ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଏବେ ଭୟରେ ଦିନ କାଟୁଛନ୍ତି। ବିଶେଷ କରି ଖାରକିଭରେ ରୁଷର ଆକ୍ରମଣ ଜୋରଦାର ହେବାରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। ଭାରତ ସରକାର ସ୍ୱତନ୍ତ୍ର ବିମାନ ଯୋଗେ ୟୁକ୍ରେନର ପଡ଼ୋଶୀ ଦେଶକୁ ଚାଲି ଆସିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରୁଛନ୍ତି।
ହେଲେ ଏବେ ବି ହଜାର ହଜାର ଭାରତୀୟ ୟୁକ୍ରେନ ଭିତରେ ଫସି ରହିଛନ୍ତି। ସେମାନଙ୍କୁ କେମିତି ଉଦ୍ଧାର କରାଯିବ, ତାହା ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରସଙ୍ଗକୁ ନିର୍ବାଚନ ରାଲିରେ ଉଠାଇଛନ୍ତି। ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ୟୁକ୍ରେନ କଥା ଉଠାଇଛନ୍ତି।
ଭାରତର ଶକ୍ତି ବିଶ୍ୱସ୍ତରରେ ବୃଦ୍ଧି ପାଉଥିବାରୁ ତାଙ୍କ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହେଉଥିବା ମୋଦି କହିଛନ୍ତି। ଏଥିସହ ସବୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର କୌଣସି ପ୍ରକାରର ଅବହେଳା କରିବେ ନାହିଁ ବୋଲି ମଧ୍ୟ ସେ ଲୋକଙ୍କ ଆଗରେ ଦମ୍ଭୋକ୍ତି କରିଛନ୍ତି।
ସୋଭଦ୍ରାରେ ଆୟୋଜିତ ଗୋଟିଏ ରାଲିରେ ମୋଦି କହିଛନ୍ତି, “ଭାରତର ଶକ୍ତି ବୃଦ୍ଧି ପାଉଥିବାରୁ ଆମେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରୁଛୁ।” ଏଥିସହ ସେ ବିରୋଧୀ, ବିଶେଷ କରି କଂଗ୍ରେସକୁ ସମାଲୋଚନା କରିବାକୁ ଭୁଲି ନାହାନ୍ତି।
ସେ କହିଛନ୍ତି, “ଯେଉଁମାନେ ସେନା ବାହୀନର ମହାନ ସାହାସ ଓ ମେକ ଇନ ଇଣ୍ଡିଆ ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନେ କେବେ ହେଲେ ଦେଶକୁ ସଶକ୍ତ କରିପାରି ନାହାନ୍ତି। ଏବେ ଭାରତର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଏହି ଶକ୍ତି ଯୋଗୁ ୟୁକ୍ରେନରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଭାରତୀୟମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛନ୍ତି।”
ଏବେ ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୭ମ ଦିନରେ ପହଞ୍ଚି ଯାଇଛି। ଦିନକୁ ଦିନ ରୁଷ ତା’ର ଆଭିମୁଖ୍ୟକୁ ଉଗ୍ର କରୁଥିବାରୁ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଛି। ତେବେ ଭାରତ ସରକାର ଆସନ୍ତା ୩ ଦିନ ମଧ୍ୟରେ ୨୬ଟି ବିମାନ ଯୋଗେ ୟୁକ୍ରେନରୁ ଉଦ୍ଧାର କାର୍ଯ୍ୟ କରିବେ।
ଏହି ବିମାନ ଗୁଡ଼ିକରେ ୟୁକ୍ରେନରୁ ପଡ଼ୋଶୀ ଦେଶକୁ ଯାଇଥିବା ଭାରତୀୟଙ୍କୁ ଅଣାଯିବ। ରୁଷ ଓ ୟୁକ୍ରେନ ତିକ୍ତତା ଆରମ୍ଭ ହେବା ସମୟରେ ପ୍ରାୟ ୨୦ ହଜାର ଭାରତୀୟ ୟୁକ୍ରେନରେ ରହିଥିଲେ। ସେବେଠାରୁ ଇତି ମଧ୍ୟରେ ପ୍ରାୟ ୧୨ ହଜାର ଲୋକ ସ୍ୱଦେଶ ଆସି ସାରିଛନ୍ତି।
ଏହାର ଅର୍ଥ ୟୁକ୍ରେନରେ ରହୁଥିବା ୬୦% ଭାରତୀୟ ନୂଆଦିଲ୍ଲୀକୁ ଫେରିଛନ୍ତି। ବାକି ୪୦% ଭାରତୀୟଙ୍କ ମଧ୍ୟରୁ ଅଧା ଲୋକ ଯୁଦ୍ଧ ଦ୍ୱାରା ଅଧିକ ପ୍ରଭାବିତ ଖାରକିଭ, ସୁମୀ କିମ୍ବା ଅନ୍ୟ ଅଞ୍ଚଳରେ ଅଛନ୍ତି। ସେହିପରି ବାକି ଅଧା ଭାରତୀୟ ୟୁକ୍ରେନର ପଶ୍ଚିମ ପ୍ରାନ୍ତ କିମ୍ବା ପଡ଼ୋଶୀ ଦେଶରେ ପହଞ୍ଚି ଯାଇଛନ୍ତି।