ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ପୂରିଲା, କେଉଁଠି ରହିଛି ସିବିଆଇ, ଇଡି ଓ ଏନସିବିର ତଦନ୍ତ?

ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ୨୦୨୦ ମସିହା ଜୁନ୍ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ସୁଶାନ୍ତଙ୍କ ଫ୍ୟାନମାନେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଅପେକ୍ଷା କରିଥିବା ବେଳେ ସିବିଆଇ, ଇଡି ଓ ଏନସିବି ଏଯାଏ ନିଜର ତଦନ୍ତ ଶେଷ କରିପାରି ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ସୃଷ୍ଟି ହୋଇଥିଲା। ମହାରାଷ୍ଟ୍ର ଓ ବିହାର ମଧ୍ୟରେ ତିକ୍ତତା ଆରମ୍ଭ […]

SSR

Hemant Lenka
  • Published: Monday, 14 June 2021
  • , Updated: 14 June 2021, 04:34 PM IST

ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ୨୦୨୦ ମସିହା ଜୁନ୍ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ସୁଶାନ୍ତଙ୍କ ଫ୍ୟାନମାନେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଅପେକ୍ଷା କରିଥିବା ବେଳେ ସିବିଆଇ, ଇଡି ଓ ଏନସିବି ଏଯାଏ ନିଜର ତଦନ୍ତ ଶେଷ କରିପାରି ନାହାନ୍ତି।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ସୃଷ୍ଟି ହୋଇଥିଲା। ମହାରାଷ୍ଟ୍ର ଓ ବିହାର ମଧ୍ୟରେ ତିକ୍ତତା ଆରମ୍ଭ ହେବାରୁ ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ଏହାପୂର୍ବରୁ ସୁଶାନ୍ତଙ୍କ ବାପା କେକେ ସିଂହ ବିହାର ପୁଲିସ୍ ନିକଟରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରିୟା ହିଁ ସୁଶାନ୍ତଙ୍କ ୧୫ କୋଟି ଟଙ୍କା ହଡ଼ପ କରିବା ସହ ଆତ୍ମହତ୍ୟା କରିବାକୁ ଉସକାଇଥିବା କେକେ ସିଂହ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।

ଏହାକୁ ଆଧାର କରି ପ୍ରଥମେ ସିବିଆଇ ଓ ଏହାପରେ ରିୟାଙ୍କ ବିରୋଧରେ ଇଡି ମନିଲଣ୍ଡରିଂ କେସ୍‌ ରୁଜୁ କରିଥିଲା। ହ୍ୱାଟସଆପ୍ ଚ୍ୟାଟ ସାମ୍ନାକୁ ଆସିବା ପରେ ଏନସିବି ମଧ୍ୟ ଡ୍ରଗ୍ସ କାରବାରର ଖୋଳତାଡ଼ କରିଥିଲା। କିନ୍ତୁ ଏହି ୩ ସଂସ୍ଥା ତନାଘନା କରିଥିଲେ ହେଁ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେକଥା ଜାଣି ପାରିନାହାନ୍ତି।

ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜୁଛି ସିବିଆଇ

ସୁଶାନ୍ତଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ସବୁ ଦିଗରୁ ତଦନ୍ତ କରାଯାଉଥିବା ସିବିଆଇ କହିଛି। ତଦନ୍ତ ବେଳେ ସିବିଆଇ ରିୟା, ତାଙ୍କ ବାପା ଇନ୍ଦରଜିତ, ମା’, ଭାଇ, ସୁଶାନ୍ତଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀ, ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର, ପ୍ରଥମରୁ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌ ଅଧିକାରୀ, ସୁଶାନ୍ତଙ୍କୁ ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ରେକର୍ଡ କରିଥିଲା।

ଏମ୍ସ ବିଶେଷଜ୍ଞଙ୍କୁ ନେଇ ସିବିଆଇ ସିନ-ରିକ୍ରିଏସନ କରିଥିଲା। ଭିସରା ନମୁନାଙ୍କୁ ମଧ୍ୟ ଆଉ ଥରେ ପରୀକ୍ଷା କରାଯାଇଥିଲା। ଭିସରା ନମୁନା ପରୀକ୍ଷା କରିଥିବା ଏମ୍ସରର ଡାକ୍ତରୀ ଦଳ ଯାଞ୍ଚ କରି ସିବିଆଇକୁ ରିପୋର୍ଟ ଦେଇଥିଲେ। ଏଥିରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଇଥିଲା।

ସିବିଆଇ ଗୋଟିଏ ବିବୃତିରେ କହିଥିଲା, ତଦନ୍ତ ବେଳେ ସମସ୍ତ ସାକ୍ଷୀଙ୍କୁ ପରୀକ୍ଷା କରାଯାଇଥିଲା। ସୁଶାନ୍ତ ପରିବାର ଲୋକ ଆଣିଥିବା ଅଭିଯୋଗର ତଦନ୍ତ ଜାରି ରହିଛି। ସବୁ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ତଦନ୍ତ କରାଯାଉଛି। ତଦନ୍ତ ବେଳେ ସିବିଆଇ ଟିମ ଆଲିଗଡ଼, ଫରିଦାବାଦ, ହାଇଦ୍ରାବାଦ, ମୁମ୍ବାଇ, ମାନସେର ଓ ପାଟନା ଯାଇ ପ୍ରମାଣ ଯୋଗାଡ଼ କରିଥିଲା ଏବଂ ବୟାନ ରେକର୍ଡ କରିଥିଲା।

ସିବିଆଇ ସୁଶାନ୍ତଙ୍କ ଶବବ୍ୟବଚ୍ଛେଦ କରିଥିବା କପର ହସ୍ପିଟାଲର ଡାକ୍ତରମାନଙ୍କୁ ମଧ୍ୟ ଜେରା କରିଥିଲା। ତେବେ ଏଯାଏ ସୁଶାନ୍ତଙ୍କ ପରିବାର ଲୋକ ରିୟାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟତା ଠାବ କରିପାରି ନାହିଁ।

୧୫ କୋଟି ହଡ଼ପ ଅଭିଯୋଗର ତଦନ୍ତ କରୁଛି ଇଡି

ରିୟା ଓ ତାଙ୍କ ଭାଇ ସୌଭିକ କୌଶଳକ୍ରମେ ୧୫ କୋଟି ଟଙ୍କା ସୁଶାନ୍ତଙ୍କ ଠାରୁ ହଡ଼ପ କରିନେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ତଦନ୍ତ ବେଳେ ରିୟା ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କାରାଯାଇଛି। ତଦନ୍ତ ବେଳେ ସୁଶାନ୍ତ ୩ଟି ଫାର୍ମ ରିୟା ଓ ସୌଭିକଙ୍କ ଭାଗିଦାରୀରେ କରିଥିଲେ ବୋଲି ଜଣାପଡ଼ିଥିଲା। ହେଲେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରି ନେଇଥିବା କୌଣସି ପ୍ରମାଣ ଇଡି ପାଇନାହିଁ।

ମୃତ୍ୟୁ ପଛରେ ଡ୍ରଗ୍ସର କାରଣ ରହିଛି କି?

ରିୟାଙ୍କ ହ୍ୱାଟସଆପ ଚ୍ୟାଟରେ ଡ୍ରଗ୍ସ ବିଷୟରେ ଆଲୋଚନା ହୋଇଥିବାରୁ ଏହାର ତଦନ୍ତ ଏନସିବି କରୁଛି। ତଦନ୍ତ କରି ଏନସିବି ରିୟା, ତାଙ୍କ ଭାଇ ଓ ଅନେକ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିଥିଲା। ସୁଶାନ୍ତଙ୍କୁ ରିୟା ନିୟମିତ ଡ୍ରଗ୍ସ ଦେଉଥିବା ଅଭିଯୋଗ ହୋଇଥିଲା। ହେଲେ ଏନସିବି ଏଯାଏ ଏହାର ପ୍ରମାଣ ପାଇନାହିଁ। ଡ୍ରଗ୍ସ ପାଇଁ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବାର ପ୍ରମାଣ ଏନସିବି ହାତରେ ଲାଗିନି।

Related story