ନୂଆଦିଲ୍ଲୀ: ଜେଲ ଭିତରେ ବି ସୁଧୁରୁ ନାହାନ୍ତି କଏଦୀ। କେତେବେଳେ ସେମାନଙ୍କ ପାଖରୁ ମୋବାଇଲ ଜବତ ହୋଉଛି ତ ଆଉ କେତେବେଳେ ନିଶା ଦ୍ରବ୍ୟ। ନିକଟରେ ଏଭଳି ହିଁ ଜଣେ କଏଦୀ ପୁଲିସକୁ ଡରି ପାଖରେ ରଖିଥିବା ମୋବାଇଲ୍କୁ ଗଳି ଦେଇଛି। ଏହାପରେ କଏଦୀର ଅବସ୍ଥା ଗୁରୁତର ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୁଣି ଚର୍ଚ୍ଚାରେ ତିହାର ଜେଲ। ଏଠାକାର ଜଣେ କଏଦୀ ପୁଲିସ ଭୟରେ ୬ ଇଞ୍ଚର ଗୋଟା ମୋବାଇଲ୍ ଗିଳି ଦେଇଛି। ଜେଲ୍ର ମହାନିର୍ଦ୍ଦେଶକଙ୍କ କହିବା ମୁତାବକ ଜାନୁଆରୀ ୧୫ ତାରିଖରେ ଏହି ଘଟଣା ଘଟିଥିଲା। ଯେତେବେଳେ ଜଣେ କଏଦୀଙ୍କୁ ଯାଞ୍ଚ କରିବା ପାଇଁ ଜେଲର କିଛି କର୍ମଚାରୀ ଯାଇଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।
ଘଟଣାର କିଛି ସମୟ ପରେ କଏଦୀର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତୁରନ୍ତ ତାକୁ ପ୍ରଥମେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତା' ଅବସ୍ଥା ଖରାପ ହେବାରୁ ତାକୁ ଜିବି ପନ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାକାର ଡାକ୍ତରଙ୍କ ଟିମ୍ ଉକ୍ତ କଏଦୀଙ୍କ ବିନା ଅପରେସନ୍ରେ ପେଟ ଭିତରୁ ମୋବାଇଲଟିକୁ ବାହାର କରିଦେଇଛନ୍ତି। ତିହାର ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ କହିଛନ୍ତି, 'ବର୍ତ୍ତମାନ କଏଦୀର ଅବସ୍ଥା ଭଲ ଅଛି। ତେବେ କଏଦୀଙ୍କ ପାଖକୁ ମୋବାଇଲ୍ ଫୋନ୍ କେଉଁଠୁ ଆସିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏନେଇ ଯାଞ୍ଚ ଜାରି ରିହଛି।'
ଏଣ୍ଡୋସ୍କୋପି ମାଧ୍ୟମରେ କଏଦୀର ପେଟ ଭିତରୁ ବିନା ଅପରେସନ୍ରେ ଡାକ୍ତରମାନେ ଏହି ମୋବାଇଲକୁ ବାହାର କରିଛନ୍ତି। ଡାକ୍ତରଙ୍କ ମୁତାବକ, ଏହି ପ୍ରକାରର ମାମଲା ବେଶ୍ ଜଟିଳ ହୋଇଥାଏ। କଏଦୀର ପେଟ ଭିତରୁ ବାହାରିଥିବା ଫୋନ୍ର ଓଜନ ୯୦ରୁ ୧୦୦ ଗ୍ରାମ। ଏହାର ଆକାର ପାଖାପାଖି ୬ ଇଞ୍ଚର ଥିବା ଜଣାପଡିଛି। ପେଟ ଭିତରୁ ଏଣ୍ଡୋସ୍କୋପି ମାଧ୍ୟମରେ ଫୋନ୍କୁ ବାହାର କରିବା ପାଇଁ ଡାକ୍ତରମାନଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା।
ହସ୍ପିଟାଲର ବରିଷ୍ଠ ଡାକ୍ତର ସିଦ୍ଧାର୍ଥ ଶ୍ରୀବାସ୍ତବ ଏବଂ ଡାକ୍ତର ମନୀଷ ତୋମାରଙ୍କ କହିବା ମୁତାବକ, ତାଙ୍କ ଟିମ୍ ବର୍ତ୍ତମାନ ସୁଦ୍ଧା ଏଭଳି ପ୍ରାୟ ୧୦ଟି ମାମଲା ଦେଖି ସାରିଲାଣି। ଅନେକ ସମୟରେ ଜେଲ୍ରେ ବନ୍ଦ ଥିବା କଏଦୀ କେତେବେଳେ ଫୋନ୍ ତ ଆଉ କେତେବେଳେ ବିମାନ ବନ୍ଦରରେ ନିଶା ଦ୍ରବ୍ୟ ଲୁଚାଇବାକୁ ଯାଇ ଛୋଟ ବ୍ୟାଗ୍ ଗିଳିଦିଅନ୍ତି। ବନା କୌଣସି ଅପରେସନରେ ସେଗୁଡିକୁ କିଭଳି ପେଟ ଭିତରୁ ବାହାର କରାଯିବ ତା'ର ଅଭିଜ୍ଞତ ସେମାନଙ୍କ ପାଖରେ ରହିଛି।