Advertisment

ମହାପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କଲେ, ଆନ୍ଦୋଳନ ବନ୍ଦ ହେବନି କହିଲେ ଚାଷୀ ନେତା

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ଉତ୍ତର ପ୍ରଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ମହାପଞ୍ଚାୟତ ଆୟୋଜନ କରାଯାଇଛି। ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗ ଦେଇ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ସମସ୍ତ ଦାବି ପୂରଣ ନ ହେବା ଯାଏ ଚାଷୀମାନେ ଆନ୍ଦୋଳନ ସ୍ଥଳରୁ କେଉଁ ଆଡ଼େ ଯିବେ ନାହିଁ ବୋଲି ଚାଷୀନେତା ରାକେଶ ଟିକାୟତ କହିଛନ୍ତି। ଏଥିସହ ସରକାର ଚାଷୀଙ୍କ ସହ କଥା ହୁଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। […]

ମହାପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କଲେ, ଆନ୍ଦୋଳନ ବନ୍ଦ ହେବନି କହିଲେ ଚାଷୀ ନେତା

Farmer

Advertisment

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ଉତ୍ତର ପ୍ରଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ମହାପଞ୍ଚାୟତ ଆୟୋଜନ କରାଯାଇଛି। ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗ ଦେଇ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ସମସ୍ତ ଦାବି ପୂରଣ ନ ହେବା ଯାଏ ଚାଷୀମାନେ ଆନ୍ଦୋଳନ ସ୍ଥଳରୁ କେଉଁ ଆଡ଼େ ଯିବେ ନାହିଁ ବୋଲି ଚାଷୀନେତା ରାକେଶ ଟିକାୟତ କହିଛନ୍ତି। ଏଥିସହ ସରକାର ଚାଷୀଙ୍କ ସହ କଥା ହୁଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Advertisment

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ହିଁ ଚାଷୀମାନେ ୨୨ ତାରିଖରେ ମହାପଞ୍ଚାୟତ କରିବେ ବୋଲି ଘୋଷଣା କରିଥିଲେ। ତେଣୁ ସେମାନେ ଆଜି ଯୋଜନା ମୁତାବକ ମହାପଞ୍ଚାୟତ କରିଛନ୍ତି। ମହାପଞ୍ଚାୟତରେ ହଜାର ହଜାର ଚାଷୀ ଏକାଠି ହୋଇ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦେବାକୁ ଦାବି କରିଛନ୍ତି। କେବଳ ଧାନ କିମ୍ବା ଗହମ ନୁହେଁ ସବୁ ଉତ୍ପାଦ ଉପରେ ଉପଯୁକ୍ତ ଏମଏସ୍‌ପିର ଗ୍ୟାରେଣ୍ଟି ପାଇଁ ସେମାନେ କହିଛନ୍ତି।

ମହାପଞ୍ଚାୟତରେ ସମ୍ବୋଧନ କରି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ କହିଛନ୍ତି, ଏବେ ବି ଅନେକ ପ୍ରସଙ୍ଗ ରହିଛି, ଯାହାର ସମାଧାନ ହୋଇନି। କିନ୍ତୁ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ସବୁ ପ୍ରସଙ୍ଗର ସମାଧାନ ନ ହେବା ଯାଏ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ।

Advertisment

ଆମକୁ ଲାଗୁଛି ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ପରେ ଚାଷୀଙ୍କ ସହ ଆଲୋଚନା କରିବାକୁ ଚାହୁଁ ନାହାନ୍ତି। ସରକାର ଆମ ସହ କଥା ହୋଇ ଅନ୍ୟ ପ୍ରସଙ୍ଗ ବିଷୟରେ ଆଲୋଚନା କରନ୍ତୁ। ଫଳରେ ଆମେ ଗାଁକୁ ଯିବା ଆରମ୍ଭ କରିବୁ। ଏମଏସପି ଗ୍ୟାରେଣ୍ଟ ଆଇନ, ମଞ୍ଜି ବିଲ ଓ ଦୁଗ୍ଧ ନୀତି ଭଳି ପ୍ରସଙ୍ଗ ବିଷୟରେ ସରକାର ଆଲୋଚନା କରିବା କଥା।

ଯଦି ସରକାର ଏହି ସବୁ ପ୍ରସଙ୍ଗର ସମାଧାନ ନ କରିନ୍ତି, ତା’ହେଲେ ଆମେ ଘରକୁ ଫେରିବୁନି। ସେହିପରି ଆନ୍ଦୋଳନ ମଧ୍ୟ ଜାରି ରଖିବୁ। ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିଛନ୍ତି। କିନ୍ତୁ ଏହାର କୌଣସି ଆବଶ୍ୟକ ନାହିଁ। ସେ କେବଳ ଆମର ପ୍ରସଙ୍ଗଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରନ୍ତୁ ବୋଲି ସେ କହିଛନ୍ତି।


ରବିବାର ମଧ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚିଠି ଲେଖା ଯିବା ସହ ୬ଟି ଦାବି ଉପସ୍ଥାନ କରାଯାଇଥିଲା। ଏଥିରେ ସେମାନେ ସରକାରଙ୍କୁ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସେମାନେ ଏମଏସ୍‌ପି ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ଦାବି କରିଛନ୍ତି। କାରଣ ତାଙ୍କ ପୁଅ ଆଶିଷ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାରେ ଗିରଫ ହୋଇଛନ୍ତି। ତେଣୁ ମୃତ ଚାଷୀଙ୍କୁ ନ୍ୟାୟ ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା କରିବାକୁ ଦାବି କରିଛି।

ଆଜିର ମହାପଞ୍ଚାୟତରେ ରାଷ୍ଟ୍ରୀୟ କିଷାନ ମଞ୍ଚର ସଭାପତି ଶେଖର ଦିକ୍ଷୀତ କହିଛନ୍ତି, “ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ସବୁ ରାଜ୍ୟରେ ବିଜେପି ହାତରୁ ଏବେ କ୍ଷମତା ଚାଲି ଯିବାର ସ୍ଥିତି ସୃଷ୍ଟି ହୋଇଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏପରି ନିଷ୍ପତ୍ତି ନେଇଛନ୍ତି।”

ସୂଚନାଯୋଗ୍ୟ, ୨୦୨୦ ନଭେମ୍ବର ୨୬ରୁ ଶତାଧିକ ଚାଷୀ ଦିଲ୍ଲୀର ସିଙ୍ଘୁ, ଟିକରି ଓ ଗାଜିପୁର ସୀମାରେ ଆନ୍ଦୋଳନ କରୁଛନ୍ତି। କୃଷି ଆଇନ ପ୍ରତ୍ୟାହାର ସହ ଏମଏସପିର ଆଇନଗତ ମାନ୍ୟତା ପାଇଁ ସେମାନେ ଦାବି ଜାରି ରଖିଛନ୍ତି। ଚାଷୀ ଆନ୍ଦୋଳନକୁ ଠିକ୍ ବର୍ଷେ ପୂରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି।

ତେବେ ଏମଏସପିର ଆଇନଗତ ମାନ୍ୟତା ଉପରେ କୌଣସି ନିଷ୍ପତ୍ତି ହୋଇ ନଥିବାରୁ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବେନି ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe