India
କିଭ୍: ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଖାରକିଭ୍ରେ ଆକ୍ରମଣ ଜାରି ରହିଥିବା ବେଳେ ଭାରତୀୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି।
ଏସବୁ ଭିତରେ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଖାରକିଭରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ତୁରନ୍ତ ଖାରକିଭ୍କୁ ଛାଡ଼ିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ନିଜର ସୁରକ୍ଷା ପାଇଁ ଭାରତୀୟମାନେ ତୁରନ୍ତ ଖାରକିଭ ଛାଡ଼ି ଦିଅନ୍ତୁ। ସେମାନେ ଖାରକିଭରୁ ବାହାରି ପିସୋଚିନ, ବେଜଲୟୁଡୋଭାକ ଓ ବାବୟେକୁ ଚାଲି ଯାଆନ୍ତୁ। ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନ ଅଭିମୁଖେ ଭାରତୀୟମାନେ ବାହାରି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।
ଏବେ ଖାରକିଭରେ ରୁଷର ପାରାଟ୍ରୁପରମାନେ ଅବତରଣ କରିଛନ୍ତି। ସେମାନେ ଏଠାରେ ଓହ୍ଲାଇବା ପରେ ୟୁକ୍ରେନର ମିଲିଟାରୀ ବେସ ଓ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନ ସେନା ପକ୍ଷରୁ ବି ଏହାର ଜବାବ ଦିଆଯାଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ଉଠିଛି।
ଆଗକୁ ରୁଷ ଆକାଶ ପଥରୁ ଖାରକିଭରେ ବଡ଼ ହମଲା କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ କାଳୀନ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି କିଭରେ ଥିବା ଭାରତୀୟଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପୂର୍ବରୁ ପୋଲାଣ୍ଡରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରେ ଥିବା ଲୋକଙ୍କ ପାଁ ସତର୍କ ସୂଚନା ଜାରି କରାଯାଇଥିଲେ। ୟୁକ୍ରେନରେ ଥିବା ଭାରତୀୟଙ୍କୁ ତୁରନ୍ତ Budomierz ସୀମାନ୍ତକୁ ଆସିବାକୁ କୁହାଯାଇଥିଲା। ଏହାଦ୍ୱାରା ସେମାନେ ସହଜରେ ପୋଲାଣ୍ଡରେ ପ୍ରବେଶ କରିପାରିବେ।
ସୂଚନାଯୋଗ୍ୟ, ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ। ସେ ଖାଇବା ଆଣିବା ପାଇଁ ଛିଡ଼ା ହୋଇଥିବା ବେଳେ ହଠାତ୍ ରୁଷ ସୈନ୍ୟମାନେ ଆକାଶ ପଥରୁ ବୋମା ମାଡ଼ କରିଥିଲେ। ଏହି ବୋମା ମାଡ଼ରେ ନବୀନଙ୍କ ସହ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଖାରକିଭରେ ଅନେକ ଭାରତୀୟ ଛାତ୍ର ଓ ନାଗରିକ ରହିଥିବାରୁ ଦୂତାବାସ ପକ୍ଷରୁ ସେମାନଙ୍କୁ ସହର ଛାଡ଼ି ଦେବାକୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/India-1.jpg)