ ଗିରଫ କରିଛି। ଉଭୟଙ୍କୁ ରାଜସମନ୍ଦ ଜିଲ୍ଲାର ଭୀମରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରେ ପୁଲିସ୍ ପହଞ୍ଚିଲା ବେଳକୁ ଉଭୟ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ କରାଯାଇଥିବା ଟ୍ୱିଟ ପାଇଁ କହ୍ନୈୟା ଲାଲଙ୍କୁ ହତ୍ୟା କରାଯାଇଛି। ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ବୟାନ ଦେଇଥିବାରୁ ଏହାକୁ ନେଇ ପୂରା ବିଶ୍ୱରେ ନିନ୍ଦା କରାଯାଇଥିଲା। ଡ୍ୟାମେଜ କଣ୍ଟ୍ରୋଲ ପାଇଁ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।
ହେଲେ କହ୍ନୈୟା ଲାଲଙ୍କ ସୋଶାଲ ମିଡିଆ ଆକାଉଣ୍ଟରୁ ତାଙ୍କର ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିଲା। ଏହାକୁ ନେଇ ଦୁଇ ସଂପ୍ରଦାୟକ ମଧ୍ୟରେ ସୋଶାଲ ମିଡିଆରେ ଝଡ଼ ଦେଖା ଯାଇଥିଲା। ଏପରି କି କହ୍ନୈୟାଙ୍କୁ ପୁଲିସ୍ ବିବାଦୀୟ ପୋଷ୍ଟ ଘଟଣାରେ ଜେରା ମଧ୍ୟ କରିଥିଲା। ଏସବୁ ଭିତରେ ହିଁ ଦୁଇ ଜଣ ଯୁବକ ଆଜି ମଧ୍ୟାହ୍ନରେ କହ୍ନୈୟା ଲାଲଙ୍କୁ ଦୋକାନ ଭିତରେ ପଶି ହତ୍ୟା କରିଛନ୍ତି।
ଆଜି ମଧ୍ୟାହ୍ନରେ ଉଦୟପୁରର ଜନଗହଳୀ ପୂର୍ଣ୍ଣ ଧନ ମଣ୍ଡି ମାର୍କେଟରେ ଥିବା ଦୋକାନରେ କହ୍ନୈୟା ରହିଥିଲେ। ଏହି ସମୟରେ ଦୁଇ ଆକ୍ରମଣକାରୀ ଗ୍ରାହକ ବେଶରେ ଦୋକାନକୁ ଯାଇଥିଲେ। କହ୍ନୈୟା ଲାଲ ଜଣେ ଯୁବକଙ୍କ ପୋଷାକ ତିଆରି କରିବା ପାଇଁ ମାପ ନେଇଥିବା ବେଳେ ଆଉ ଜଣେ ଭିଡିଓ ଶୁଟିଂ କରିଥିଲା। ହଠାତ କହ୍ନୈୟା ମାପ ନେଉଥିବା ବେଳେ ଉକ୍ତ ଯୁବକ ଜଣଙ୍କ ଗୋଟିଏ ଧାରୁଆ ଅସ୍ତ୍ରଶସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା।
କ୍ୟାମେରା ଶୁଟିଂ କରୁଥିବା ଯୁବକ ଜଣଙ୍କ ମଧ୍ୟ ସେହି ସମୟରେ ଆକ୍ରମଣ କରିଥିବା ଭିଡିଓରୁ ଜଣାପଡ଼ିଛି। ପ୍ରଥମେ କୁହାଯାଇଥିଲା ଯେ କହ୍ନୈୟା ଲାଲଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ହତ୍ୟା କରାଯାଇଛି। ହେଲେ ପୁଲିସ୍ କହିଛି ଯେ କହ୍ନୈୟା ଲାଲଙ୍କ ମୁଣ୍ଡକୁ ଅଲଗା କରିବା ପାଇଁ ସେମାନେ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସେମାନେ ସଫଳ ହୋଇ ନାହାନ୍ତି। ତାଙ୍କ ବେକକୁ ହିଁ କଟା ଯାଇଛି। ଏହାକୁ ନେଇ ପୂରା ଉଦୟପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।