/odisha-reporter/media/post_attachments/uploads/2021/08/MOH.jpg)
MOH
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ସରକାରକୁ କହିଛନ୍ତି ଯେ ଲୋକମାନେ ପ୍ଲାଷ୍ଟିକରେ ତିଆରି ଜାତୀୟ ପତାକା ବ୍ୟବହାର କରିବା ଉପରେ ରୋକ୍ ଲଗାଇବା ଦରକାର। ଏଭଳି ନିର୍ଦ୍ଦେଶ ଦେବା ପଛର କାରଣ ଦେବାକୁ ଯାଇ ଗୃହ ମନ୍ତ୍ରାଳୟ କହିଛି ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକାକୁ ଠିକ୍ ଭାବରେ ମାଟିରେ ମିଶେ ନାହିଁ। ଏହା ଶଢ଼ିବାକୁ ଅଧିକ ସମୟ ଲାଗେ। ତେଣୁ ଏପରି ସମସ୍ୟା ରହିଥିବାରୁ ଏହାର ବ୍ୟବହାର ଉପରେ ରୋକ୍ ଲଗାଇବା ଠିକ୍ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ଚିଠିରେ କହିଛନ୍ତି ଯେ ଜାତୀୟ ପତାକା ଦେଶର ଲୋକଙ୍କ ଆଶା, ଆକାଂକ୍ଷାକୁ ପ୍ରତିପାଦିତ କରୁଛି ତେଣୁ ଏହାକୁ ସର୍ବଦା ସମ୍ମାନ ଦିଆଯିବା ଉଚିତ। ଜାତୀୟ ପତାକା ପାଇଁ ସମସ୍ତଙ୍କ ମନରେ ସ୍ନେହ, ସମ୍ମାନ ଏବଂ ବିଶ୍ୱାସ ରହିଛି। ତଥାପି ଜାତୀୟ ପତାକା ପ୍ରଦର୍ଶନ ପାଇଁ ପ୍ରଯୁଜ୍ୟ ଆଇନ ଏବଂ ପରମ୍ପରା ସମ୍ବନ୍ଧରେ ସରକାରୀ ସଂସ୍ଥା ମଧ୍ୟରେ ସଚେତନତାର ଅଭାବ ରହିଛି।
ଗୃହ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଜାତୀୟ, ସାଂସ୍କୃତିକ ତଥା କ୍ରୀଡା କାର୍ଯ୍ୟକ୍ରମରେ କାଗଜରେ ନିର୍ମିତ ଜାତୀୟ ପତାକା ବଦଳରେ ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଉଛି। ଚିଠିରେ କୁହାଯାଇଛି ଯେ ଯେହେତୁ ପ୍ଲାଷ୍ଟିକ୍ ପତାକା କାଗଜ ପତାକା ପରି ମାଟିରେ ଶୀଘ୍ର ମିଶେ ନାହିଁ ଏବଂ ପତାକାର ସମ୍ମାନ ପାଇଁ ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକାର ବ୍ୟବହାର ଉପରେ ରୋକ୍ ଲଗାଇବା ଦରକାର। ତେଣୁ ଫ୍ଲାଗ କୋଡ ଅଫ୍ ଇଣ୍ଡିଆର ୨୦୦୨ ଅନୁଯାୟୀ ଲୋକମାନେ କେବଳ କାଗଜ ତିଆରି ପତାକା ବ୍ୟବହାର କରିବା ଠିକ୍ ହେବ ବୋଲି ଗୃହ ମନ୍ତ୍ରାଳୟ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
