ମାଲିସ ଭିଡିଓ ଲିକ୍‌ ଘଟଣା: ଇଡିକୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ମାଲିସ କରାଯାଉଥିବା ଭିଡିଓ ଘଟଣାକୁ ନେଇ ରାଜନୀତିକ ଜୋର ଧରିଛି। ବିଜେପି ଓ ଆପ୍‌ ଏହି ଘଟଣାକୁ ନେଇ ମୁହାଁମୁହିଁ ହେଉଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ। ଜେଲ ଭିତରର ସିସିଟିଭି କେମିତି ଲିକ୍‌ ହେଲା, ସେକଥା ଜାଣିବା ପାଇଁ କୋର୍ଟ ଇଡିକୁ ନୋଟିସ କରିଛନ୍ତି। କୋର୍ଟ ଏହାକୁ ଗମ୍ଭୀର ଅବହେଳା ବୋଲି କହିଛନ୍ତି। ଏଥିସହ ଏହା ଅଦାଲତ […]

aap1

  • Published: Saturday, 19 November 2022
  • , Updated: 19 November 2022, 06:05 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ମାଲିସ କରାଯାଉଥିବା ଭିଡିଓ ଘଟଣାକୁ ନେଇ ରାଜନୀତିକ ଜୋର ଧରିଛି। ବିଜେପି ଓ ଆପ୍‌ ଏହି ଘଟଣାକୁ ନେଇ ମୁହାଁମୁହିଁ ହେଉଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ।

ଜେଲ ଭିତରର ସିସିଟିଭି କେମିତି ଲିକ୍‌ ହେଲା, ସେକଥା ଜାଣିବା ପାଇଁ କୋର୍ଟ ଇଡିକୁ ନୋଟିସ କରିଛନ୍ତି। କୋର୍ଟ ଏହାକୁ ଗମ୍ଭୀର ଅବହେଳା ବୋଲି କହିଛନ୍ତି। ଏଥିସହ ଏହା ଅଦାଲତ ଅବମାନନା ଭିତରେ ଆସୁଛି କି ନାହିଁ, ସେକଥା ଜଣାଇବାକୁ ଇଡିକୁ କହିଛନ୍ତି। କାରଣ ସିସିଟିଭି ଫୁଟେଜ ଲିକ୍‌ ନ କରିବାକୁ ଇଡି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ତଥାପି ମାଲିସ ବେଳର ଭିଡିଓ ସାମ୍ନାକୁ ଆସିଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶନିବାର ବିଜେପିର ଏକାଧିକ ନେତା ତିହାର ଜେଲ ଭିତରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାଲିସ ବେଳର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ଭାଇରାଲ କରିଥିଲେ। ଏଥିସହ ଜେଲରେ ମିଳୁଥିବା ଭିଭିଆଇପି ସୁବିଧାକୁ ନେଇ ଆପ୍‌କୁ ଟାର୍ଗେଟ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଜୈନଙ୍କ ଟିମ୍‌ ତୁରନ୍ତ କୋର୍ଟରେ ପହଞ୍ଚି ଇଡି ବିରୋଧରେ ଅଦାଲତ ଅବମାନନା କେସ୍‌ ଚଳାଇବାକୁ ଆବେଦନ କରିଛି।

ଜୈନଙ୍କ ଲିଗାଲ ଟିମ କହିଛି ଯେ ସତ୍ୟପାଠ ଦାଖଲ ସତ୍ତ୍ୱେ ଇଡି ସିସିଟିଭି ଫୁଟେଜକୁ ଲିକ କରିଛି। ତେଣୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ଶୁଣିବା ପରେ ସ୍ୱତନ୍ତ୍ର ଜଜ ବିକାଶ ଧୁଲ ଇଡିକୁ ନୋଟିସ କରିଛନ୍ତି। ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ମହମ୍ମଦ ଈର୍ଶାଦ କହିଛନ୍ତି, “ବିଜେପି ଓ ଅନ୍ୟମାନଙ୍କୁ ତିହାର ଜେଲର ସିସିଟିଭି ଫୁଟେଜ ଲିକ୍‌ କରିଥିବାରୁ ଇଡିକୁ ସ୍ୱତନ୍ତ୍ର କୋର୍ଟ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। କୋର୍ଟ ସୋମବାର ବିଜେପି କେମିତି ଏହି ସମ୍ବେଦଶୀଳ ଭିଡିଓ ପାଇଲା ଓ କାହିଁକି ଏହାକୁ ଭାଇରାଲ କରାଗଲା, ତା’ର ଶୁଣାଣି କରିବେ।

ଶନିବାର ସକାଳ ଠାରୁ ଜେଲ ଭିତରେ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯାଉଥିବା ସଂପୂର୍ଣ୍ଣ ବଡି ମସାଜର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ ଦିନ ତଳେ ବିଜେପି ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭିଭିଆଇପି ସୁବିଧା ମିଳୁଥିବା ଅଭିଯୋଗ କରିଥିଲା। ଏଥିପାଇଁ ଦଳ ପକ୍ଷରୁ ଜୈନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିଲା। ଏହି ଦାବିର ଦୁଇ ଦିନ ପରେ ଭିଡିଓ ସାମ୍ନାକୁ ଆସିଛି। ଭିଡିଓକୁ ୧୩ ସେପ୍ଟେମ୍ବରର ବୋଲି କୁହାଯାଉଛି।

Related story