woman
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ ୱେ ନିକଟରୁ ମିଳିଛି ଗୋଟିଏ ବଡ଼ ଟ୍ରଲି ଲଗେଜ ବ୍ୟାଗ ବା ସୁଟକେସ। ଏହାକୁ ଭିତରୁ ଉଦ୍ଧାର ହୋଇଛି ପଲିଥିନରେ ଗୁଡ଼ା ଯାଇ ରହିଥିବା ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ। କେହି ଯୁବତୀଙ୍କୁ ହତ୍ୟା କରି ଏପରି ସୁଟକେସରେ ଭର୍ତ୍ତି କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ପୁଲିସ୍ ସନ୍ଦେହ କରୁଛି।
କାରଣ ଯୁବତୀଙ୍କ ମୁହଁ ରକ୍ତରେ ଭିଜି ରହିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତ ଯୁବତୀଙ୍କ ବୟସ ୧୯ରୁ ୨୧ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ୍ ଅନୁମାନ କରୁଛି।
ପୁଲିସ କହିଛି ଯେ ରାତି ସମୟରେ ଏକ୍ସପ୍ରେସ ୱେ ଟ୍ରାଫିକ ସାମନ୍ୟ କମ ରହିଥାଏ। ତେଣୁ କେହି ବା କିଛି ଜଣ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଫିଙ୍ଗି ଚାଲି ଯାଇଛନ୍ତି। ଆଜି ଏଠାରେ କାମ କରୁଥିବା ଶ୍ରମିକମାନେ ପ୍ରଥମେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ସୁଟକେସକୁ ଦେଖି ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଟକେସକୁ ଖୋଲିଥିଲା। ଖୋଲିବା ପରେ ଏହା ଭିତରୁ ପଲିଥିନରେ ଗୁଡ଼ା ଯାଇ ରଖାଯାଇଥିବା ଯୁବତୀଙ୍କ ମୃତଦେହ ମିଳିଥିଲା।
ଏହାପରେ ପୁଲିସ୍ ଫରେନ୍ସିକ ଟିମକୁ ଖବର ଦେଇଥିଲା। ଟିମର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ଓ ଦୋଷୀଙ୍କ ପାଖରେ ପହଞ୍ଚିବାକୁ ତଥ୍ୟ ସଂଗ୍ରହ କରିଛନ୍ତି। ଏବେ ଏହି ଯୁବତୀ ଜଣଙ୍କ କିଏ, ତା’ ଉପରେ ଫୋକସ କରାଯାଉଛି। ପରିଚୟ ମିଳିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ପୁଲିସ୍ ଅଫିସର ମହାବାନ ଆଲୋକ ସିଂହ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/woman-1.jpg)