ହସାଇଛି କମ୍‌, କନ୍ଦାଇଛି ବେଶି

ଆଉ ବାକି ଅଛି ଦୁଇ ସପ୍ତାହରୁ କମ୍ ଦିନ। ତା’ପରେ ବିଦାୟ ନେଇ ଯିବ ବର୍ଷ ୨୦୨୧।  ଅନେକ ଘଟଣା ଓ ଦୁର୍ଘଟଣା ଘଟିଯାଇଛି ଆଶା ଓ ଆଶଙ୍କାର ବର୍ଷ ୨୦୨୧ରେ। ଏବେ ଯେତେବେଳେ ବର୍ଷ ସରିବାକୁ ଯାଉଛି, ପଛକୁ ଫେରି ଚାହିଁଲେ ସେଗୁଡ଼ିକ ସବୁ ଆଖି ଆଗରେ ଜଳଜଳ ହୋଇ ଦୃଶ୍ୟମାନ ହେଉଛି। ଏହାକୁ ନେଇ ପଢ଼ନ୍ତୁ ଆମ ପ୍ରସ୍ତୁତିର ପ୍ରଥମ ଭାଗ: କରୋନା ଓ ଟିକାକରଣ ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ୨୦୨୧ରେ […]

Pic1

Hemant Lenka
  • Published: Saturday, 18 December 2021
  • , Updated: 20 December 2021, 11:49 AM IST

ଆଉ ବାକି ଅଛି ଦୁଇ ସପ୍ତାହରୁ କମ୍ ଦିନ। ତା’ପରେ ବିଦାୟ ନେଇ ଯିବ ବର୍ଷ ୨୦୨୧।  ଅନେକ ଘଟଣା ଓ ଦୁର୍ଘଟଣା ଘଟିଯାଇଛି ଆଶା ଓ ଆଶଙ୍କାର ବର୍ଷ ୨୦୨୧ରେ। ଏବେ ଯେତେବେଳେ ବର୍ଷ ସରିବାକୁ ଯାଉଛି, ପଛକୁ ଫେରି ଚାହିଁଲେ ସେଗୁଡ଼ିକ ସବୁ ଆଖି ଆଗରେ ଜଳଜଳ ହୋଇ ଦୃଶ୍ୟମାନ ହେଉଛିଏହାକୁ ନେଇ ପଢ଼ନ୍ତୁ ଆମ ପ୍ରସ୍ତୁତିର ପ୍ରଥମ ଭାଗ:

କରୋନା ଓ ଟିକାକରଣ

୨୦୨୦ରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ୨୦୨୧ରେ ବି ଜାରି ରହିଥିଲା। ଏହା ବିରୋଧରେ ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିଲା ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ। ହେଲେ ଏପ୍ରିଲ ମାସ ବେଳକୁ ଦେଶରେ କରୋନାର ଦ୍ୱିତୀୟ ଲହର ଜୋର ଧରିବା ଆରମ୍ଭ କରି ଦେଲା।

ଆଉ ତା’ପରବର୍ତ୍ତୀ ତିନିରୁ ଚାରି ମାସ ଦେଶରେ କରୋନାର କୋପ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଓ ବେଡ୍‌ ଅଭାବରୁ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯିବାରୁ ଦିଲ୍ଲୀର ଜୟପୁର ଗୋଲଡେନ ହସ୍ପିଟାଲରେ ୨୫ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

[caption id="" align="aligncenter" width="844"] ଜଳୁଛି କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ[/caption]

କରୋନାରେ ଗତବର୍ଷ ଠାରୁ ଏଯାବତ ୩.୪୭ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪.୭୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତେବେ ତା’ଭିତରେ ଦେଶରେ ଆରମ୍ଭ ହୋଇଥିବା କୋଭିଡ ବିରୋଧୀ ଟିକାକରଣରେ ଭାରତ ଇତିହାସ ରଚିଥିଲା। ଅକ୍ଟୋବର ୨୧ରେ ଭାରତ ୧୦୦ କୋଟି ଡୋଜ୍‌ ଟିକାକରଣ କ୍ଲବରେ ପ୍ରବେଶ କରି ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା। ଟିକାକରଣ ଆରମ୍ଭ ହେବାର ୯ ମାସ ମଧ୍ୟରେ ଭାରତ ୧୦୦ କୋର୍ଟ ମାର୍କ ଛୁଇଁ ପାରିଥିଲା।

କୃଷକଙ୍କ ଜିଦ୍‌ ଆଗରେ ମୁଣ୍ଡ ନୂଆଁଇଲେ କେନ୍ଦ୍ର ସରକାର

ତିନି ନୂଆ କୃଷି ଆଇନ୍ ବିରୋଧରେ ଗତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଏ ବର୍ଷ ଅବ୍ୟାହତ ରହିଥିଲା ତଥା ଆହୁରି ଜୋର ଧରିଥିଲା। କହିବାକୁ ଗଲେ ପୂରା ବର୍ଷ ତମାମ ଆନ୍ଦୋଳନ କରିଥିଲେ ଚାଷୀ। ଆଉ ଶେଷରେ ଚାଷୀଙ୍କ ଜିଦ ଆଗରେ ମୁଣ୍ଡ ନୂଆଇଁଥିଲେ କେନ୍ଦ୍ର ସରକାର ଓ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଥିଲେ।

ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କ୍ଷମା ମାଗିବା ସହ ୩ଟି ଯାକ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି କହିଥିଲେ। ଏହାପରେ ସଂସଦରେ କୃଷି ଆଇନ ଉଚ୍ଛେଦ ହୋଇଥିଲା। ଆଇନ ପ୍ରତ୍ୟାହାର ସତ୍ତ୍ୱେ ଚାଷୀମାନେ ଆନ୍ଦୋଳନରୁ ହଟି ନଥିଲେ।

[caption id="" align="aligncenter" width="898"] କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରି ନେବା ପରେ ଖୁସି ମନାଇଥିଲେ ଆନ୍ଦୋଳନରେ ବସିଥିବା ଚାଷୀ [/caption]

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବିରେ ସେମାନଙ୍କ ଆନ୍ଦୋଳନ ଜାରି ରହିଥିଲା। ସରକାର ଏହି ଦାବି ମାନିବାରୁ ଚାଷୀମାନେ ଡିସେମ୍ବର ୧୧ ତାରିଖରେ ଆନ୍ଦୋଳନ ଶେଷ କରି ଘରକୁ ବାହୁଡ଼ି ଯାଇଥିଲେ। ଏହି ଆନ୍ଦୋଳନ ସମୟରେ ଗତ ଜାନୁଆରୀ ୨୬ରେ ଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲିର ଆୟୋଜନ କରିଥିଲେ ଚାଷୀ। ସେହି ସମୟରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ସେହିପରି ଆନ୍ଦୋଳନ ସମୟରେ ବହୁ ଚାଷୀ ମରିଛନ୍ତି

କୃଷକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

ଗତ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଛି। ଘଟଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ଏସ୍‌ଆଇଟି ମଧ୍ୟ କହିଛି।

[caption id="" align="aligncenter" width="904"] ଚାଷୀଙ୍କ ଉପରେ ଗାଡ଼ି ମାଡ଼ି ଯିବା ପରେ ଘଟିଥିବା ହିଂସାକାଣ୍ଡରେ ଜଳିଥିଲା ଗାଡ଼ି[/caption]

ପେଟ୍ରୋଲ, ଡିଜେଲ ଦର ୧୦୦ ପାର

ଚଳିତ ବର୍ଷ ତୈଳ ଓ ଗ୍ୟାସ ଠାରୁ ଆରମ୍ଭ କରି ସବୁଥିରେ ଦେଶବାସୀ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ମୁଦ୍ରାସ୍ଫୀତି ବା ମହଙ୍ଗା ଦର ୧୬ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ସବୁ ସାମଗ୍ରୀର ଦର ବଢ଼ିଛି। ସ୍ଥିତି ଏପରି ହୋଇଥିଲା ଯେ ପେଟ୍ରୋଲ ଲିଟର ପିଛା ୧୧୫ ଟଙ୍କା ପାର କରିଥିଲା। ଡିଜେଲ ମଧ୍ୟ ବିଭିନ୍ନ ସ୍ଥାନରେ ୧୦୦ ଟଙ୍କା ଡେଇଁଥିଲା। ତେବେ କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କିନ୍ତୁ ଗ୍ୟାସ୍‌ ଦର ଏବେ ବି ୧୦୦୦ ଟଙ୍କା ପାଖରେ ରହିଛି।

[caption id="" align="aligncenter" width="888"] ପ୍ରତୀକାତ୍ମକ ଚିତ୍ର[/caption]

ସ୍ତବ୍ଧ କରି ଦେଲା ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାଶ୍‌

୨୦୨୧ର ସବୁଠାରୁ ବଡ଼ ଦୁଃଖଦ ଘଟଣା ଥିଲା ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇବା। ଡିସେମ୍ବର ୮ ତାରିଖରେ ଜେନାରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍‌ରେ ଉଡ଼ାଣ ଭରିଥିଲେ।

[caption id="" align="aligncenter" width="878"] ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର [/caption]

କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ସିଡିଏସ୍‌ଙ୍କ ସମେତ ପ୍ରଥମେ ୧୩ ଜଣ ପ୍ରାଣ ହରାଇଥିଲେ। ଘଟଣାର ସପ୍ତାହକ ପରେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ମଧ୍ୟ ପ୍ରାଣ ହରାଇଥିଲେ।

ଏୟାର ଇଣ୍ଡିଆକୁ ବିକି ଦେଲେ, ୬ ଲକ୍ଷ କୋଟି ଟଙ୍କାର ସରକାରୀ ସଂପତ୍ତି ବି ବିକ୍ରି ହେବ

ଘାଟାରେ ଚାଲିଥିବା ସରକାରୀ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ ଟାଟା ସନ୍ସ ଚଳିତ ବର୍ଷ କିଣିଥିଲା। ଦୀର୍ଘ ୬୮ ବର୍ଷ ପରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିଥିବାରୁ ରତନ ଟାଟା ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସଂପତ୍ତି ବିକ୍ରି କରିବା ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ଚଳିତ ବର୍ଷ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ଥିଲା। ରାସ୍ତା, ରେଳବାଇ, ଏୟାରପୋର୍ଟ, ବିଜୁଳି ଟ୍ରାନ୍ସମିଶନର ଲାଇନ ଓ ଗ୍ୟାସ ପାଇପ ଲାଇନ ଆଦି କ୍ଷେତ୍ରର କେତେକ ସମ୍ପତ୍ତିକୁ ଆସନ୍ତା ୪ ବର୍ଷ ମଧ୍ୟରେ ବିକ୍ରି କରାଯିବ।

[caption id="" align="aligncenter" width="885"] ଏୟାର ଇଣ୍ଡିଆକୁ କିଣିବା ପରେ ରତନ ଟାଟା ଟ୍ୱିଟ୍ କରିଥିଲେ ଏହି ପୁରୁଣା ଫଟୋ[/caption]

ବାତ୍ୟା ମାଡ଼

ବାତ୍ୟା ‘ୟାସ’ ମେ’ ୨୬ରେ ସ୍ଥଳଭାଗକୁ ଛୁଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡର କିଛି ଅଞ୍ଚଳରେ ବ୍ୟାପକ କ୍ଷତି କରିଥିଲା। ତା’ପୂର୍ବରୁ ମେ’ ୧୮ ତାରିଖରେ ବାତ୍ୟା ‘ତଉକତେ’ ଗୁଜରାଟରେ ତାଣ୍ଡବ ରଚିଥିଲା। ଗୁଜରାଟ ସମେତ ମହାରାଷ୍ଟ୍ର ଓ ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଥିଲା। ଏହାବାଦ ବର୍ଷ ଶେଷରେ ବାତ୍ୟା ଜୱାଦ ଯୋଗୁ ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ବ୍ୟାପକ ଫସଲହାନୀ ହୋଇଛି।

[caption id="" align="aligncenter" width="902"] ବାତ୍ୟାର ଏକ ଫାଇଲ ଫଟୋ[/caption]

ଆତଙ୍କୀ ହମଲାରେ ଟଳିପଡ଼ିଲା କମାଣ୍ଡିଂ ଅଫିସରଙ୍କ ପରିବାର

ନଭେମ୍ବର ୧୩ରେ ମଣିପୁରରେ ଆତଙ୍କବାଦୀଙ୍କ ଭୟଙ୍କର ହମଲାରେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ପ୍ରାଣ ହରାଇଥିଲେ। ଏଥିରେ ଆଉ ୪ ଜଣ ଯବାନ ବି ପ୍ରାଣ ହରାଇଥିଲେ। ମିଆଁମାର ସୀମାନ୍ତ ଚୁରାଚାନ୍ଦପୁର ଅଞ୍ଚଳରେ ଏହି ହମଲା ହୋଇଥିଲା।

[caption id="" align="aligncenter" width="796"] ପତ୍ନୀଙ୍କ ସହ କମାଣ୍ଡିଂ ଅଫିସର[/caption]

ଯବାନଙ୍କ ଗୁଳିରେ ୧୩ ଶ୍ରମିକ ମୃତ

ଡିସେମ୍ବର ୫ ତାରିଖ ରାତିରେ ନାଗାଲାଣ୍ଡରେ ଘଟିଥିଲା ବଡ଼ ଅଘଟଣ। ସ୍ଥାନୀୟ ଏକ ଗାଁର ଶ୍ରମିକମାନେ କୋଇଲା ଖଣିରୁ ଫେରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଆତଙ୍କବାଦୀ ଭାବି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୧୩ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ସାରା ଦେଶରେ ତମ୍ବିତୋଫାନ ଦେଖିବାକୁ ମିଳିଥିଲା। ଘଟଣାର ତଦନ୍ତ ଚାଲିଛି।

[caption id="" align="aligncenter" width="880"] ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ପରେ ଘଟିଥିବା ହିଂସାକାଣ୍ଡରେ ଜଳିଯାଇଛି ଗାଡ଼ି[/caption]

ପେଗାସସ୍‌, ଦିଶା ରବି ଓ ଅନ୍ୟାନ୍ୟ ଘଟଣା

  • ୨୦୨୧ର ପ୍ରଥମ ଦିନରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଭାରତ ତା’ର ଦୁଇ ବର୍ଷିଆ କାର୍ଯ୍ୟକାଳ ଆରମ୍ଭ କରିଥିଲା।
  • ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ଭୟଙ୍କର ବନ୍ୟା ଦେଖାଯାଇଥିଲା। ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।
  • -ବେଙ୍ଗାଲୁରୁର ଜଣେ ପ୍ରସିଦ୍ଧ ଭାରତୀୟ ପରିବେଶବିତ୍ ଦିଶା ରବିଙ୍କୁ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଏହାପରେ ଟୁଲକିଟ୍‌ ବିବାଦ ଦେଖାଯାଇଥିଲା। ନୋବେଲ ବିଜେତା ଗ୍ରେଟା ଥନବର୍ଗ ଚାଷୀଙ୍କ ସମର୍ଥନ କରି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ପ୍ରଚାର ହୋଇଥିଲା।
  • ବିହାରର ବକ୍ସର ଜିଲ୍ଲା ଦେଇ ଯାଉଥିବା ଗଙ୍ଗା ନଦୀରେ ୧୫୦ଟି ମୃତଦେହ ଭାସିବା ସମସ୍ତଙ୍କୁ ବିଚଳିତ କରିଥିଲା। ଉତ୍ତର ପ୍ରଦେଶରୁ ଏହି ଶବଗୁଡ଼ିକ ଭାସି ଆସିଥିବା କୁହାଯାଇଥିଲା।
  • ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ପଳାତକ ଭାରତୀୟ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରେ ଗିରଫ ହୋଇଥିଲେ।
  •  ମାଓବାଦୀଙ୍କ ସହ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ସାମାଜିକ କର୍ମୀ ଷ୍ଟାନ ସ୍ୱାମୀ ଜୁଲାଇ ୫ରେ ଜେଲରେ ଥାଇ ପ୍ରାଣ ହରାଇଥିଲେ।
  • ଭାରତରେ ସମବାୟ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଭାରତ ସରକାର ସହଯୋଗ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ।
  • ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍‌ ଦ୍ୱାରା ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଉପରେ ସରକାର ଗୁଇନ୍ଦାଗିରି କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲେ। ଏହି ୩୦୦ ଜଣିଆ ତାଲିକାରେ ବିରୋଧୀ ଦଳର ନେତା, ସାମ୍ବାଦିକ, କିଛି କେନ୍ଦ୍ରମନ୍ତ୍ରୀ, ସୁପ୍ରିମକୋର୍ଟ ବିଚାରପତି, ବ୍ୟବସାୟୀ, ସାମାଜିକ କର୍ମୀଙ୍କ ନାଁ ରହିଥିଲା।
  • ସେପ୍ଟମ୍ବର ୨୦ ତାରିଖରେ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାର ତଦନ୍ତ ସିବିଆଇ କରୁଛି। ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ମନ୍ଦିରର ପୂଜକ ଆଦ୍ୟଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି।
  • ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବା ସହ ସେଠାରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ବୈଠକ କରିଥିଲା। ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ଥିଲା।
  • ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ପ୍ରାୟ ୨ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ସ୍ଥାନରୁ ଏତେ ପରିମାଣର ହେରୋଇନ ଜବତ ହେବା ପ୍ରଥମ ଘଟଣା। 

Related story