Advertisment

ପେଗାସସ୍‌ ଗୁଇନ୍ଦାଗିରି: ତଦନ୍ତ ପାଇଁ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ଘଟଣାରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହାର ତଦନ୍ତ ପାଇଁ  ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏହି ଘଟଣାରେ ବିସ୍ତୃତ ନିର୍ଦ୍ଦେଶନାମା ଆସନ୍ତା ସପ୍ତାହରେ ପ୍ରକାଶ ପାଇବ। ଓପନ କୋର୍ଟରେ ସିଜେଆଇ ଜଷ୍ଟିସ ରମନ୍ନା ବରିଷ୍ଠ ଆଇନଜୀବୀ […]

author-image
Hemant Lenka
ଅଦ୍ୟତନ ହୋଇଛି
ପେଗାସସ୍‌ ଗୁଇନ୍ଦାଗିରି: ତଦନ୍ତ ପାଇଁ କମିଟି ଗଠନ କରିବେ ସୁପ୍ରିମକୋର୍ଟ

Pegasus

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ଘଟଣାରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହାର ତଦନ୍ତ ପାଇଁ  ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏହି ଘଟଣାରେ ବିସ୍ତୃତ ନିର୍ଦ୍ଦେଶନାମା ଆସନ୍ତା ସପ୍ତାହରେ ପ୍ରକାଶ ପାଇବ।

Advertisment

ଓପନ କୋର୍ଟରେ ସିଜେଆଇ ଜଷ୍ଟିସ ରମନ୍ନା ବରିଷ୍ଠ ଆଇନଜୀବୀ ସିୟୁ ସିଂହଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ପେଗାସସ୍‌ ଗୁଇନ୍ଦାଗିରି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ ଚାହୁଁଛନ୍ତି। ଚଳିତ ସପ୍ତାହରେ ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବାକୁ ଲକ୍ଷ୍ୟ ରଖିଥିଲେ। ବିଶେଷଜ୍ଞ କମିଟିରେ ସାମିଲ ହୋଇ ତଦନ୍ତ କରିବାକୁ ଥିବା ଲୋକଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ଚଳିତ ସପ୍ତାହରେ ତଦନ୍ତରେ ସାମିଲ ହୋଇପାରିବେ ନାହିଁ। ଆମେ ସେମାନଙ୍କୁ ଯୋଗାଯୋଗ କରିଥିଲୁ। ହେଲେ ବ୍ୟକ୍ତିଗତ କାରଣରୁ ସେମାନେ ଅନୁପସ୍ଥିତ ରହିବେ ବୋଲି କହିଛନ୍ତି। ତେଣୁ ଆସନ୍ତା ସପ୍ତାହରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ସିଜେଆଇ ଶୁଣାଣି ବେଳେ କହିଛନ୍ତି।

Advertisment

ଜଷ୍ଟିସ ରମନ୍ନା କହିଛନ୍ତି, “ଆମେ ଆସନ୍ତା ସପ୍ତାହ ସୁଦ୍ଧା ତଦନ୍ତ ପାଇଁ ଗଠନ ହେବାକୁ ଥିବା ବୈଷୟିକ ବିଶେଷଜ୍ଞ କମିଟି ସଦସ୍ୟଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏହାପରେ ବିସ୍ତୃତ ରାୟ ପ୍ରକାଶ ପାଇବ।”

ଏହାପୂର୍ବରୁ କେନ୍ଦ୍ର ସରକାର ପେଗାସସ୍ ବିବାଦ ତଦନ୍ତ ପାଇଁ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପୂରା ଘଟଣା ସମ୍ପର୍କରେ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ କେନ୍ଦ୍ର ସରକାର ମନା କରିଥିଲେ। ଜାତୀୟ ସୁରକ୍ଷା ଆଳରେ ପେଗାସସ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ତେବେ ସୁପ୍ରିମକୋର୍ଟ କେବଳ ପେଗାସସ୍‌ ଦ୍ୱାରା ଭାରତର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ଗୁଇନ୍ଦାଗିରି ହୋଇଛି କି ନାହିଁ, ସେକଥା ଜାଣିବାକୁ ଚାହିଁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ। ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା, ସାମ୍ବାଦିକ, ଶିଳ୍ପପତି, ପୂର୍ବତନ ବିଚାରପତି ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଫୋନ ନଂ ରହିଛି।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ରିପୋର୍ଟ ସାର୍ବଜନୀନ ହୋଇଥିଲା। ଫଳରେ ଗୃହରେ ପେଗାସସ୍‌ ଝଡ଼ ଦେଖିବାକୁ ମିଳିଥିଲା। ବିରୋଧୀ ଘଟଣାର ତଦନ୍ତ ଦାବି କରିବା ସହ ସଂସଦରେ ପୂରା ଘଟଣା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ହେଲେ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଥିଲେ।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଦାବି କରି ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶି କୁମାର, ସିପିଏମ ସାଂସଦ ଜନ ବ୍ରିଟ୍ଟାସ ଓ ଆଇନଜୀବୀ ଏମଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ସରକାର ପେଗାସସର ଲାଇସେନ୍ସ ରଖିଛନ୍ତି କି ନାହିଁ, ତା’ର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଥିଲେ। ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ୪ ଜଣ ସାମ୍ବାଦିକ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନିବେଦନ କରିଥିଲେ। ଏସବୁ ଆବେଦନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟ କରିଛନ୍ତି। 

Pegasus Spyware