/odisha-reporter/media/post_attachments/uploads/2022/06/Yashwant-Sinha.jpg)
Yashwant-Sinha
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଫୋନ କରି ଅନୁରୋଧ କରିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ତାଙ୍କ ବିରୋଧରେ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ସେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ପ୍ରସ୍ତାବକ ସାଜିଥିଲେ। ସେହିପରି ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ସତ୍ତ୍ୱେ ଶ୍ରୀମତୀ ମୁର୍ମୁଙ୍କ ବଦଳରେ ମୋଦି ଓ ରାଜନାଥଙ୍କୁ ଫୋନ କରି ଶ୍ରୀ ସିହ୍ନା ସମର୍ଥନ ମାଗିଛନ୍ତି।
ଏମାନଙ୍କ ବ୍ୟତୀତ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଶ୍ରୀ ସିହ୍ନା ଶୁକ୍ରବାର ଫୋନ କରିଥିଲେ। ଏଥିସହ ବିରୋଧୀ ମେଣ୍ଟ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ବେଳେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ସେ ହେମନ୍ତ ସୋରେନଙ୍କୁ କହିଥିବା ଜଣାପଡ଼ିଛି। ବିରୋଧୀ ମେଣ୍ଟରେ ଥିବା ଏନସିପିର ସୂତ୍ରରେ କୁହାଯାଇଛି ଯେ “ଆମେ ଆମର ପ୍ରଚାର କାମ ଆରମ୍ଭ କରିଛୁ। ନିର୍ବାଚନରେ ସମର୍ଥନ ଯୋଗାଡ଼ କରିବା ପାଇଁ ଆମେ ସମସ୍ତଙ୍କ ସହ ଯୋଗାଯୋଗ କରିବୁ।
ଶ୍ରୀ ସିହ୍ନା ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଫିସକୁ ଫୋନ କରିଥିଲେ। ଏଥିସହ ଅଫିସ ଜରିଆରେ ସମର୍ଥନ କରିବାକୁ ଉଭୟଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ସିହ୍ନା ତାଙ୍କ ମେଣ୍ଟୋର ତଥା ବିଜେପି ନେତା ଏଲକେ ଆଡଭାନୀଙ୍କୁ ମଧ୍ୟ ଯୋଗାଯୋଗ କରିଛନ୍ତି।” ଯଶୱନ୍ତ ସିହ୍ନା ସୋମବାର ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ବିରୋଧୀ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।
ବିରୋଧୀ ମେଣ୍ଟରେ ଥିବା ଜେଡିଏସ୍ ଓ ଜେଏମଏମ ଏବେ ନିଜର ଆଭିମୁଖ୍ୟ ବଦଳାଇବା ସ୍ଥିତିରେ ରହିଛନ୍ତି। ପୂର୍ବରୁ ଉଭୟ ଦଳ ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବେ ବୋଲି ମତ ରଖିଥିଲେ। ହେଲେ ଏନଡିଏ ପକ୍ଷରୁ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବାରୁ ଉଭୟ ଦଳ ତାଙ୍କ ଆଡ଼କୁ ଢଳିଥିବା କୁହାଯାଉଛି। ଏଥିପାଇଁ ଶୁକ୍ରବାର ଠାରୁ ଝାରଖଣ୍ଡରୁ ପ୍ରଚାର ଆରମ୍ଭ କରିବାକୁ ଥିବା ଶ୍ରୀ ସିହ୍ନା ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖିଛନ୍ତି। ତେଣୁ ତାଙ୍କର ପରବର୍ତ୍ତୀ ରଣନୀତି ଉପରେ ଏବେ ସମସ୍ତଙ୍କର ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
