ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଗୋରଖପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ବେଳେ ସତ୍ୟପାଠରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜର ଶିକ୍ଷା, ସମ୍ପତ୍ତି ଆଦି ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠରେ ତାଙ୍କର ସମ୍ପତ୍ତି ୧.୫୪ କୋଟି ଟଙ୍କା ଦର୍ଶାଯାଇଛି। ସତ୍ୟପାଠ ମୁତାବକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରେକର୍ଡ କରାଯାଇନାହିଁ।
ତାଙ୍କ ନାମାଙ୍କନ ପତ୍ରର ସତ୍ୟପାଠ ଅନୁଯାୟୀ, ଯୋଗୀଙ୍କର ସମ୍ପତ୍ତି ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କା ରହିଛି। ଏସବୁ ଟଙ୍କା ୬ଟି ବ୍ୟାଙ୍କ୍ ଆକାଉଣ୍ଟରେ ରହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ଏକ ସାମସଙ୍ଗ ମୋବାଇଲ୍ ଫୋନ୍, ଯାହାର ଦାମ୍ ୧୨ହଜାର ଟଙ୍କା, ଏକ ରିଭଲଭର୍ (ଯାହାର ମୂଲ୍ୟ ୧ଲକ୍ଷ ଟଙ୍କା), ଏବଂ ଏକ ରାଇଫଲ୍ (ଯାହାର ଦାମ୍ ୮୦ହଜାର ଟଙ୍କା) ଥିବା ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠରେ ଯୋଗୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ୨୦ ଗ୍ରାମ ବିଶିଷ୍ଟ ସୁନା କାନ ଅଳଙ୍କାର (ଯାହାର ଦାମ ୪୯ହଜାର ଟଙ୍କା), ଏକ ସୁନା ଚେନ୍ ବିଶିଷ୍ଟ ରୁଦ୍ରାକ୍ଷ (ଯାହାର ମୂଲ୍ୟ ୨୦ହଜାର ଟଙ୍କା) ରହିଛି।
ସତ୍ୟପାଠରେ ଯୋଗୀ ଘୋଷଣା କରିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ସେ ୧୩,୨୦,୬୫୩ ଟଙ୍କା ଆୟ କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୫,୬୮,୭୯ ଟଙ୍କା, ୨୦୧୮-୧୯ରେ ୧୮,୨୭,୬୩୮ ଟଙ୍କା ଏବଂ ୨୦୧୭-୧୮ରେ ୧୪,୩୮,୬୭୦ ଟଙ୍କା ଆୟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଖରେ ୧ଲକ୍ଷ ଟଙ୍କାର ନଗତ ଅର୍ଥରାଶି ଅଛି। ସେହିପରି ନୂଆଦିଲ୍ଲୀର ଏସବିଆଇ, ସଂସଦ ଭବନ ବ୍ରାଞ୍ଚରେ ୨୫ଲକ୍ଷ ୯୯ ହଜାର ୧୭୧ ଟଙ୍କା ରହିଛି। ପିଏନବିର ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଗୋରେଖନାଥ ବ୍ରାଞ୍ଚରେ ୪ଲକ୍ଷ ୩୨ହଜାର ୭୧୫ ଟଙ୍କା ଏବଂ ୭ଲକ୍ଷ ୧୨ହଜାର ୬୩୬ ଟଙ୍କାର ଚାରୋଟି ଏଫଡି ରହିଛି। ଏସବିଆଇ ଗୋରେଖନାଥ ବ୍ରାଞ୍ଚରେ ତାଙ୍କ ଆକାଉଣ୍ଟରେ ୭୯୦୮ ଟଙ୍କା ଜମା ରହିଛି। ସେହିପରି ଲକ୍ଷ୍ନୌ ବିଧାନସଭା ମାର୍ଗସ୍ଥିତ ଏସବିଆଇ ବ୍ରାଞ୍ଚରେ ୬୭ଲକ୍ଷ ୮୫ହଜାର ୩୯୫ ଟଙ୍କା ଜମା ରହିଛି। ତାଙ୍କ ନାଁରେ ୨ଲକ୍ଷ ୩୩ ହଜାର ଟଙ୍କାର ବୀମା ମଧ୍ୟ ରହିଛି।
୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଗୋରଖପୁର ଲୋକସଭା ଆସନ ଛାଡ଼ି ଦେଇଥିଲେ। ଏହା ପରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ବିଧାନ ପରିଷଦରେ ପହଞ୍ଚିଥିଲେ।