ମନସୁଖ ମୃତ୍ୟୁ ମାମଲାରେ ପ୍ରଥମ ଗିରଫ, ଖୋଲିବ ସଚିନ ବାଜେର ଅସଲ ମୁଖା

ମୁମ୍ୱାଇ: ଆଣ୍ଟେଲିଆ ସାମ୍ନାରେ ବୋମା ଭର୍ତ୍ତି କାରର ମାଲିକ ମନସୁଖ ହିରେନ ମାମଲାରେ ଏଟିଏସ ଦୁଇ ଜଣଙ୍କୁ ଗିରଫ କରିଛି। ଯାହାକି ମନସୁଖ ମାମଲାରେ ପ୍ରଥମ ଗିରଫ। ଗିରଫ ଅଭିଯୁକ୍ତ ମଧ୍ୟରୁ ଜଣେ ବୁକି ହୋଇଥିବା ବେଳେ ଆଉ ଜଣେ ପୁଲିସ କର୍ମଚାରୀ। ଆଜି ଅପରାହ୍ନରେ ଥାନେର ଏକ ସ୍ୱତନ୍ତ୍ର କୋର୍ଟରେ ଦୁଇ ଅଭିଯୁକ୍ତଙ୍କୁ ହାଜର କରିଥିଲା ଏଟିଏସ। ଏବେ ମାର୍ଚ୍ଚ ୩୦ ଯାଏ ଦୁଇ ଅଭିଯୁକ୍ତ ଏଟିଏସ ହାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଜେରା କରିବାକୁ ଏନଆଇଏ ନେବ ବୋଲି ଜଣାପଡ଼ିଛି। ଏହି ମାମଲାରେ ସଚିନ ବାଜେ ମଧ୍ୟ ସନ୍ଦେହ ଘେରରେ। ଯିଏକି ଏହି ମାମଲା ସହ ଜଡ଼ିତ ଥିବା ବୋମା ଭର୍ତ୍ତି କାର ରଖିବା ମାମଲାରେ ଏନଆଇଏ ଦ୍ୱାରା ଗିରଫ ହୋଇଛି। ମନସୁଖ ମାମଲାର ତଦନ୍ତ ଭାର ଏଟିଏସ ଏନଆଇଏକୁ ହସ୍ତାନ୍ତର କରିସାରିବା ପରେ ଆଜି ଏଟିଏସ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

 

ଗିରଫ ଦୁଇ ଅଭିଯୁକ୍ତ ହେଲେ ନରେଶ ଧରେ ଏବଂ ବିନୟକ ସିନ୍ଧେ। ନରେଶ ଧରେ ପେଶାରେ ଜଣେ ବୁକି, ସେହି ସିନ୍ଧେ ମୁମ୍ବାଇ ପୁଲିସରେ ଥିଲେ। କିଛି ଦିନ ପୂର୍ବରୁ ନିଲମ୍ବିତ ହୋଇଥିଲା। ଏହି ଦୁଇଜଣ ଗିରଫ ହେବା ପରେ ମନସୁଖ ମାମଲାର ବଡ଼ ଖୁଲାସା ହେବ ବୋଲି ଆଶା କରାଯାଉଛି।

ମନସୁଖ ହିରେନ ମାମଲାରେ ଗିରଫ ହୋଇଥିବା ପୁଲିସ କର୍ମଚାରୀଙ୍କ ସମେତ ଏନଆଇଏ ମଧ୍ୟ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଖୁବ ଶୀଘ୍ର କୋର୍ଟରେ ରିମାଣ୍ଡ ଆବେଦନ କରିବାକୁ ଏନଆଇଏ ମଧ୍ୟ ପ୍ରସ୍ତୁତି ହେଉଛି।

ଏହି ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସଚିନ ବାଜେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିବା ଜଣାପଡିଛି। ସେହିପରି ଅନେକ ନେତାଙ୍କ ନାମ ମଧ୍ୟ ଆଗକୁ ଆସିଛି। ଯେଉଁମାନଙ୍କ ସହ ସଚିନ ବାଜେ ଯୋଗାଯୋଗରେ ଥିଲେ ତଦନ୍ତ ବେଳେ ସମସ୍ତ କଥା ସାମ୍ନାକୁ ଆସିଥିବା ସୂଚନା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।