୨୦୧୮ ମସିହା ଟ୍ୱିଟ ପାଇଁ ଗିରଫ ହୋଇଥିବା ଜୁବୈରଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ତଥା ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଆଜି ପୁଣିଥରେ ୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ସୋମବାର ଜୁବୈରଙ୍କୁ ୨୦୧୮ ମସିହାରେ ସେ କରିଥିବା ଗୋଟିଏ ଟ୍ୱିଟ ପାଇଁ ହଠାତ୍‌ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପରେ ଗତକାଲି ରାତିରେ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ତାଙ୍କୁ ଦିନକ ପାଇଁ ରିମାଣ୍ଡରେ ପଠାଇଥିଲେ। ଆଜି ଏହି ଅବଧି ସରିବାକୁ ଥିବାରୁ ଦିଲ୍ଲୀ ପୁଲିସ୍‌ […]

alt-news

Hemant Lenka
  • Published: Tuesday, 28 June 2022
  • , Updated: 28 June 2022, 06:49 PM IST

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ତଥା ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଆଜି ପୁଣିଥରେ ୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ସୋମବାର ଜୁବୈରଙ୍କୁ ୨୦୧୮ ମସିହାରେ ସେ କରିଥିବା ଗୋଟିଏ ଟ୍ୱିଟ ପାଇଁ ହଠାତ୍‌ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପରେ ଗତକାଲି ରାତିରେ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯାଇଥିଲା।

ମାଜିଷ୍ଟ୍ରେଟ ତାଙ୍କୁ ଦିନକ ପାଇଁ ରିମାଣ୍ଡରେ ପଠାଇଥିଲେ। ଆଜି ଏହି ଅବଧି ସରିବାକୁ ଥିବାରୁ ଦିଲ୍ଲୀ ପୁଲିସ୍‌ ତାଙ୍କୁ କୋର୍ଟରେ ହାଜର କରାଇ ପୁଣିଥରେ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

୫ ଦିନିଆ ରିମାଣ୍ଡ ଆବେଦନ କରି ଦିଲ୍ଲୀ ପୁଲିସ୍‌ କହିଥିଲା ଯେ ଅଭିଯୁକ୍ତ ଜଣଙ୍କ ‘ସିରିଏଲ ଅଫେଣ୍ଡର’ ବା ନିୟମିତ ନିୟମ ଭଙ୍ଗକାରୀ। ସେ ପୂର୍ବରୁ ମଧ୍ୟ ଏପରି ଅନେକ ଟ୍ୱିଟ କରିଛନ୍ତି। ତେଣୁ ଏହାର ତଦନ୍ତ ପାଇଁ ବିସ୍ତୃତ ଜେରା ଆବଶ୍ୟକ। ଦଙ୍ଗା ସୃଷ୍ଟି କରିବା ଓ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଅନେକ ଟ୍ୱିଟ କରି ସେ କେବଳ ବିବାଦ ସୃଷ୍ଟି କରିବାକୁ ଚାହୁଁଥିଲେ ବୋଲି ପୁଲିସ୍‌ କହିଥିଲା।

ତେବେ ଜୁବୈରଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ “୨୦୧୮ ମସିହା ମାର୍ଚ୍ଚରେ ଜୁବୈର କରିଥିବା ଟ୍ୱିଟ ୧୯୮୩ ମସିହାର ଗୋଟିଏ ଫିଲ୍ମର ଫଟୋ ଥିଲା। ଏହାକୁ ସେନସର ବୋର୍ଡ ଅନୁମତି ଦେଇଥିଲା। ଅନେକ ଏହାକୁ ଟ୍ୱିଟ କରିଥିଲେ। ହେଲେ ଜୁବୈରଙ୍କ ଧର୍ମ, ନାଁ ଓ ସେ ସାମ୍ବାଦିକ ହୋଇଥିବାରୁ ତାଙ୍କୁ କେବଳ ଟାର୍ଗେଟ କରାଯାଉଛି।”

୧୯୮୩ ମସିହାର ଫିଲ୍ମ ‘କିସି ସେ ନା କେହେନା’ ଫିଲ୍ମର ଗୋଟିଏ ପୋଷ୍ଟର ଜୁବୈର ଟ୍ୱିଟ କରିଥିଲେ। ଏହି ଫଟୋରେ ଥିବା ସାଇନ ବୋର୍ଡରେ ‘ହନୁମାନ ହୋଟେଲ’ ହିନ୍ଦୀରେ ଲେଖା ଯାଇଥିଲେ। କିନ୍ତୁ ଏଥିରେ ଥିବା ରଙ୍ଗ ଚିହ୍ନରୁ ଜଣାପଡ଼ୁଥିଲା ଯେ ଏହାର ନାଁ ପୂର୍ବରୁ ‘ହନିମୁନ ହୋଟେଲ’ ଥିଲା। ଏହି ସ୍କ୍ରିନ ଶଟକୁ ଶେୟାର କରି ଜୁବୈର ଲେଖିଥିଲେ ଯେ “୨୦୧୪ ପୂର୍ବରୁ ହନିମୁନ ହୋଟେଲ ଓ ୨୦୧୪ ପରେ ହନୁମାନ ହୋଟେଲ।” ୨୦୧୪ରେ ବିଜେପି କ୍ଷମତାକୁ ଆସିଥିବାରୁ ଜୁବୈର ପରୋକ୍ଷରେ ଦଳକୁ ଟାର୍ଗେଟ କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ବେଶ ବିବାଦ ହୋଇଥିଲା।

ଏସବୁ ଭିତରେ ଜୁବୈରଙ୍କୁ ୨୦୨୦ର ଗୋଟିଏ ମାମଲାରେ ଜେରା କରିବାକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ସୋମବାର ଡାକିଥିଲା। ହେଲେ ତାଙ୍କୁ ୨୦୧୮ ମସିହା ଟ୍ୱିଟ ଘଟଣାରେ ଗିରଫ କରାଯାଇଥିଲା। ଏଥିପାଇଁ ତାଙ୍କୁ ପୂର୍ବରୁ କୌଣସି ପ୍ରକାରର ନୋଟିସ ମଧ୍ୟ ଦିଆଯାଇ ନଥିଲା। ଜେରା ବେଳେ ହିଁ ତାଙ୍କ ନାଁରେ ଜଣେ ପୁଲିସ୍‌ ଅଧିକାରୀଙ୍କ ଅଭିଯୋଗ ଆଧାରରେ ମାମଲା କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାଁରେ ୧୫୩ ଓ ୨୯୫ଏରେ ମାମଲା କରାଯାଇଛି।

Related story